ଗ୍ରୀଷ୍ମରେ ଆନ୍ଦୋଳନ ଚାଲୁ ରଖିବାକୁ ଯୋଜନା: ଦିଲ୍ଲୀ ସୀମାରେ ଆନ୍ଦୋଳନକାରୀଙ୍କ ପକ୍କା ଘର

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଗତବର୍ଷ ନଭେମ୍ବର ମାସରୁ ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଥିବା ଆନ୍ଦୋଳନକାରୀ ଚାଷୀମାନେ ଏବେ ଗ୍ରୀଷ୍ମ ପ୍ରଭାବରୁ ମୁକୁଳିବା ପାଇଁ ଦିଲ୍ଲୀ ସୀମାରେ ପକ୍କା ଘର ତୋଳିବା ଆରମ୍ଭ କରିଛନ୍ତି। ବିଗତ ଦିନରେ ଖୋଲାମେଲା ଆକାଶ ତଳେ ପଡ଼ି ରହି ଶୀତ କାକରରେ ଆନ୍ଦୋଳନକୁ ଉଜ୍ଜୀବିତ ରଖିଥିବା ଏହି ଚାଷୀମାନେ ଏବେ ପ୍ରଚଣ୍ଡ ରୌଦ୍ରତାପକୁ ଭ୍ରୂକ୍ଷେପ ନକରି ଆନ୍ଦୋଳନକୁ ଆହୁରି ଦୀର୍ଘଦିନ ଯାଏ ଚାଲୁ ରଖିବାକୁ ଲକ୍ଷ୍ୟ ରଖିଛନ୍ତି। ଏହି ଉଦ୍ଦେଶ୍ୟରେ ଦିଲ୍ଲୀ ନିକଟ ହରିଆଣାର ଟିକ୍ରି ସୀମା ସମେତ ସିଂଘୁ ସୀମାରେ ସେମାନେ ନିଜେ ଶ୍ରମଦାନ କରି ଇଟା କାନ୍ଥ ବସାଇ ପକ୍କା ଘର ତୋଳିବା ଆରମ୍ଭ କରିଛନ୍ତି। ଅବଶ୍ୟ ଏଥି ପାଇଁ କେବଳ ସର୍ବନିମ୍ନ ନିର୍ମାଣ ସାମଗ୍ରୀ କିଣା ବାବଦକୁ ସେମାନଙ୍କୁ ଘର ପିଛା ୨୦ ହଜାରରୁ ୨୫ ହଜାର ଟଙ୍କା ଯାଏ ପଡୁଥିବା ଜଣାଯାଇଛି। ୫୦ ଫୁଟ ଦୈର୍ଘ୍ୟ ଓ ୧୮ ଫୁଟ ପ୍ରସ୍ଥ ବିଶିଷ୍ଟ ଏହି ଘରଗୁଡ଼ିକର ଟିଣଛପର ହେଉଥିବା ବେଳେ ଭିତରେ ଅତି କମ୍‌ରେ ୧୫୦ ଲୋକ ଆରାମରେ ଶୋଇପାରିବା ଭଳି ବ୍ୟବସ୍ଥା ହେଉଛି।

ଲ୍ଲୀ ପାଇଁ ଗ୍ରୀଷ୍ମଋତୁ ବିଷମ ଅସହ୍ୟକାଳ ହେବା ସହ ପାଗ ହିଁ ପ୍ରମୁଖ ପ୍ରତିବନ୍ଧକ ସାଜିଥାଏ। ତେଣୁ ଏଭଳି ସ୍ଥିତିରେ ଆନ୍ଦୋଳନକାରୀମାନେ ଆଉ ଅସ୍ଥାୟୀ ତମ୍ବୁ ଭିତରେ ରହିବାକୁ ସୁରକ୍ଷିତ ନମଣି ଏପରି ନିର୍ମାଣ ଚଳାଇଥିବା ଜଣାଯାଇଛି। ଅପରପକ୍ଷେ, ଆଗରୁ ଅନେକଙ୍କର ଟ୍ରାକ୍ଟର ଡାଲା ହିଁ ଆନ୍ଦୋଳନକାରୀଙ୍କ ପାଇଁ ଅସ୍ଥାୟୀ ବାସସ୍ଥାନ ପାଲଟିଥିବା ବେଳେ ଏବେ ଫସଲ ଅମଳ ଋତୁ ହୋଇଥିବାରୁ ଅନେକ ସେମାନଙ୍କର ଗାଡ଼ିଗୁଡ଼ିକୁ ନିଜ ଗାଁ ଚାଷକ୍ଷେତକୁ ପଠାଇବାକୁ ଚାହିଛନ୍ତି। ସୁତରାଂ ଏକମାତ୍ର ବିକଳ୍ପ ପକ୍କା ଘର ତଳେ ମୁଣ୍ଡ ଗୁଞ୍ଚି ଆନ୍ଦୋଳନ ଚାଲୁ ରଖିବାକୁ ଏପରି ନିର୍ମାଣ ଅବଶ୍ୟମ୍ଭାବୀ ହୋଇପଡ଼ିଛି ବୋଲି ଅନେକ ମତ ଦେଇଛନ୍ତି। ଏଠାରେ ସ୍ମରଣଯୋଗ୍ୟ, ନୂତନ କୃଷି ଆଇନ ଯୋଗୁଁ ସୃଷ୍ଟି ହୋଇଥିବା ଅଚଳାବସ୍ଥା ଦୂର ପାଇଁ କେନ୍ଦ୍ର ସରକାର ଓ ଚାଷୀଙ୍କ ମଧ୍ୟରେ ଦୀର୍ଘ ୧୦ ଥର ଆଲୋଚନା ହୋଇଥିଲେ ହେଁ ଏଯାବତ୍‌ କୌଣସି ସମାଧାନର ବାଟ ବାହାରିପାରିନାହିଁ।

ସମ୍ବନ୍ଧିତ ଖବର