ପାକିସ୍ତାନ ବ୍ୟତିବ୍ୟସ୍ତ: ଜାତିସଂଘରେ ଭାରତ ବିରୋଧରେ ଆବେଦନ କରିବ

ଇସ୍‌ଲାମାବାଦ : ଜମ୍ମୁ କଶ୍ମୀରକୁ ସ୍ବତନ୍ତ୍ର ଅଧିକାର ପ୍ରଦାନ କରୁଥିବା ଧାରା ୩୭୦କୁ ଭାରତ ସରକାର ଉଚ୍ଛେଦ କରିଥିବାରୁ ପାକିସ୍ତାନ ଏହାର ଜୋର୍‌ଦାର ପ୍ରତିବାଦ କରିଛି। କଶ୍ମୀରରେ ଏହା ଭିନ୍ନ ସ୍ଥିତି ସୃଷ୍ଟି କରିବ ଏବଂ ଏହା ମାନବାଧିକାର ଉଲ୍ଲଂଘନ ବୋଲି ଦର୍ଶାଇ ଭାରତ ସରକାରଙ୍କ ବିରୋଧରେ ପାକିସ୍ତାନ ଜାତିସଂଘର ଦ୍ବାରସ୍ଥ ହେବାକୁ ଘୋଷଣା କରିଛି। ଭାରତର ପଦକ୍ଷେପକୁ ବେଆଇନ ଏବଂ ଏକପାଖିଆ ବୋଲି ପାକିସ୍ତାନ ବିଦେଶ ମନ୍ତ୍ରାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି । ଭାରତର ନିଷ୍ପତ୍ତିକୁ ବିରୋଧ କରିବା ପାଇଁ ପାକିସ୍ତାନ ସବୁ ବିକଳ୍ପ ସଂପର୍କରେ ଚିନ୍ତା କରିବ ବୋଲି ଏହି ବିବୃତିରେ କୁହାଯାଇଛି । ପାକ୍‌ ବିଦେଶ ମନ୍ତ୍ରୀ ଶାହ ମହମ୍ମଦ କୁରେସି କହିଛନ୍ତି ଯେ ଇସ୍‌ଲାମିକ ସହଯୋଗ ସଂଗଠନର ସହାୟତା ମଧ୍ୟ ଏ ବାବଦରେ ଲୋଡ଼ାଯିବ। କଶ୍ମୀରରେ ଏବେ ପରିସ୍ଥିତି ଅତ୍ୟନ୍ତ ବିପଜ୍ଜନକ ହୋଇଉଠିଛି ବୋଲି କୁରେସି କହିଛନ୍ତି। ଜମ୍ମୁ କଶ୍ମୀରକୁ ନେଇ ଭାରତ ସରକାରଙ୍କ ପଦକ୍ଷେପ ଅନେକ ଅନର୍ଥ ଘଟାଇ ଦେବ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ମଧ୍ୟ କହିଛନ୍ତି। ଏ ବାବଦରେ ଜାତିସଂଘ ଏବଂ ଆମେରିକାର ହସ୍ତକ୍ଷେପ ଜରୁରୀ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର