ଶ୍ରୀଲଙ୍କା ନାଗରିକଙ୍କ ହତ୍ୟାକୁ ସମର୍ଥନ କରିଥିବା ପାକିସ୍ତାନୀ ୟୁଟ୍ୟୁବରକୁ ଜେଲଦଣ୍ଡ

ଲାହୋର : ଗତ ଡିସେମ୍ବର ମାସରେ ପାକିସ୍ତାନର ସିଆଲକୋଟରେ ଜଣେ ଶ୍ରୀଲଙ୍କା ନାଗରିକଙ୍କ ହତ୍ୟା ଘଟଣାକୁ ସମର୍ଥନ କରିଥିବା ଜଣେ ଯୁବକକୁ ୧ ବର୍ଷ ଜେଲ ଦଣ୍ଡ ଦେଇଛନ୍ତି ପାକିସ୍ତାନର ଏକ ଆଦାଲତ । ମହମ୍ମଦ ଅଦନାନ ନାମକ ଏହି ୨୭ ବର୍ଷୀୟ ଯୁବକ ଏକ ୟୁଟ୍ୟୁବ ଭିଡିଓ ମାଧ୍ୟମରେ ଉକ୍ତ ହତ୍ୟା ଘଟଣାକୁ ସମର୍ଥନ କରିଥିଲା । ଏହି ଭିଡିଓରେ ସେ କହିଥିଲା ଯେ ଯିଏ ଧର୍ମନିନ୍ଦା କରିବ ସେମାନଙ୍କ ହତ୍ୟା କରିବା ଭୁଲ କାମ ନୁହେଁ । ଶ୍ରୀଲଙ୍କା ନାଗରିକ ପ୍ରିୟନ୍ଥା କୁମାରାଙ୍କ ହତ୍ୟା ଓ ତାଙ୍କ ମୃତଦେହ ଜାଳିବା ସପକ୍ଷରେ ବିଭିନ୍ନ ଯୁକ୍ତି ଉପସ୍ଥାପନ କରିଥିଲା ।

ଏହି ଭିଡିଓ ଭାଇରାଲ ହେବା ପରେ ସିଆଲକୋଟ ପୁଲିସ ଏକ ମାମଲା ରୁଜ୍ଜୁ କରି ଗରଜନଓ୍ବାଲା ଆତଙ୍କ ନିରୋଧୀ ଆଦାଲତରେ ଚାର୍ଜସିଟ ଦାୟର କରିଥିଲା । କୋର୍ଟରେ ଏହି ମାମଲାର ବିଚାର ବେଳେ ଉକ୍ତ ଯୁବକ ଭିଡିଓକୁ ସ୍ବୀକାର କରିଥିଲା । ଏହାପରେ ବିଚାରପତି ନତାଶା ନଇମ ତାକୁ ୧ ବର୍ଷ ଜେଲ ଓ ୧୦ ହଜାର ପାକିସ୍ତାନି ଟଙ୍କା ଜୋରିମାନା ଲାଗୁ କରିଛନ୍ତି ।

ଗତ ଡିସେମ୍ବର ୩ ତାରିଖରେ ସିଆଲକୋଟର ଓ୍ବାଜିରାବାଦରେ ଏହି ଘଟଣା ଘଟିଥିଲା । ସେଠାରେ ଥିବା ରାଜକୋ ନାମକ କମ୍ପାନିରେ ମହାପ୍ରବନ୍ଧକ ବା ଜିଏମଭାବେ କାମ କରୁଥିବା ଶ୍ରୀଲଙ୍କା ନାଗରିକ ପ୍ରିୟନ୍ଥା କୁମାରାଙ୍କୁ ଉତ୍ୟକ୍ତ ଭିଡ଼ ପିଟି ପିଟି ମାରିଦେବା ପରେ ତାଙ୍କ ମୃତଦେହରେ ନିଆଁ ଲଗାଇଦେଇଥିଲେ । ଇସଲାମକୁ ଅପମାନିତ କରିବା ଅଭିଯୋଗରେ ଉତ୍ୟକ୍ତ ଜନତା ଏହି ପଦକ୍ଷେପ ନେଇଥିଲେ । ଏହି ଘଟଣାରେ ସଂପୃକ୍ତ ୨୦୦ ବ୍ୟକ୍ତିଙ୍କ ବିରୋଧରେ ପୁଲିସ ମାମଲା ରୁଜ୍ଜୁ କରିଛି ।

ସମ୍ବନ୍ଧିତ ଖବର