ବିମାନରେ ମଶା ଅଛନ୍ତି ବୋଲି ଅଭିଯୋଗ କରି ତଡା ଖାଇଲେ ଡାକ୍ତର

ଲକ୍ଷ୍ନୌ: ବିମାନରେ ମଶା ଅଛି ବୋଲି ଅଭିଯୋଗ କରି ଜନୈକ ଯାତ୍ରୀ ବିମାନରୁ ତଡା ଖାଇଛନ୍ତି । ମଙ୍ଗଳବାର ସକାଳେ ଲକ୍ଷ୍ନୌରୁ ବେଙ୍ଗାଲୁରୁ ଯାଉଥିବା ଏକ ଇଣ୍ଡିଗୋ ବିମାନରେ ଡା.ସୌରଭ ରାୟ ନାମକ ଜଣେ ଯାତ୍ରୀ ସ୍ଥାନ ଗ୍ରହଣ କରିବା ପରେ ବିମାନରେ ମଶା ଅଛି ବୋଲି କର୍ମଚାରୀମାନଙ୍କୁ ଅଭିଯୋଗ କରିଥିଲେ । ଏହାପରେ ସେ କର୍ମଚାରୀଙ୍କୁ ଗାଳିଗୁଲଜ କରିଥିଲେ ବୋଲି ଜଣାପଡ଼ିଛି । ଏହି ଘଟଣାରେ ଇଣ୍ଡିଗୋ ପକ୍ଷରୁ ଏକ ବିବୃତି ଜାରି କରାଯାଇ କୁହାଯାଇଛି କି ଯାତ୍ରୀଙ୍କୁ ତାଙ୍କର ଦୁର୍ବବ୍ୟବହାର ଲାଗି ବିମାନରୁ ଓହ୍ଲାଇ ଦିଆଯାଇଛି । ଯାତ୍ରୀଙ୍କ ଅଭିଯୋଗ ଶୁଣି ବିମାନ କର୍ମଚାରୀ ସେ ଦିଗରେ ପଦକ୍ଷେପ ଗ୍ରହଣ କରିବା ପୂର୍ବରୁ ସେ ପୁଣି ଉନ୍ମତ୍ତ ବ୍ୟବହାର ପ୍ରଦର୍ଶନ କରିଥିଲେ।

ଇଣ୍ଡିଗୋ ପକ୍ଷରୁ ଦର୍ଶାଯାଇଛି କି ବିମାନର ଦ୍ୱାର ବନ୍ଦ ହେବା ପରେ ବେଙ୍ଗାଲୁରୁ ଯାଉଥିବା ଯାତ୍ରୀ ଜଣକ କର୍ମଚାରୀଙ୍କୁ ଗାଳିଗୁଲଜ କରିବା ସହ ଅନ୍ୟଯାତ୍ରୀଙ୍କୁ ବିମାନ ଭଙ୍ଗାରୁଜା କରିବା ଲାଗି ଉସ୍‌କାଇଥିଲେ । ଏହି ସମୟରେ ସେ ‘ହାଇଜ୍ୟାକ’ ଶଦ୍ଦଟି ବ୍ୟବହାର କରିଥିଲେ । ପ୍ରୋଟୋକଲ୍‌ ଅନୁଯାୟୀ ବିମାନ ଉଡାଣ ସମୟରେ ‘ହାଇଜ୍ୟାକ’ ଶଦ୍ଦର ବ୍ୟବହାର ବେଶ୍‌ ଗୁରୁତ୍ୱ ବହନ କରେ । କର୍ମଚାରୀମାନେ ଏ ନେଇ ପାଇଲଟଙ୍କୁ ଅବଗତ କରିଥିଲେ । ଏହାପରେ ପାଇଲଟ୍‌ ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇ ଦେବା ଲାଗି ନିଷ୍ପତ୍ତି ନେଇଥିଲେ।

Newsmobile

ଅନ୍ୟପକ୍ଷରେ ବେଙ୍ଗାଲୁରୁର ଏହି ଡାକ୍ତର ଯାତ୍ରୀ ଜଣକ କହିଛନ୍ତି କି ଇଣ୍ଡିଗୋ କର୍ମଚାରୀମାନେ ତାଙ୍କୁ ଠେଲାପେଲା କରିଥିଲେ । ଯାତ୍ରୀଙ୍କ ଅନୁସାରେ ବିମାନଟି ମଶାରେ ଭରପୂର ଥିଲା । ସେ ଯେତେବେଳେ ଏକଥା ଉଠାଇଲେ, ତାଙ୍କୁ ବିମାନ କର୍ମଚାରୀମାନେ ଗାଳିଗୁଲଜ କରିବା ସହ ମାରଧର କରି ଓହ୍ଲାଇ ଦେଇଥିଲେ ।

ସମ୍ବନ୍ଧିତ ଖବର