ଦୋକାନ ନ ଯାଇ ଏଣିକି ଘରେ ବସି ମଗାଇହେବ ମଦ

ଭୋପାଳ: ସ୍ମାର୍ଟଯୁଗରେ ସବୁକିଛି ସ୍ମାର୍ଟ ଭାବେ ଚାଲିଛି । ଲୋକମାନେ ବଜାରକୁ ଯାଇ ଜିନିଷ କିଣିବା ପରିବର୍ତ୍ତେ ଅଧିକାଂଶ ସାମଗ୍ରୀ ଅନଲାଇନରୁ ହିଁ କିଣୁଛନ୍ତି । କାରଣ ଏଥିପାଇଁ ଆପଣଙ୍କୁ ପରିଶ୍ରମ କରିବାକୁ ପଡିନଥାଏ । ଡେଲିଭରି ବୟ ଆସି ଆପଣଙ୍କ ଘରେ ସାମଗ୍ରୀ ଦେଇ ଯାଇଥାନ୍ତି | ଜୋମାଟୋ, ସ୍ୱିଗି ଭଳି କେତେକ ଆପ୍ ଜରିଆରେ ଆପଣ ଅନଲାଇନରୁ ପ୍ରତିଦିନ ଖାଦ୍ୟ ଅର୍ଡର କରୁଥିବେ । ଏପରିକି ଅନେକ ଅନଲାଇନ୍ ସାଇଟରୁ ଆପଣ ଡ୍ରେସ, ମୋବାଇଲ, ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଭଳି ଅନେକ ଜିନିଷ କିଣୁଥିବେ । କିନ୍ତୁ ଏଣିକି ମଦର ମଧ୍ୟ ହୋମ୍ ଡେଲିଭରି କରାଯିବ । ଖାଦ୍ୟ ଭଳି ଏଣିକି ମଦ ବି ଆପଣଙ୍କ ଘରେ ଆସି ପହଂଚିଯିବ । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ । ଏମିତି ହିଁ କିଛି ଯୋଜନା ଆଣିବାକୁ ଯାଉଛନ୍ତି ମଧ୍ୟପ୍ରଦେଶ ସରକାର । ମଧ୍ୟପ୍ରଦେଶରେ ନୂଆ ଅବକାରୀ ନୀତି ୨୦୨୦-୨୧ ଘୋଷଣା କରାଯାଇଛି |

ଅବକାରୀ ରାଜସ୍ବକୁ ବୃଦ୍ଧି କରିବା ପାଇଁ ସରକାର ନୂଆ ଉପାୟ କରିଛନ୍ତି | ନୂଆ ଯୋଜନା ମୁତାବକ ଅନଲାଇନ ମଦ ଅର୍ଡର କରାଗଲେ ସେହି ବ୍ରାଣ୍ଡର ମଦ ବୋତଲ ଉପରେ ଏକ ବାର କୋଡ଼ ଲଗାଯିବ | ଡେଲିଭରି ବୟଙ୍କୁ ନିଯୁକ୍ତ କରାଯାଇ ଏହି ମଦକୁ ଗ୍ରାହକଙ୍କ ପାଖରେ ପହଂଚାଇଦିଆଯିବ | ସେହିପରି ପର୍ଯ୍ୟଟନ ସ୍ଥଳମାନଙ୍କରେ ଅଙ୍ଗୁର ରସ ବା ଅଙ୍ଗୁର ୱାଇନ ଆଉଟଲେଟ ଖୋଳାଯିବାକୁ ନିଷ୍ପତ୍ତି ନିଆଯାଇଛି | ଏହି ବ୍ୟବସ୍ଥା ଫଳରେ ୨ ହଜାର କୋଟି ଟଙ୍କାର ରାଜସ୍ବ ଆଦାୟ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି |

ସେହିପରି ପ୍ରତି ୫ କିଲୋମିଟର ଦୂରତାରେ ହିଁ ଯଦି କୌଣସି ମଦ ଦୋକାନ ନଥିବ ତେବେ ହିଁ ନୂଆ ମଦ ଦୋକାନ ଖୋଲିବାକୁ ଅନୁମତି ମିଳିବ ବୋଲି ଅବକାରୀ ନୀତିରେ ସ୍ପଷ୍ଟ କରାଯାଇଛି | ଅବଶ୍ୟ ଏହା ପୂର୍ବରୁ ମହାରାଷ୍ଟ୍ରରେ ମଧ୍ୟ ଏମିତି ହିଁ ଏକ ପ୍ରସ୍ତାବ ଉପରେ ୨୦୧୮ରେ ବିଚାର କରାଯାଇଥିଲା । କିନ୍ତୁ ଏହାକୁ କାର୍ଯ୍ୟକାରୀ କରାଯାଇ ପାରିନଥିଲା ।

ସମ୍ବନ୍ଧିତ ଖବର