ସଂସଦ ଭବନ ନିରାପଦ ନୁହେଁ: ହରଦୀପ

ନୂଆଦିଲ୍ଲୀ: କେନ୍ଦ୍ର ଗୃହନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି ଯେ, ସେଣ୍ଟ୍ରାଲ ଭିଷ୍ଟା ପ୍ରୋଜେକ୍ଟର ଅଂଶ ସ୍ବରୂପ ସଂସଦ ଭବନ ନିର୍ମାଣ କାର୍ଯ୍ୟ ୨୦୨୨ ଶୀତ ଅଧିବେଶନ ପୂର୍ବରୁ ସମ୍ପନ୍ନ ହୋଇଯାଇଥିବ। ଏକ ଇଂରାଜୀ ଦୈନିକର ବାର୍ଷିକ ଉତ୍ସବରେ ଯୋଗଦେଇ ପୁରୀ କହିଲେ ଯେ, ଆଧୁନିକ ସ୍ବାଧୀନ ଭାରତ ପାଇଁ ଏକ ପ୍ରଶସ୍ତ ପ୍ରାଶାସନିକ ଢାଞ୍ଚାର ଆବଶ୍ୟକତା ଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୨୦୨୦ରେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ନୂତନ ସଂସଦ ଭବନରେ ୬୪,୫୦୦ ବର୍ଗମିଟର ସ୍ଥାନ ଉପଲବ୍ଧ ହେବ। ୨୦୨୨ ଶୀତ ଅଧିବେଶନ ପାଇଁ ଏହା ପ୍ରସ୍ତୁତ ହୋଇଯାଇଥିବ। ମନ୍ତ୍ରୀ କହିଲେ ଯେ, ସେଣ୍ଟ୍ରାଲ ଭିଷ୍ଟା ପ୍ରେଜେକ୍ଟ ନେଇ କିଏ କେତେ ପ୍ରକାର ମନଗଢ଼ା କଥା କହୁଛନ୍ତି। କିନ୍ତୁ ଯେଉଁସବୁ ଭବନର ନାମ ଏହି ପ୍ରକଳ୍ପରେ ଅନ୍ତର୍ଭୁକ୍ତ କରାଯାଇଛି, ତାହାର ଅବଧାରଣା ଆଜିକାର ନୁହେଁ, ୧୯୧୦ ମସିହାର। ବର୍ତ୍ତମାନ ଯେଉଁ ପାର୍ଲାମେଣ୍ଟ ଭବନ ଅଛି ତାହା ସେହି ଉଦ୍ଦେଶ୍ୟରେ ତିଆରି ହୋଇ ନ ଥିଲା। ଉପନିବେଶୀୟ ଶକ୍ତିଙ୍କର ଏକ କାଉନସିଲ ହାଉସ୍ ଭାବେ ଏହାକୁ ଡିଜାଇନ କରାଯାଇଥିଲା। ତେଣୁ ଆଧୁନିକ ସ୍ବାଧୀନ ଭାରତ ପାଇଁ ଏକ ଉନ୍ନତ ମାନର ଓ ପ୍ରଶସ୍ତ ସଂସଦ ଭବନର ଆବଶ୍ୟକତା ପୂରଣ କରିବା ଲାଗି ପ୍ରଧାନମନ୍ତ୍ରୀ ମୋଦୀ ନିଷ୍ପତ୍ତି ନେଇଛନ୍ତି ବୋଲି ମନ୍ତ୍ରୀ ପୁରୀ କହିଥିଲେ।

ପୁରୁଣା ସଂସଦ ଭବନର ଅବଧାରଣା ୧୯୧୩ରେ ହୋଇଥିଲା। ୧୯୨୧ ଫେବ୍ରୁଆରି ୧୨ରେ କାମ ଆରମ୍ଭ ହୋଇଥିଲା ଏବଂ ୧୯୨୭ ଜାନୁଆରି ୧୮ରେ ଭାଇସରୟ ଏଡ୍‌ୱାର୍ଡ ଫ୍ରେଡ୍ରିକ୍ ଲିଣ୍ଡେ ଉଡ୍ (ଲର୍ଡ ଇର୍‌ୱିନ) ଏହାକୁ ଇମ୍ପେରିଆଲ ଲେଜିସ୍‌ଲେଟିଭ୍ କାଉନସିଲ ଭାବେ ଉଦ୍‌ଘାଟନ କରିଥିଲେ। ବର୍ତ୍ତମାନ ଏହାକୁ ଆମେ ସଂସଦ ଭବନ ଭାବେ ବ୍ୟବହାର କରୁଛୁ। ସବୁ ସାଂସଦ ଏକାଠି ବସିବା ପାଇଁ ଏଥିରେ ଯଥେଷ୍ଟ ସ୍ଥାନ ନାହିଁ। ସ୍ବାଧୀନତା ପରଠାରୁ ସାଂସଦଙ୍କ ସଂଖ୍ୟା ବି ବଢ଼ୁଛି। ଦୁଇଜଣ ବସିବା ଜାଗାରେ ବାଧ୍ୟ ହୋଇ ପାଞ୍ଚଜଣ ବସିବା ଲାଗି ବ୍ୟବସ୍ଥା କରାଯାଉଛି। ଦିଲ୍ଲୀ ୪ ନମ୍ବର ଭୂକମ୍ପପ୍ରବଣ ଅଞ୍ଚଳ ଭିତରେ ଯାଉଥିବାରୁ ଏହି ପୁରୁଣା ଭବନ ଆଦୌ ନିରାପଦ ନୁହେଁ ବୋଲି ପୁରୀ କହିଥିଲେ।

ସମ୍ବନ୍ଧିତ ଖବର