୭୬୦ ଡିଗ୍ରି ସେଲିସିୟସ୍‌ ଉତ୍ତାପ ସହ୍ୟ କରି ପୁଣି ଥରେ ସୂର୍ଯ୍ୟକୁ ସ୍ପର୍ଶ କଲା ‘ପାର୍କର ସୋଲାର୍‌ ପ୍ରୋବ୍‌’

ନୂଆଦିଲ୍ଲୀ: ସୌର ରେଣୁର ୭୬୦ ଡିଗ୍ରି ଉତ୍ତାପ ସହ୍ୟ କରି ପୁଣି ଥରେ ‘ପାର୍କର୍‌ ସୋଲାର୍‌ ପ୍ରୋବ୍‌’ ସୂର୍ଯ୍ୟକୁ ସ୍ପର୍ଶ କରି ଉଡ଼ିଯାଇଛି।

ସୂର୍ଯ୍ୟ କିଭଳି କାର୍ଯ୍ୟ କରୁଛି ସେ ସମ୍ପର୍କରେ ଅଧିକ ତଥ୍ୟ ଆବିଷ୍କାର କରିବା ଲାଗି ଏଥରକୁ ମିଶାଇ ‘ପାର୍କର ସୋଲାର୍‌ ପ୍ରୋବ୍‌’ ୧୧ ଥର ସୂର୍ଯ୍ୟର ନିକଟବର୍ତ୍ତୀ ହେଲାଣି। ‘ପେରିହିଲିୟନ୍‌’ କୁହାଯାଉଥିବା ଉପରୋକ୍ତ ସୂର୍ଯ୍ୟ-ସ୍ପର୍ଶ ସମୟରେ ‘ପାର୍କର୍‌ ସୋଲାର୍‌ ପ୍ରୋବ୍‌’ ଘଣ୍ଟାପ୍ରତି ୫୭୯୩୬୩ କିଲୋମିଟର୍‌ ବେଗରେ ଗତି କରୁଥିଲା।

ଏ ସଂକ୍ରାନ୍ତରେ ଟୁଇଟ୍‌ କରି ‘ନାସା’ ଟିମ୍‌ କହିଛି: ସୂର୍ଯ୍ୟ ପୃଷ୍ଠର ୫.୩ ନିୟୁତ ମାଇଲ୍‌ ନିକଟବର୍ତ୍ତୀ ଅଞ୍ଚଳକୁ ଯାଇ ‘ପାର୍କର୍‌ ସୋଲାର୍‌ ପ୍ରୋବ୍‌’ ୧୧ଶ ଥର ସୂର୍ଯ୍ୟ ସ୍ପର୍ଶ ଶେଷ କରିଛି। ଏତେ ଦୂରରେ ଥାଇ ମଧ୍ୟ ଉକ୍ତ ମହାକାଶଯାନଟିକୁ ‘୧୪୦୦ ଡିଗ୍ରି ଫାରେନ୍‌ହିଟ୍‌ ଉତ୍ତାପ ସହ୍ୟ କରିବାକୁ ପଡ଼ିଥିଲା।

Image Courtesy of Quora

ଡିମ୍ବାକାର କକ୍ଷପଥରେ ପରିକ୍ରମା କରୁଥିବା ଉକ୍ତ ମହାକାଶଯାନଟି ପୂର୍ବାପେକ୍ଷା ଅଧିକ ନିକଟବର୍ତ୍ତୀ ହୋଇ ତା’ର ବୈଜ୍ଞାନିକ ଉପକରଣ ଯୋଗେ ସୂର୍ଯ୍ୟ ବିଷୟରେ ଅଧିକ ତଥ୍ୟ ଯୋଗାଡ଼ କରୁଛି। ସୌର ବାୟୁ ସଂକ୍ରାନ୍ତରେ ଧାରଣା ଦେଇଥିବା ୟୁଜିନ୍‌ ପାର୍କର୍‌ଙ୍କ ନାମାନୁସାରେ ନାମିତ ଏହି ମହାକାଶଯାନ ସୌର କାର୍ଯ୍ୟକଳାପ ବିଷୟରେ ତଥ୍ୟାବଳି ଯୋଗାଇବ ଏବଂ ସୂର୍ଯ୍ୟର ରହସ୍ୟମୟ କରୋନା ଉପରେ ଅଧ୍ୟୟନ କରିବ। ସୂର୍ଯ୍ୟ ବିଷୟରେ ଅଧ୍ୟୟନ କରିବା ଲାଗି ଏହାକୁ ୧୦୧୮ରେ ଉତ୍‌କ୍ଷେପଣ କରାଯାଇଥିଲା।

ଏହା ହେଉଛି, କରୋନା ବା ସୂର୍ଯ୍ୟ ମଣ୍ଡଳରେ ପ୍ରବେଶ କରିଥିବା ମାନବ ନିର୍ମିତ ପ୍ରଥମ ଉପକରଣ।

ସମ୍ବନ୍ଧିତ ଖବର