ଚୀନ୍‌କୁ ଖୁସି କରିବା ପାଇଁ ପାକିସ୍ତାନର ପ୍ରୟାସ, ଗିଲ୍‌ଗିଟ୍‌-ବାଲତିସ୍ତାନ ନୂଆ ପ୍ରଦେଶ ଘୋଷଣା ହେବ

ଇସଲାମାବାଦ୍‌: କାଶ୍ମୀର କ୍ଷେତ୍ରର ଏକ ବିବ‌ାଦୀୟ ପରିସରର ଅଂଶବିଶେଷ ଗିଲ୍‌ଗିଟ୍‌- ବାଲ୍‌ତିସ୍ତାନ (ଜିବି) ଏବେ ପାକିସ୍ତାନର ପଞ୍ଚମ ପ୍ରଦେଶ ହେବାକୁ ଯାଉଛି। ଯେଉଁ ସବୁ ବିବାଦୀୟ ଅଞ୍ଚଳକୁ ନେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବିବାଦ ଲାଗି ରହିଛି ସେଥି ମଧ୍ୟରେ ଏହି ଅଞ୍ଚଳ ଅନ୍ତର୍ଭୁକ୍ତ। ‘ଜିବି’ ଏକ ପ୍ରଦେଶରେ ପରିଣତ ହେବ। କାଶ୍ମୀର ଏବଂ ଗିଲ୍‌ଗିଟ୍‌-ବାଲତିସ୍ତାନ ବ୍ୟାପାର ପାଇଁ ପାକିସ୍ତାନର ସଂଘୀୟ ମନ୍ତ୍ରୀ ଅଲି ଅମିନ ଗନ୍ଦପୁର ପ୍ରଥମେ ଏହି ଘୋଷଣା କରିଛନ୍ତି। ମନ୍ତ୍ରୀ ଅଲି କହିଛନ୍ତି, ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଖୁବ୍‌ ଶୀଘ୍ର ଏହି ଅଞ୍ଚଳକୁ ଗସ୍ତ କରିବେ ଏବଂ ଏ ସଂକ୍ରାନ୍ତରେ ସରକାରୀ ଭାବେ ଘୋଷଣା କରିବେ। ବିଭିନ୍ନ ବଚାରବିମର୍ଶ ପରେ ସରକାର ଏହି ଅଂଚଳକୁ ସାମ୍ବିଧାନିକ ଅଧିକାର ଦେବାପାଇଁ ନିଷ୍ପତ୍ତି ନେଇଛନ୍ତି ବୋଲି ମନ୍ତ୍ରୀ ଅଲି କହିଛନ୍ତି। ତେବେ ସମ୍ମୁଖ ଭାଗରୁ ସରକାର ଏହି ପ୍ରକ୍ରିୟାର ନେତୃତ୍ବ ନେଉଛନ୍ତି ବୋଲି ଜଣାପଡ଼ୁଥିଲେ ମଧ୍ୟ ବାସ୍ତବରେ ପାକିସ୍ତାନ ସେନା ହିଁ ପଛରେ ରହି ଏହି କାର୍ଯ୍ୟ ପରିଚାଳନା କରୁଛି। ପାକିସ୍ତାନ ସେନା ନିର୍ଦ୍ଦେଶରେ ହିଁ ଏଭଳି ଏକ ପରିବର୍ତ୍ତନ କରାଯାଉଥିବା କୁହାଯାଉଛି।

ନିକଟରେ ପାକ୍‌ ସେନା ମୁଖ୍ୟ କମର ଜାଭେଦ ବଜ୍‌ୱା, ଅନ୍ୟ ବରି‌ଷ୍ଠ ସାମରିକ ଜେନେରାଲ୍‌ ବିରୋଧୀ ଦଳର ବିଭିନ୍ନ ସାଂସଦମାନଙ୍କ ସହ ଏକ ବୈଠକ କରିଥିଲେ। ଜିବିରେ ଆଗକୁ ହେବାକୁ ଥିବା ନିର୍ବାଚନ ପାଇଁ ଏହି ବୈଠକ କରାଯାଇଥିବା କୁହାଯାଉଥିଲା। କିନ୍ତୁ ଜେନେରାଲ୍‌ ‌ହେଡ୍‌କ୍ବାର୍ଟରରେ ହୋଇଥିବା ଏହି ବୈଠକ ପାଇଁ ବିବାଦ ବଢ଼ିଛି। ପ୍ରମୁଖ ପାକିସ୍ତାନୀ ରାଜନେତାମାନେ ସଂସଦ ପରିବର୍ତ୍ତେ ଜିଏଚ୍‌କ୍ୟୁରେ ବୈଠକକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସେମାନେ ଏହା ରାଜନୀତ‌ିରେ ସେନାର ହସ୍ତ‌କ୍ଷେପ ବୋଲି କହୁଛନ୍ତି। ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ନୱାଜ ସରିଫ୍‌ଙ୍କ ଝିଅ ମାରିୟମ୍‌ ନୱାଜ୍‌ ମଧ୍ୟ ଏହାକୁ ଦୃଢ଼ ବିରୋଧ କରିଛନ୍ତି। ପୂର୍ବରୁ ଗିଲ୍‌ଗିଟ ବାଲତିସ୍ତାନ ଅବହେଳିତ ଥିଲା। କିନ୍ତୁ ପାକିସ୍ତାନ ଏବେ ଏହାକୁ ଏକ ପ୍ରଦେଶରେ ପରିଣତ କରିବାକୁ ଚାହୁଛି। ଚୀନ୍‌କୁ ଖୁସି କରିବାପାଇଁ ପାକିସ୍ତାନ ଏଭଳି ନିଷ୍ପତ୍ତି ନେଇଛି ବୋଲି କୁହାଯାଉଛି। ଗିଲ୍‌ଗିଟ୍‌ ଅଂଚଳରେ ଚୀନ୍‌ର କେତେକ ପ୍ରକଳ୍ପକୁ ପ୍ରବଳ ବିରୋଧ ହେଉଛି । କିନ୍ତୁ ଚୀନ୍‌ ଏହି ଅଞ୍ଚଳରେ ନିଜର ପ୍ରଭାବ ବଢ଼ାଇବାକୁ ଚାହୁଛି। ସିପିଇସି (ଚୀନ୍‌ ପାକିସ୍ତାନ ଆର୍ଥିକ କରିଡର) ହେଉଛି ପାକିସ୍ତାନ ପାଇଁ ଚୀନ୍‌ର ଏକ ଋଣ ଜାଲ। ଏହା ଗିଲ୍‌ଗିଟ୍‌-ବାଲତିସ୍ତାନ ଦେଇ ଯା‌ଇଛି। ତେବେ ଚୀନ୍‌ ନିଜର ବିନିଯୋଗକୁ ସୁରକ୍ଷା ଦେବାପାଇଁ ଗିଲଗିଟ ବାଲ୍‌ତିସ୍ତାନକୁ ଏକ ପ୍ରଦେଶରେ ପରିଣତ କରିବାପାଇଁ ପାକିସ୍ତାନକୁ ଲୋଭାନ୍ବିତ କରିଛି। ଅନ୍ୟପକ୍ଷେ ପାକିସ୍ତାନ ଚୀନ୍‌କୁ ଖୁସି କରିବାପାଇଁ ଏଭଳି ନିଷ୍ପତ୍ତି ନେଇଛି ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର