ଏଲ୍‌ଓସିରୁ ଜବତ ହେଲା ‘ପିଆଇଏ’ ଲେଖାଥିବା ବିମାନ ଆକୃତିର ବେଲୁନ୍‌: ସୀମାନ୍ତରେ ହାଇ ଆଲର୍ଟ ଜାରି

ଶ୍ରୀନଗର: ଭାରତ- ପାକ୍‌ ସୀମାନ୍ତର ଏଲ୍‌ଓସି (ଲାଇନ୍‌ ଅଫ୍‌ କଣ୍ଟ୍ରୋଲ୍‌)ରୁ ପିଆଇଏ (ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍‌ସ) ଲେଖାଥିବା ଏକ ବେଲୁନ୍‌କୁ ଜବତ କରାଯିବା ପରେ ସମଗ୍ର ଏଲ୍‌ଓସିରେ ହାଇ ଆଲର୍ଟ ଜାରି କରାଯାଇଛି।

ହସ୍ତଗତ ହୋଇଥିବା ରିପୋର୍ଟରୁ ପ୍ରକାଶ ମଙ୍ଗଳବାର ସନ୍ଧ୍ୟାରେ ଜମ୍ମୁ- କଶ୍ମୀରର କାଠୁଆ ଥାନା ଅନ୍ତର୍ଗତ ହୀରାନଗର ସେକ୍ଟରରୁ ‘ପିଆଇଏ’  ଲେଖାଥିବା ବିମାନ ଆକୃତିର ଏହି ବେଲୁନ୍‌କୁ ଜବତ କରାଯାଇଛି। ହୀରାନଗର ଅନ୍ତର୍ଗତ ସାତ୍ରାଛକ ଗ୍ରାମରେ ଏହି ବେଲୁନ୍‌କୁ ଠାବ କରାଯାଇଥିଲା। ଗ୍ରାମ ଉପକଣ୍ଠରେ ପଡ଼ିଥିବା ବିମାନ ଆକୃତିର ଏହି ବେଲୁନ୍‌ ଉପରେ ‘ପିଆଇଏ’ ଲେଖାଥିବା ଦେଖିବା ପରେ ଗ୍ରାମବାସୀମାନେ କାଠୁଆ ଥାନାରେ ଖବର ଦେଇଥିଲେ। ପରେ କାଠୁଆ ଥାନା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଏହି ବେଲୁନ୍‌କୁ ଜବତ କରିବା ସହ ଏବେ ଏ ସଂପର୍କରେ ତଦନ୍ତ ଆରମ୍ଭ କରିଥିବା ଜମ୍ମୁ- କଶ୍ମୀର ପୁଲିସ୍‌ ପ୍ରଶାସନ ପକ୍ଷରୁ କୁହାଯାଇଛି।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଗତ ମାସରେ ସୀମାନ୍ତର ନିୟନ୍ତ୍ରଣ ରେଖା (ଏଲ୍‌ଓସି)ରେ ଅସ୍ତ୍ରବିରତିକୁ କଡ଼ାକଡ଼ି ଭାବେ ପାଳନ କରାଯିବ ବୋଲି ଉଭୟ ଦେଶର ସେନା କାର୍ଯ୍ୟାନୁଷ୍ଠାନ ମୁଖ୍ୟ (ଡିଜିଏମ୍‌ଓ)ଙ୍କ ପକ୍ଷରୁ ମିଳିତ ଭାବେ ଘୋଷଣା କରାଯାଇଥିଲା। ଏହାପରେ ଗତ କିଛିଦିନ ଧରି ସୀମାନ୍ତରେ ଆଉ ଗୁଳିଗୋଳା ଶବ୍ଦ ଶୁଣିବା ପାଇଁ ମିଳି ନ ଥିଲା। କିନ୍ତୁ, ଗତ ସନ୍ଧ୍ୟାରେ ସୀମାନ୍ତର ହୀରାନଗର ସେକ୍ଟରରୁ ‘ପିଆଇଏ’  ଲେଖାଥିବା ବିମାନ ଆକୃତିର ଏହି ବେଲନ୍‌କୁ ଜବତ କରାଯିବାର  କିଛି ଘଣ୍ଟାପରେ ପାକିସ୍ତାନ ସେନା ପକ୍ଷରୁ ଅତର୍କିିତ ଭାବେ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇ ଭାରତୀୟ ସୀମାନ୍ତ ପୋଷ୍ଟ ଉପରକୁ ବ୍ୟାପକ ଗୁଳିଗୋଳା ବର୍ଷଣ ଆରମ୍ଭ ହୋଇ ଯାଇଥିଲା।

ସମ୍ବନ୍ଧିତ ଖବର