ପଞ୍ଜାବରୁ ମିଳିଲା ପାକିସ୍ତାନୀ ଡ୍ରୋନ୍‌, ଅମୃତସରରୁ ବିପୁଳ ଅସ୍ତ୍ରଶସ୍ତ୍ର ଜବତ

ଏନ୍‌ଆଇଏ ତଦନ୍ତ ଆରମ୍ଭ

ନୂଆଦିଲ୍ଲୀ: ପଂଜାବରେ ଆତଙ୍କବାଦୀଙ୍କୁ ଅସ୍ତ୍ର ପହଞ୍ଚାଇବା ପାଇଁ ପାକିସ୍ତାନ ଯେଉଁ ଡ୍ରୋନ୍‌ ବ୍ୟବହାର କରିଥିଲା ତାହା ଆଜି ଅଟାରିରୁ ମିଳିଛି। ଗତ ସୋମବାର ଦିନ ଗିରଫ ହୋଇଥିବା ୪ ଜଣ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ଏହି ଡ୍ରୋନ୍‌ ପୁଲିସ୍‌କୁ ଦେଖାଇଛି। ଆତଙ୍କବାଦୀ ଜଣକ ଏହି ଡ୍ରୋନ୍‌ଟିକୁ ଅଟାରି ସୀମାର ଏକ ଗ୍ରାମରେ ଲୁଚାଇ ରଖିଥିଲା। ଡ୍ରୋନ୍‌ଟି ଆତଙ୍କବା‌ଦୀଙ୍କ ପାଖରେ ଅସ୍ତ୍ର ପହଞ୍ଚାଇବାପାଇଁ ଭାରତ ସୀମାକୁ ପ୍ରବେଶ କରିଥିଲା କିନ୍ତୁ ଏହା ଖରାପ୍‌ ହୋଇଯିବାରୁ ଆଉ ପାକିସ୍ତାନ ଫେରିପାରି ନଥିଲା। ତେଣୁ ଆତଙ୍କବାଦୀମାନେ ଏହି ଡ୍ରୋନ୍‌ଟିକୁ ଅଟାରି ସୀମା ସ୍ଥିତ ଏକ ଧାନ ବିଲରେ ଲୁଚାଇ ରଖିଥିଲେ। ପୁଲିସ ଆତଙ୍କବାଦୀଙ୍କୁ ଜେରା କରିବା ସମୟରେ ଆକାଶଦୀପ ନାମକ ଜଣେ ଆତଙ୍କବାଦୀ ଡ୍ରୋନ୍‌ ଲୁଚାଇଥିବା ସମ୍ପର୍କ‌ରେ କହିଥିଲେ। ଉଲ୍ଲେଖଯୋଗ୍ୟ ଚଳିତ ମାସରେ ପାକିସ୍ତାନୀ ‌ଡ୍ରୋନ ପ୍ରାୟ ୧୦ ଦିନ ଉଡ଼ାଣ କରିଛି। ଡ୍ରୋନ୍‌ ଦ୍ବାରା ବିଭିନ୍ନ ଅସ୍ତ୍ରଶସ୍ତ୍ର, ସାଟେଲାଇଟ୍‌ ଫୋନ୍‌ ଭାରତକୁ ପଠାଯାଉଥିଲା।

ବିଏସଏଫ୍‌ ପକ୍ଷରୁ କୁହାଯାଇଛି ଯେ ଏଭଳି ଯାନର ଏରିଏଲ୍‌ ସର୍ଭେ ବ୍ୟବସ୍ଥା ନାହିଁ। ଏହି ମାନବବିହୀନ ଏରିୟଲ ଯାନକୁ ରାଡାର ଦ୍ବାରା ଚିହ୍ନଟ କରାଯାଇପାରିବ, କିନ୍ତୁ ଖାଲି ଆଖି‌ରେ ଏହା ଦୃଶ୍ୟମାନ ହେବ ନାହିଁ ବୋଲି କୁହାଯାଇଛି। ଏହି ଡ୍ରୋନ୍‌ ଗୁଡ଼ିକ ଅତ୍ୟନ୍ତ କ୍ଷୀପ୍ର ଗତି‌ରେ ଉଡ଼ିବା ସହ ଧାର୍ଯ୍ୟ ସମୟ ମଧ୍ୟରେ ଏହାର ଟାର୍ଗେଟ୍‌ରେ ପହଞ୍ଚିପାରୁଛି। ଆଜି ପୁଲିସ ଅମୃତସରରୁ ମଧ୍ୟ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ କରିଥିବା ବେଳେ ଏନ୍‌ଆଇଏ ମାମଲାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର