କରୋନାଭାଇରସ୍ ଲକ୍ଷଣ ଯୋଗୁଁ ଯାତ୍ରା ଅନୁମତି ମିଳୁ ନ ଥିବା ଯାତ୍ରୀଙ୍କୁ ପୂରା ଟଙ୍କା ଫେରସ୍ତ କରାଯିବ: ଭାରତୀୟ ରେଳବାଇ

ନୂଆଦିଲ୍ଲୀ: କରୋନାଭାଇରସ୍ ଲକ୍ଷଣ ଯୋଗୁଁ ରେଳଯାତ୍ରା ପାଇଁ ଅନୁମତି ପାଉ ନ ଥିବା ଯାତ୍ରୀଙ୍କୁ ଟିକେଟ ବାବଦ ପୂରା ଟଙ୍କା ଫେରସ୍ତ ଦିଆଯିବ ବୋଲି ଭାରତୀୟ ରେଳବାଇ ଘୋଷଣା କରିଛି।

ଗୃହ ବ୍ୟାପାର ମନ୍ତ୍ରାଳୟ ଜାରି କରିଥିବା ମାର୍ଗଦର୍ଶିକା ଅନୁସାରେ ଯାତ୍ରୀମାନଙ୍କୁ ବାଧ୍ୟତାମୂଳକ ଭାବେ ସ୍କ୍ରିନିଙ୍ଗ୍ କରାଯିବ ଏବଂ କେବଳ ଲକ୍ଷଣ ନ ଥିବା ଯାତ୍ରୀମାନଙ୍କୁ ଟ୍ରେନ୍ ଚଢ଼ିବାକୁ ଅନୁମତି ମିଳିବ।

ଯାତ୍ରୀଙ୍କ ଶରୀରରେ ଅଧକ ଉତ୍ତାପ ଥିଲେ କିଂବା କୋଭିଡ୍-୧୯ ଲକ୍ଷଣ ଥିବା କଥା ସ୍କ୍ରିନିଙ୍ଗ୍ ସମୟରେ ଜଣାପଡ଼ିଲେ ତାଙ୍କୁ ଯାତ୍ରା ନିମନ୍ତେ ଅନୁମତି ମିଳିବ ନାହିଁ। ତାଙ୍କ ପାଖରେ କନ୍‌ଫର୍ମ ଟିକେଟ୍ ଥିଲେ ବି କିଛି ଯାଏଆସେ ନାହିଁ। ଏଭଳି କ୍ଷେତ୍ରରେ ସମ୍ପୃକ୍ତ ଯାତ୍ରୀଙ୍କୁ ଟିକେଟ୍ ମୂଲ୍ୟ ସମ୍ପୂର୍ଣ୍ଣ ଫେରସ୍ତ ଦିଆଯିବ।

Image Source: Zee News

ଯଦି ଗୋଟିଏ ଗ୍ରୁପ୍ ଟିକେଟ୍‌ରେ କୌଣସି ଜଣେ ଯାତ୍ରୀ ରେଳଯାତ୍ରା ପାଇଁ ଅଯୋଗ୍ୟ ବିବେଚିତ ‌ହୁଅନ୍ତି ତେବେ ସେହି ‘ପାସେଞ୍ଜର ନେମ୍ ରେକର୍ଡ’ରେ ଥିବା ଅନ୍ୟ ସମସ୍ତ ଯାତ୍ରୀଙ୍କୁ ମଧ୍ୟ ଟ୍ରେନ୍ ଯାତ୍ରା ପାଇଁ ଅନୁମତି ମିଳିବ ନାହିଁ। ସେ ‌କ୍ଷେତ୍ରରେ ମଧ୍ୟ ସମସ୍ତ ଯାତ୍ରୀଙ୍କୁ ଟିକେଟ ଅର୍ଥ ଫେରସ୍ତ ଦିଆଯିବ।

ରେଳବାଇ ମୁଖପାତ୍ର ଆର୍‌ଡି ବାଜପେୟୀ କହିଛନ୍ତି, ମେ ୧୩ ତାରିଖ ଠାରୁ ‘ଆଇଆର୍‌ସିଟିସି’ ଟିକେଟ୍ ବୁକିଙ୍ଗ୍ କରୁଥିବା ସମସ୍ତ ଯାତ୍ରୀଙ୍କ ଗନ୍ତବ୍ୟସ୍ଥଳର ଠିକଣା ରଖୁଛି। ପରେ ଆବଶ୍ୟକ ହେଲେ ଏହା କଣ୍ଟାକ୍ଟ୍ ଟ୍ରେସିଙ୍ଗ୍‌ରେ ସହାୟକ ହେବ। ନିକଟ ଭବିଷ୍ୟତରେ ଏହି ବ୍ୟବସ୍ଥାକୁ ସ୍ଥାୟୀ ବୈଶିଷ୍ଟ୍ୟ କରାଯିବ।

ଏହାଛଡ଼ା ଶେଷ ମୁହୂର୍ତ୍ତରେ କ‌େତେକ ଯାତ୍ରୀ ଟିକେଟ୍ ବାତିଲ କରୁଥିବାରୁ ଆସନ୍ତାକାଲି ଠାରୁ ରେଳବାଇ ୱେଟିଙ୍ଗ୍ ଲିଷ୍ଟ୍‌ ପାଇଁ ଟିକେଟ୍ ବୁକ୍ କରିବା ଆରମ୍ଭ କରିବ। ମେ ୨୨ ତାରିଖ ଠାରୁ ୱେଟିଙ୍ଗ୍ ଲିଷ୍ଟ୍‌ ବ୍ୟବସ୍ଥାରେ ଯାତ୍ରା ଆରମ୍ଭ ହେବ। କିନ୍ତୁ, କେବଳ କନ୍‌ଫର୍ମ ଷ୍ଟାଟସ୍ ମିଳିବା ପରେ ଯାଇ କୌଣସି ୱେଟିଙ୍ଗ୍‌ ଲିଷ୍ଟ୍ ଯାତ୍ରୀଙ୍କୁ ଯାତ୍ରା ନିମନ୍ତେ ଅନୁମତି ମିଳିବ।

 

ସମ୍ବନ୍ଧିତ ଖବର