ପାରୋଲ୍‌ରେ ଆସି ‘ଦିୱାଲି ମ୍ୟୁଜିକ୍‌ ଭିଡିଓ’ ରିଲିଜ୍‌ କଲେ ଦୁଷ୍କର୍ମ ଦୋଷୀ ସାବ୍ୟସ୍ତ ରାମ୍‌ ରହିମ୍‌

ନୂଆଦିଲ୍ଲୀ: ଦୁଷ୍କର୍ମ ଓ ନରହତ୍ୟା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅଧ୍ୟାତ୍ମିକ ନେତା ଗୁର୍‌ମୀତ୍‌ ରାମ୍‌ ରହିମ୍‌ ସିଂହ ପାରୋଲ୍‌ରେ ଆସି ଦୀପାବଳି ଅବସରରେ ଗୋଟାଏ ମ୍ୟୁଜିକ୍‌ ଭିଡିଓ ରିଲିଜ୍‌ କରିଛନ୍ତି। ‘ୟୁଟ୍ୟୁବ୍‌’ରେ ଅପ୍‌ଲୋଡ୍‌ ହୋଇଥିବା ଉକ୍ତ ମ୍ୟୁଜିକ୍‌ ଭିଡିଓରେ ସେ ନିଜେ ମଧ୍ୟ ଅଭିନୟ କରିଛନ୍ତି।

ସୂଚନାଯୋଗ୍ୟ, ୨୦୧୭ରେ ଦୋଷୀ ସାବ୍ୟସ୍ତ ହୋଇଥିବା ‘ଡେରା ସଚା ସୌଦା’ର ମୁଖ୍ୟ ୨୦ ବର୍ଷ କାରାଦଣ୍ଡାଦେଶ ପାଇଛନ୍ତି। ତାଙ୍କ ପରିବାର ଲୋକଙ୍କ ଆବେଦନ କ୍ରମେ ଗତ ସପ୍ତାହରେ ସେ ୪୦ ଦିନ ପାଇଁ ପାରୋଲ୍‌ରେ ବାହାରିଛନ୍ତି।

ଦୀପାବଳି ଦିନ ତାଙ୍କର ଏକ ଚିତ୍ତାକର୍ଷକ ନୂଆ ପଞ୍ଜାବୀ ମ୍ୟୁଜିକ୍‌ ଭିଡିଓ ତାଙ୍କ ନିଜସ୍ବ ‘ୟୁଟ୍ୟୁବ୍‌ ଚାନେଲ୍‌’ରେ ରିଲିଜ୍‌ କରାଯାଇଛି। ସେ ନିଜେ ଏହାର ସୁରକାର, ଗୀତିକାର, ଗାୟକ, ମ୍ୟୁଜିକ୍‌ ଆରେଞ୍ଜର୍‌ ଓ ନିର୍ଦେଶକ ବୋଲି ଉକ୍ତ ଭିଡିଓରେ ଥିବା ବର୍ଣ୍ଣନାରୁ ଜଣାପଡ଼ିଛି। ଗତ ୨୨ ଘଣ୍ଟା ମଧ୍ୟରେ ଉକ୍ତ ଭିଡିଓଟି ‘ୟୁଟ୍ୟୁବ୍‌’ରେ ୪୨ ଲକ୍ଷରୁ ଅଧିକ ଭିୟୁ ହୋଇସାରିଥିଲା।

Image Grabbed from Video

ଭିଡିଓରେ ଦେଖାଯାଉଛି, ରାମ୍‌ ରହିମ୍‌ ବୁଲି ବୁଲି ଦୀପ ଲଗାଉଛନ୍ତି। ଏହାଛଡ଼ା, ଏଥିରେ ସଂଯୋଗ କରାଯାଇଥିବା କେତେଗୁଡ଼ିଏ କ୍ଲପ୍‌ରେ ରାମ୍‌ ରହିମ୍‌ ତାଙ୍କର ଦୁଇଜଣ ଗୁରୁଙ୍କ ସହ ଦେଖାଯାଉଛନ୍ତି। ଏହି ଗୀତରେ ସେ ଦୁଇଜଣଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ଗୀତରେ ବର୍ଣ୍ଣନା କରାଯାଇଛି, ଲୋକେ ଦିନଟିଏ ଦୀପାବଳି ପାଳନ୍ତି, ଆମ ପାଇଁ ସବୁଦିନ ଦୀପାବଳି ଆଣିଥିବାରୁ ଆପଣ (ଗୁରୁ ଶାହ ସତ୍‌ନାମ୍‌ ଓ ଶାହ ମସ୍ତାନା) ଧନ୍ୟ।

‘ଅଟୋଟ୍ୟୁନ୍‌’ରେ ଗାୟନ କରାଯାଇଥିବା ଉକ୍ତ ଗୀତରେ ଡିସ୍କୋ ମ୍ୟୁଜିକ୍‌ ବାଜିବା ସହ ଭିଡିଓରେ ଗୁର୍‌ମୀତ ରଙ୍ଗବିରଙ୍ଗ ପୋଷାକ ପରିଧାନ କରିଛନ୍ତି। ଯେଭଳି ରଙ୍ଗିନ ପୋଷାକ ସେ ପ୍ରାୟ ୧୦ ବର୍ଷ ପୂର୍ବେ ତାଙ୍କର ପ୍ରଥମ ଗୀତ ‘ଲଭ୍‌ ଚେଞ୍ଜର୍‌’ ରିଲିଜ୍‌ କରିଥିଲେ।

ଭିଡିଓ ରିଲିଜ୍‌ କରିବାର ଅଳ୍ପ ସମୟ ପରେ ସେ ଉତ୍ତର ପ୍ରଦେଶର ବାଗ୍‌ପତ୍‌ରୁ ଭର୍ଚ୍ୟୁଆଲ୍‌ ‘ସତ୍‌ସଙ୍ଗ୍‌’ ମଧ୍ୟ ଆରମ୍ଭ କରିଥିଲେ।

ସମ୍ବନ୍ଧିତ ଖବର