ବେଜିଂ,: ସମଗ୍ର ଭାରତ ଉପରେ ନଜର ରଖିବା ପାଇଁ ଚୀନ୍ ଏବେ ଏକ ବିଶାଳ ରାଡାର୍କୁ ନୈସେନାରେ ସାମିଲ କରିଛି। ଏହି ଅତ୍ୟାଧୁନିକ ସାମୁଦ୍ରିକ ରାଡାର ଭାରତର ସବୁ ଅଂଚଳ ଉପରେ ନଜର ରଖିବାକୁ ସକ୍ଷମ ବୋଲି ଜଣାପଡ଼ିଛି। ଏହି ରାଡାର ବଳରେ ଚୀନ୍ ନୈସେନା ଏବେ ନିଜ ସ୍ଥିତିକୁ ଅଧିକ ସୁଦୃଢ଼ କରିଥିବା ବେଳେ ଭାରତ ଏବଂ ଆମେରିକାର ଚିନ୍ତା ବଢ଼ିଛି। ଭାରତର ଯେ କୌଣସି ଜାହାଜ, ବିମାନ ଏବଂ କ୍ଷେପଣାସ୍ତ୍ରର ଗତିବିଧି ନେଇ ଏହି ରାଡାର ତତ୍କ୍ଷଣାତ ସତର୍କ କରାଇବ । ଏହି ରାଡାର ପ୍ରକଳ୍ପର ନାମ ‘ଓଭର୍ ଦି ହୋରାଇଜନ’ ରଖାଯାଇଛି। ବିଶ୍ବ ରାଡାର ଜ୍ଞାନକୌଶଳ କ୍ଷେତ୍ରରେ ଏହା ସର୍ବଶ୍ରେଷ୍ଠ ବୋଲି ଚୀନ୍ ବିଜ୍ଞାନ ଏକାଡେମୀ ଦାବି କରିଛି। ଭାରତ ଭଳି ବିଶାଳ ଅଂଚଳ ଉପରେ ଏକାଥରକେ ନଜର ରଖି ପାରିବାକୁ ସକ୍ଷମ ଏହି ରାଡାର ହାସଲ କରିବା ପରେ ଚୀନ୍ ପିପୁଲସ ଲିବରେସନ ଆର୍ମି ଆଗକୁ ତା’ର ରଣନୀତି ବଦଳାଇବ ବୋଲି କୁହାଯାଉଛି। ଦକ୍ଷିଣ ଚୀନ୍ ସାଗର, ଭାରତ ମହାସାଗର ଏବଂ ପ୍ରଶାନ୍ତ ମହାସାଗରରେ ଚୀନ୍ ସେନାର ସୂଚନା ସଂଗ୍ରହ କ୍ଷମତା ଏବେ ଯଥେଷ୍ଟ ବଢ଼ିଯାଇଛି । ଦକ୍ଷିଣ ଚୀନ୍ ସାଗରକୁ ନେଇ ଚୀନ୍ ଏବଂ ଆମେରିକା ପ୍ରାୟ ୩ ବର୍ଷ ଧରି ମୁହାଁମୁହିଁ ସ୍ଥିତିରେ ଥିବାରୁ ଆମେରିକା ଚୀନ୍ର ପ୍ରତ୍ୟେକ ଗତିବିଧି ଉପରେ ଏବେ ସତର୍କ ନଜର ରଖିଛି। ଦକ୍ଷିଣ ଚୀନ୍ ସାଗରରେ ଆମେରିକାର ଉପସ୍ଥିତିକୁ ଜୋର୍ଦାର ବିରୋଧ କରୁଥିବା ଚୀନ୍ ଏବେ ତା’ର ଆଭିମୁଖ୍ୟକୁ ଆହୁରି କଠୋର କରିବ ବୋଲି ଜଣାପଡ଼ିଛି। ଗୋଟିଏ ପଟେ ଚୀନ୍ ନିଜର ପ୍ରତିରକ୍ଷା ବଜେଟ୍ ବଢ଼ାଇ ନିଜକୁ ମହାଶକ୍ତି ଭାବେ ପ୍ରତିପାଦିତ କରିଥିବା ବେଳେ ଚୀନ୍ର ସାମରିକ ନୀତି ସର୍ବଦା ଭାରତ ପାଇଁ ଚିନ୍ତାର କାରଣ ହୋଇ ରହିଛି। ଦକ୍ଷିଣ ଚୀନ୍ ସାଗର ବିବାଦରେ ଚୀନ୍ ଅନ୍ତର୍ଜାତୀୟ ଆଇନକୁ ଉଲ୍ଲଂଘନ କରି ନିଜର ଦାଦାଗିରି ଜାହିର କରୁଥିବାରୁ ଜାତିସଂଘ ମଧ୍ୟ ଉଦ୍ବେଗ ପ୍ରକାଶ କରିଛି।