ଭାରତ-ପାକ ସୀମାର ୬୦୦ରୁ ୭୦୦ମିଟର ଦୂରରେ ପାକିସ୍ତାନ ନିର୍ମାଣ କରୁଛି ବିଶାଳ ବନ୍ଧ; ବିଏସ୍‌ଏଫ୍‌ ନଜରରୁ ଲୁଚାଇବାକୁ ଚାହୁଁଛି ଆତଙ୍କବାଦୀ କାର୍ଯ୍ୟକଳାପ

ନୂଆଦିଲ୍ଲୀ: ଜମ୍ମୁ ଅନ୍ତର୍ଗତ ଭାରତ-ପାକିସ୍ତାନ ସୀମାରେ ପାକିସ୍ତାନ ନୂଆ ଷଡଯନ୍ତ୍ର ରଚନା କରୁଥିବା ଖବର ମିଳିଛି। ବର୍ଡର ସିକ୍ୟୁରିଟି ଫୋର୍ସ (ବିଏସ୍‌ଏଫ୍‌) ପକ୍ଷରୁ ଗୃହ ମନ୍ତ୍ରାଳୟଙ୍କୁ ପଠାଯାଇଥିବା ଏକ ଗୁଇନ୍ଦା ରିପୋର୍ଟରେ କୁହାଯାଇଛି କି, ପାକିସ୍ତାନୀ ରେଞ୍ଜର୍ସ ଭାରତ-ପାକିସ୍ତାନ ସୀମା ନିକଟ ସୁଖମଲ ଅଞ୍ଚଳରେ ମାଟିରେ ନିର୍ମିତ ଏକ ଉଚ୍ଚ ବନ୍ଧ ନିର୍ମାଣ କରୁଛି, ଯାହାଫଳରେ ସେମାନେ ବିଏସ୍‌ଏଫ୍‌ଙ୍କ ଆକ୍ରମଣରୁ ନିଜର ଓ୍ଵାକର୍ସ ଓ ପାକିସ୍ତାନୀ ରେଞ୍ଜର ସଦସ୍ୟଙ୍କୁ ବଞ୍ଚାଇ ପାରିବ।

ପ୍ରକାଶିତ ରିପୋର୍ଟ ମୁତାବକ, ଏହି ବନ୍ଧ ଜରିଆରେ ପାକିସ୍ତାନ ରେଞ୍ଜର୍‌ ଭାରତ ବିରୋଧରେ ଏକ ବଡ଼ ଷଡଯନ୍ତ୍ର ତିଆରି କରୁଛି ବୋଲି କୁହାଯାଉଛି। ଉଚ୍ଚ ବନ୍ଧ ହେତୁ ସେମାନେ କ’ଣ କରୁଛନ୍ତି ତାହା ଦୃଶ୍ୟମାନ ହେବ ନାହିଁ। ସୀମାରେ ନିୟୋଜିତ ଥିବା ବିଏସ୍‌ଏଫ୍‌ ଯବାନଙ୍କୁ ପାକ ଗତିବିଧି ସଂପର୍କିତ ସୂଚନା ମିଳି ପାରିବ ନାହିଁ ବୋଲି କୁହାଯାଉଛି।

ସୂଚନାଯୋଗ୍ୟ, ସୁଖମଲ ଅଞ୍ଚଳରେ ପାକିସ୍ତାନୀ ରେଞ୍ଜର୍ସର ପୋଷ୍ଟ ରହିଛି। ଏହି ଅଞ୍ଚଳରେ କିଛି ଦିନ ହେବ ବିଏସ୍‌ଏଫ୍‌ ଓ ପାକିସ୍ତାନୀ ରେଞ୍ଜର୍ସଙ୍କ ମଧ୍ୟରେ ଗୁଳିବିନିମୟ ଚାଲିଥିଲା। ଚଳିତ ବର୍ଷ ପ୍ରାରମ୍ଭରେ ସୁଖମଲ ପୋଷ୍ଟ ନିକଟରେ ହୋଇଥିବା ଗୁଳିବିନିମୟରେ ଜଣେ ବିଏସ୍‌ଏଫ୍‌ ଯବାନ ସହିଦ ହୋଇଥିଲେ। ଏହାର ପାଲଟା ଜବାବ ଦେଇ ବିଏସ୍‌ଏଫ୍‌ ପାକିସ୍ତାନୀ ରେଞ୍ଜର୍ସର ୮ଜଣ ସଦସ୍ୟଙ୍କୁ ନିହତ କରିଥିଲା । ସୀମାରେ ବିଏସ୍‌ଏଫ୍‌ ପାକିସ୍ତାନ ପକ୍ଷରୁ ହେଉଥିବା ପ୍ରତ୍ୟେକ କାର୍ଯ୍ୟକଳାପ ଉପରେ ନଜର ରଖିଥାଆନ୍ତି,ଏହି କାରଣରୁ ପାକିସ୍ତାନ ରେଞ୍ଜର୍ସ ସୀମାରେ ଉଚ୍ଚତମ ବନ୍ଧ ନିର୍ମାଣ କରି ବିଏସ୍‌ଏଫ୍‌ର ଅବଜରଭେସନ୍‌ ପୋଷ୍ଟର ନଜରରୁ ବଞ୍ଚିବାର ଯୋଜନା କରୁଛି।

ବିଏସ୍‌ଏଫ୍‌ ସହିତ ଜଡ଼ିତ ଥିବା ଜଣେ ଅଧିକାରୀଙ୍କ କହିବାନୁସାରେ, ସୁଖମଲ ଅଞ୍ଚଳରେ ଯେଉଁ ବନ୍ଧ ଗଢ଼ିବାରେ ପାକିସ୍ତାନୀ ରେଞ୍ଜର୍ସ ଲାଗିଛି, ତାହା ସୀମାରୁ ପାଖାପାଖି ୬୦୦ରୁ ୭୦୦ ମିଟର ଦୂରରେ ଥିବା କୁହାଯାଉଛି।

 

ସମ୍ବନ୍ଧିତ ଖବର