ପିଡିପି ସାଂସଦ ସମ୍ବିଧାନ ଫାଡ଼ିଲେ, ପୋଷାକ ଚିରିଲେ

ରାଜ୍ୟସଭାରେ ଆଜି ଧାରା ୩୭୦ ଉଚ୍ଛେଦ ପ୍ରସ୍ତାବକୁ ବିରୋଧ କରି ପିଡିପି ସାଂସଦ ମୀର ଫୟାଜ୍ ଏବଂ ନଜିର ଅହମ୍ମଦ ସମ୍ବିଧାନର ଅପମାନ କରିଛନ୍ତି। ଏହି ଦୁଇ ସାଂସଦ ସମ୍ବିଧାନ ପୁସ୍ତକକୁ ଫାଡ଼ି ଦେଇଥିଲେ ଏବଂ ନିଜ ପୋଷାକ ଚିରି ପ୍ରତିବାଦ କରିଥିଲେ। ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡ଼ୁ ଉଭୟ ସାଂସଦଙ୍କୁ ତତ୍କାଳ ଗୃହରୁ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ। ସମ୍ବିଧାନ ହିଁ ସର୍ବୋଚ୍ଚ ଏବଂ ଏହାର କପିକୁ କେହି ଚିରିବା ଅଧିକାର ନାହିଁ ବୋଲି ନାଇଡ଼ୁ କହିଥିଲେ।

ନୂଆ ବ୍ୟବସ୍ଥା ଅନୁଯାୟୀ ଜମ୍ମୁ-କଶ୍ମୀରରେ ଦିଲ୍ଲୀ ଏବଂ ପୁଡ଼ୁଚେରୀ ଭଳି ବିଧାନସଭା ରହିବ, କିନ୍ତୁ ଲଦାଖ୍‌ ବିଧାନସଭା ବିହୀନ କେନ୍ଦ୍ର ଶାସିତ ଅଂଚଳ ହେବ। ରାଜ୍ୟସଭାରେ ଆଜି ଗୃହକାର୍ଯ୍ୟ ଆରମ୍ଭ ହେବାମାତ୍ରେ ଅମିତ ଶାହ ଧାରା ୩୭୦କୁ ହଟାଇବା ପାଇଁ ପ୍ରସ୍ତାବ ଆଗତ କରିଥିଲେ। ଶାହ ପ୍ରସ୍ତାବ ରଖିବା ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଧାରା ୩୭୦କୁ ହଟାଇବା ପାଇଁ ସମ୍ବିଧାନ ଆଦେଶ (ଜମ୍ମୁ-କଶ୍ମୀର ପୁନର୍ଗଠନ)-୨୦୧୯କୁ ମଂଜୁରି ଦେଇ ଏ ବାବଦ ଅଧିସୂଚନା ଜାରି କରିଥିଲେ। ଶାହ ଆଗତ କରିଥିବା ପ୍ରସ୍ତାବରେ ଉଲ୍ଲେଖ ଥିଲା- ‘ ଧାରା ୩୭୦ ଏବଂ ଏହା ସଂଲଗ୍ନ ସମସ୍ତ ଉପଧାରାକୁ ଅଚଳ କରିଦେବା ପାଇଁ ସଂସଦର ଅନୁମୋଦନକୁ ରାଷ୍ଟ୍ରପତି ଗ୍ରହଣ କରିଛନ୍ତି। ରାଷ୍ଟ୍ରପତିଙ୍କ ଏ ବାବଦ ଆଦେଶକୁ ଜମ୍ମୁ-କଶ୍ମୀର ସମ୍ବିଧାନ ଆଦେଶ-୨୦୧୯ ଭାବେ ଗ୍ରହଣ କରାଯିବ ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର