ଇଜିପ୍‌ଟ୍‌ରୁ ପାକିସ୍ତାନ ବାୟୁସେନା କିଣିବ ୩୬ଟି ପୁରୁଣା ମିରାଜ୍‌-୫ ଲଢୁଆ ଜେଟ୍‌

ନୂଆଦିଲ୍ଲୀ: ଇଜିପ୍‌ଟ୍‌ ଠାରୁ ୩୬ଟି ଡାସଲ୍‌ଟ୍‌ ମିରାଜ୍‌-୫ ଲଢୁଆ ବିମାନ ଖରିଦ କରିବାକୁ ପାକିସ୍ତାନ କଥାବାର୍ତ୍ତା କରୁଛି। ଏହି ବିମାନର ନିର୍ମାତା ଫରାସୀ କମ୍ପାନି ମଧ୍ୟ ଏହାର ଉତ୍ପାଦନ ବନ୍ଦ କରି ଦେଇଛି। ଇଜିପ୍‌ଟ୍‌ର ବାୟୁସେନାରୁ ମଧ୍ୟ ଉକ୍ତ ମିରାଜ୍‌-୫ ବିମାନ ଅବସର ଗ୍ରହଣ କରି ସାରିଛି, କିନ୍ତୁ ପାକିସ୍ତାନ ବାୟୁସେନା ନିଜର ବିମାନବାହିନୀରେ ସେଗୁଡ଼ିକୁ ସାମିଲ୍‌ କରିବାକୁ ଚାହୁଁଛି।

ଫେବ୍ରୁଆରି ୨୦୧୯ରେ ବାଲାକୋଟ୍‌ ଆତଙ୍କବାଦୀ ଛାଉଣିରେ ବୋମାବର୍ଷଣ କରିଥିବା ଭାରତୀୟ ବାୟୁସେନାରେ ମିରାଜ୍‌-୨୦୦୦ ସହ ମଧ୍ୟ ମିରାଜ୍‌-୫ ସମକକ୍ଷ ନୁହେଁ।

ପୂର୍ବରୁ ପାକିସ୍ତାନ ୯୨ ମିରାଜ୍‌-୫ ଏବଂ ୮୭ ମିରାଜ୍‌-୩ ଜେଟ୍‌ ସମେତ ଏଫ୍‌-୧୬ ଫାଇଟିଙ୍ଗ୍‌ ଫାଲ୍‌କନ୍‌ ବ୍ୟବହାର କରି ସାରିଛି। ଏହାଛଡ଼ା ପାକିସ୍ତାନ ପାଖରେ ଚେଙ୍ଗଡୁ ଜେ-୭ ଏବଂ ଜେଏଫ୍‌-୧୭ ଥଣ୍ଡର୍‌ କମ୍ବାଟ୍‌ ଜେଟ୍‌ ରହିଛି।

ମିରାଜ୍‌-୫ ଗ୍ରହଣ କରିବା ପୂର୍ବରୁ ସେଥିରେ ଉନ୍ନତ ରାଡାର୍‌ ଏବଂ ଇଲେକ୍‌ଟ୍ରୋନିକ୍‌ ଓ୍ଵାର୍‌ଫେୟାର୍‌ ସୁଟ୍‌ସ୍‌ ଆଦି ଅପ୍‌ଗ୍ରେଡ୍‌ କରାଇବାକୁ ଚାହୁଁଛି। ‘ରେଟ୍ରୋଫିଟ୍‌ ଅଫ୍‌ ଷ୍ଟ୍ରାଇକ୍‌ ଏଲିମେଣ୍ଟ୍‌’ ବା ‘ପ୍ରୋଜେକ୍ଟ୍‌ ରୋଜ୍‌’ ଅଧୀନରେ ପାକିସ୍ତାନ ତା’ର ମିରାଜ୍‌-୩ ଓ ୫ ଅପ୍‌ଗ୍ରେଡ୍‌ କରାଉଛି। ପାକିସ୍ତାନ ଚାହୁଁଥିବା ମିରାଜ୍‌-୫ ଜେଟ୍‌ରେ ହେଲ୍‌ମେଟ୍‌ ମାଉଣ୍ଟେଡ୍‌ ଡିସ୍‌ପ୍ଲେ ଏବଂ ମିସନ୍‌ ପଡ୍‌ ରହିବା ସହ ରାତିରେ ମଧ୍ୟ ଆକ୍ରମଣ କରିବାର ଦକ୍ଷତା ରହିଛି।

ଗତ କିଛି ବର୍ଷ ହେବ ଏ ବିଷୟରେ କଥାବାର୍ତ୍ତା ଚାଲି ଆସୁଥିଲେ ମଧ୍ୟ ଭାରତ ସହ ସମ୍ପର୍କ ଉତ୍ତେଜକ ହେବା ପରେ ପାକିସ୍ତାନ ସେଗୁଡ଼ିକୁ ତୁରନ୍ତ ଚାହୁଁଛି।

ସମ୍ବନ୍ଧିତ ଖବର