ୟୁକ୍ରେନ୍-ଫେରନ୍ତା ମେଡିକାଲ ଛାତ୍ରଙ୍କୁ ସୁଯୋଗ: ଏମ୍‌ବିବିଏସ୍ ପରୀକ୍ଷା କ୍ଳିୟର କରିପାରିବେ

ନୂଆଦିଲ୍ଲୀ : ୟୁକ୍ରେନ୍-ଫେରନ୍ତା ମେଡିକାଲ ଛାତ୍ରଛାତ୍ରୀମାନଙ୍କୁ କୌଣସି ମେଡିକାଲ କଲେଜରେ ନାମ ପଞ୍ଜୀକୃତ ନ କରି ମଧ୍ୟ ଏମ୍‌ବିବିଏସ୍ ଅନ୍ତିମ ପରୀକ୍ଷା- ଉଭୟ ପ୍ରଥମ ଓ ଦ୍ବିତୀୟ ଭାଗ (ଥିଓରି ଓ ପ୍ରାକ୍ଟିକାଲ) ଦେବା ଲାଗି ଥରଟିଏ ସୁଯୋଗ ଦିଆଯିବ ବୋଲି କେନ୍ଦ୍ର ସରକାର ସୁପ୍ରିମ୍‌କୋର୍ଟଙ୍କୁ ଅବଗତ କରାଇଛନ୍ତି। ପ୍ରାୟ ୧୮,୦୦୦ ମେଡିକାଲ ଛାତ୍ର ଯୁଦ୍ଧ-ଧ୍ବସ୍ତ ୟୁକ୍ରେନ୍‌ରୁ ଭାରତ ପଳାଇ ଆସିଥିଲେ। ସେମାନଙ୍କ ମଧ୍ୟରୁ ଅନେକେ ଏବେ ଭାରତରେ ସେମାନଙ୍କର ମେଡିକାଲ ଡିଗ୍ରି ସମ୍ପୂର୍ଣ୍ଣ କରିବାକୁ ବାଟ ଖୋଜୁଛନ୍ତି।
କେନ୍ଦ୍ର ସରକାରଙ୍କ କହିବା ଅନୁସାରେ, ଉକ୍ତ ଦୁଇଟି ପରୀକ୍ଷା କ୍ଳିୟର କରିବା ପରେ ଛାତ୍ରଛାତ୍ରୀମାନଙ୍କୁ ଦୁଇବର୍ଷର ବାଧ୍ୟତାମୂଳକ ଇଣ୍ଟର୍ଣ୍ଣସିପ କରିବାକୁ ହେବ। ପ୍ରଥମ ବର୍ଷ ବିନା ପାରିଶ୍ରମିକରେ ଏବଂ ଦ୍ବିତୀୟ ବର୍ଷ କିଛି ପାରିଶ୍ରମିକ ସହ ଏହି ଇଣ୍ଟର୍ଣ୍ଣସିପ ସାରିବାକୁ ହେବ।

କେନ୍ଦ୍ର ସରକାରଙ୍କ ଦ୍ବାରା ଗଠିତ ଏକ କମିଟି ଦ୍ବାରା ଏହି ନିଷ୍ପତ୍ତି ନିଆଯାଇଛି। ତେବେ କମିଟିର ସୁପାରିସ ଅନୁଯାୟୀ ଏଥିପାଇଁ ସମ୍ପୃକ୍ତ ଛାତ୍ରଛାତ୍ରୀମାନଙ୍କୁ ମାତ୍ର ଗୋଟିଏ ଥର ସୁଯୋଗ ମିଳିବ। ଭବିଷ୍ୟତରେ ଅନୁରୂପ ପରିସ୍ଥିତି ପାଇଁ ଏହାକୁ ଆଧାର କରାଯାଇପାରିବ ନାହିଁ। କେନ୍ଦ୍ର ସରକାର ଏମ୍‌ବିବିଏସ୍ ପରୀକ୍ଷା କ୍ଳିୟର କରିବା ପାଇଁ ଦେଉଥିବା ଏହି ଥରଟିଏ ସୁଯୋଗ ଅନେକ ୟୁକ୍ରେନ୍-ଫେରନ୍ତା ଛାତ୍ରଛାତ୍ରୀଙ୍କ ସମସ୍ୟାର ସମାଧାନ କରିବ ବୋଲି ଆଶା କରାଯାଏ।

ସମ୍ବନ୍ଧିତ ଖବର