ମହିଳାଙ୍କ ପେଟରୁ ବାହାରିଲା ଦେଢ କିଲୋଗ୍ରାମ ଓଜନର ଅଳଙ୍କାର ଓ ମୁଦ୍ରା

କୋଲକାତା: ପଶ୍ଚିମବଙ୍ଗରେ ଜଣେ ମହିଳାଙ୍କ ପେଟରୁ ଗହଣା ଓ ମୁଦ୍ରା ବାହାରିଥିବା ଜଣାଯାଇଛି। ଜଣେ ଚିକିତ୍ସକ କହିଛନ୍ତି ଯେ ପଶ୍ଚିମବଙ୍ଗର ବୀରଭୂମି ଜିଲ୍ଲାର ସରକାରୀ ଡାକ୍ତରଖାନାରେ ମାନସିକ ସ୍ତରରେ ଅସ୍ଥିର ଜଣେ ମହିଳାଙ୍କ ପେଟରୁ ଦେଢ କିଲୋଗ୍ରାମ ଓଜନର ଅଳଙ୍କାର ଓ ମୁଦ୍ରା ବାହାର କରାଯାଇଛି।

ରାମପୁରହାଟରେ ଥିବା ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲର ସର୍ଜରି ବିଭାଗର ମୁଖ୍ୟ ଡାକ୍ତର ସିଦ୍ଧାର୍ଥ ବିଶ୍ୱାସ କହିଛନ୍ତି ଯେ ଜଣେ ୨୬ ବର୍ଷୀୟ ମହିଳାଙ୍କ ପେଟରୁ ୫ ଟଙ୍କିଆ ଓ ୧୦ ଟଙ୍କିଆ ୯୦ ଟି ମୁଦ୍ରା ,ଚେନ୍‌ ,ନାକଗୁଣା,ଚୁଡ଼ି ଓ ପାଉଁଜି ଆଦି ଅଳଙ୍କାର ଓ ଘଣ୍ଟା ବାହାର କରାଯାଇଛି। ତେବେ ଏହି ଅଳଙ୍କାର ଭିତରୁ ଅଧିକାଂଶ ତମ୍ବା ଓ ପିତ୍ତଳରେ ତିଆରି ବୋଲି କୁହାଯାଇଛି। ଏଥିରେ ଅବଶ୍ୟ କିଛି ସୁନା ଅଳଙ୍କାର ବି ଥିଲା ବୋଲି ଡାକ୍ତର ସିଦ୍ଧାର୍ଥ ବିଶ୍ୱାସ କହିଛନ୍ତି ।

photo–abp ananda

ମହିଳାଙ୍କ ମାଆଙ୍କ କହିବା ଅନୁଯାୟୀ ଘରୁ ଅଳଙ୍କାର ଗାଏବ ହୋଇଯାଉଥିବାରୁ ଲକ୍ଷ୍ୟ କରୁଥିଲେ,ହେଲେ ସେ ଜାଣି ନଥିଲେ ତାଙ୍କ ଝିଅ ଏସବୁ ଖାଇ ଦେଉଛି। ଗତକାଲି ଉକ୍ତ ଯୁବତୀଙ୍କର ଅସ୍ତ୍ରୋପଚାର ପରେ ଏହା ସାମ୍ନାକୁ ଆସିଛି।

ସମ୍ବନ୍ଧିତ ଖବର