ବିବାଦରେ ପତଞ୍ଜଳିର ‘କରୋନିଲ୍’ ବଟିକା, ବିଜ୍ଞାପନ ବନ୍ଦ କରିବାକୁ କହିଲା ଆୟୁଷ ମନ୍ତ୍ରଣାଳୟା

ଡେରାଡୁନ୍: ଯୋଗଗୁରୁ ବାବା ରାମଦେବଙ୍କ ଦ୍ବାରା ସ୍ଥାପିତ ହରିଦ୍ବାର ସ୍ଥିତ ପତଞ୍ଜଳି ଯୋଗପୀଠ ଦ୍ବାରା ମହାମାରୀ କୋଭିଡ୍-୧୯ର ଉପଶମ ଲାଗି ମଙ୍ଗଳବାର ଏକପ୍ରକାର ଆୟୁର୍ବେଦୀୟ ଔଷଧର ବଜାର ପ୍ରବେଶ କରାଯାଇଛି। ପତଞ୍ଜଳି ଗବେଷଣା କେନ୍ଦ୍ର ଓ ନିଜାମ୍ ଭେଷଜ ବିଜ୍ଞାନ ପ୍ରତିଷ୍ଠାନର ମିଳିତ ଉଦ୍ୟମରେ ବିକଶିତ ଏହି ‘କରୋନିଲ୍ ଓ ସ୍ବସାରି’ ନାମକ ମିଶ୍ର ଜଡ଼ିବୁଟି ଔଷଧ କୌଣସି ରୋଗପ୍ରତିରୋଧ ବର୍ଦ୍ଧକ ନୁହେଁ, ବରଂ ଏହା କୋଭିଡ୍‌ରୁ ସଂପୂର୍ଣ୍ଣ ଆରୋଗ୍ୟ କରାଇଦେବ ବୋଲି ରାମଦେବ ଦାବି କରିଛନ୍ତି।

ମାତ୍ର ୫୪୫ ଟଙ୍କାରେ ଉପଲବ୍ଧ ଏହି ଔଷଧ କିଟ୍‌କୁ ୩୦ ଦିନ ଯାଏ ବ୍ୟବହାର କରିବାର ବିଧି ରହିଛି। ଏହାର ନୈଦାଦିକ ପରୀକ୍ଷଣ ଶହେ ପ୍ରତିଶତ ସଫଳ ହୋଇଥିବା ବେଳେ ମାତ୍ର ୭ ଦିନ ଭିତରେ ଏହା ଜଣେ କରୋନା ସଂକ୍ରମିତକୁ ସଂପୂର୍ଣ୍ଣ ସୁସ୍ଥ କରିଦେଉଛି ବୋଲି ସେ ସୂଚନା ଦେଇଛନ୍ତି। ଅଭିନବ କରୋନାଭୂତାଣୁ ସାର୍ସ-କୋଭ୍-୨ ପାଇଁ ସାରା ବିଶ୍ବ ଯୁଝି ହେଉଥିବା ବେଳେ ତାଙ୍କ ଦ୍ବାରା ଏଭଳି ଆୟୁର୍ବେଦୀୟ ଔଷଧ ଉପଲବ୍ଧ କରାଇବା ଗର୍ବର ବିଷୟ ବୋଲି କହିଛନ୍ତି। ଅପରପକ୍ଷେ, ରାମଦେବଙ୍କ ଏପରି ଦାବିକୁ ଆୟୁଷ ମନ୍ତ୍ରଣାଳୟ ଅଗ୍ରାହ୍ୟ କରିବା ସହ ସରକାରୀ ସ୍ତରରେ ଏପରି ସଫଳତାର ପ୍ରମାଣ ନମିଳିବା ଯାଏ ସେ ସଂକ୍ରାନ୍ତ ବିଜ୍ଞାପନ ବନ୍ଦ ରଖିବାକୁ ପତଞ୍ଜଳି ସଂସ୍ଥାକୁ ତାଗିଦ କରିଛି। ରାମଦେବଙ୍କ ସୂଚନା ମୁତାବକ, ଏହି ଔଷଧର ପ୍ରଥମ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ଦିଲ୍ଲୀ ଏବଂ ଅହମଦାବାଦ ପରି ସହରରେ ଅନୁଷ୍ଠିତ ହୋଇଥିବା ବେଳେ ସେଥିରେ ୨୮୦ ଜଣ ରୋଗୀ ସମ୍ପୂର୍ଣ୍ଣ ଆରୋଗ୍ୟ ହୋଇଥିଲେ।

ସମ୍ବନ୍ଧିତ ଖବର