ସମ୍ବିଧାନର ଧାରା ୩୫(ଏ)କୁ ରଦ୍ଦ କରାଗଲେ କାଶ୍ମୀରରେ ଭୟାବହ ପରିସ୍ଥିତି ସୃଷ୍ଟି ହେବ ବୋଲି କେନ୍ଦ୍ର ସରକାରଙ୍କୁ ଖୋଲାଖୋଲି ଚେତାବନୀ ଦେଲେ ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁପ୍ତି

ନୂଆଦିଲ୍ଲୀ : ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁପ୍ତି କେନ୍ଦ୍ର ସରକାରଙ୍କୁ ଖୁଲମଖୁଲା ଚେତାବନୀ ଦେଇଛନ୍ତି । ସେ କହିଛନ୍ତି କାଶ୍ମୀର ଲୋକଙ୍କୁ ସ୍ୱତନ୍ତ୍ର ଅଧିକାର ପ୍ରଦାନ କରୁଥିବା ସମ୍ବିଧାନର ଧାରା ୩୫(ଏ)କୁ ଯଦି ରଦ୍ଦ କରାଯାଏ କିମ୍ବା କୌଣସି ପ୍ରକାର ପରିବର୍ତ୍ତନ କରାଯାଏ ତେବେ କିଛି ଏପରି ଘଟଣା ଘଟିବ ଯାହା ୧୯୪୭ ପରଠାରୁ ଆଜି ଯାଏ ହୋଇନାହିଁ । ଯଦି ୩୫(ଏ)କୁ ସରକାର ରଦ୍ଦ କରନ୍ତି ତେବେ କାଶ୍ମୀରର ଲୋକ ବାଧ୍ୟ ହୋଇ ତ୍ରୀରଙ୍ଗା ପତାକା ସ୍ଥାନରେ ଅନ୍ୟ କେଉଁ ପତାକା ଧରିବେ ବୋଲି ସିଧାସଳଖ କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଇଛନ୍ତି ମେହେବୁବା ।

ସୂଚନା ଅନୁଯାୟୀ, ଜମ୍ମୁ କାଶ୍ମୀରର ନାଗରିକଙ୍କୁ ସ୍ୱତନ୍ତ୍ର ଅଧିକାର ପ୍ରଦାନ କରୁଥିବା ସମ୍ବିଧାନର ଧାରା ୩୫(ଏ) ନେଇ ଏବେ ବ୍ୟାପକ ଅନିଶ୍ଚିତତା ଦେଖାଦେଇଛି । କେନ୍ଦ୍ର ସରକାର ଏହି ଆଇନକୁ ରଦ୍ଧ କରିବା ପାଇଁ ଏକ ଅଧ୍ୟାଦେଶ ଜାରି କରିପାରନ୍ତି ବୋଲି କୁହାଯାଉଛି । ଯାହାକୁ ନେଇ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁପ୍ତି କେନ୍ଦ୍ରମନ୍ତ୍ରୀଙ୍କୁ ଚେତାବନୀ ଦେଇଛନ୍ତି ।

ଗତ କିଛିଦିନ ଭିତରେ କାଶ୍ମୀର ଘାଟିରେ ଘଟୁଥିବା ଘଟଣାକୁ ନେଇ ସେଠାରେ ଅନେକ ଆଶଙ୍କା ପ୍ରକାଶ ପାଉଛି । ପ୍ରଥମତଃ ସରକାର ରାତି ଅଧିଆ ଚଢାଉ କରି ହୁରିଆତ ଓ ଜମାତ ଇ ଇସଲାମୀର ୧୫୦ରୁ ଅଧିକ ନେତାଙ୍କୁ ଅଟକ ରଖିଛନ୍ତି । ଦ୍ୱିତୀୟରେ କାଶ୍ମୀର ଉପତ୍ୟାକାକୁ ୧୦ହଜାରରୁ ଅଧିକ ସୈନ୍ୟ ପଠାଇଛନ୍ତି । ଯାହାକୁ ନେଇ କାଶ୍ମୀରରେ ଏକ ଭୟାବହ ପରିସ୍ଥିତି ସୃଷ୍ଟି ହୋଇଛି । ଏଥି ମଧ୍ୟରେ କେନ୍ଦ୍ର ସରକାର ୩୫(ଏ)କୁ ରଦ୍ଦ କରିପାରନ୍ତି ବୋଲି ସୂଚନା ମିଳିବା ପରେ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁପ୍ତି କେନ୍ଦ୍ର ସରକାରଙ୍କୁ ଖୋଲାଖୋଲି ଚ୍ୟାଲେଞ୍ଜ କରିଛନ୍ତି ।

ସମ୍ବନ୍ଧିତ ଖବର