ଭାରତକୁ ପୁଣି ଇମ୍ରାନଙ୍କ ଧମକ : ଏଲ୍‌ଓସିରେ ଅଧିକ ଆକ୍ରମଣ କରିବୁ

ସୀମା ସ୍ଥିତି ନେଇ ଜାତିସଂଘର ହସ୍ତକ୍ଷେପ ଲୋଡ଼ିଲେ

ଇସ୍‌ଲାମାବାଦ : ନିୟନ୍ତ୍ରଣ ରେଖା ଅଂଚଳରେ ଅଧିକ ଆକ୍ରମଣ ପାଇଁ ଆଜି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଭାରତକୁ ଧମକ ଦେଇଛନ୍ତି। ଇମ୍ରାନ୍‌ ଟ୍ବିଟ୍‌ କରି କହିଛନ୍ତି ନିୟନ୍ତ୍ରଣ ରେଖା ଅଂଚଳରେ ଭାରତ ଆକ୍ରମଣ ଜାରି ରଖିଛି ଏବଂ ପାକିସ୍ତାନ ଏହାର କଡ଼ା ଜବାବ ଦେବ। ଏଲ୍‌ଓସି ସ୍ଥିତି ନେଇ ଅନ୍ତର୍ଜାତୀୟ ସମୁଦାୟ ମଧ୍ୟ ନଜର ଦେବାକୁ ଇମ୍ରାନ କହିଛନ୍ତି। ତେବେ ପ୍ରକୃତରେ ପାକିସ୍ତାନ ହିଁ ଏଲ୍‌ଓସିରେ ଲଗାତାର ବିନା କାରଣରେ ଗୁଳିଗୋଳା ବର୍ଷା ଜାରି ରଖିବା ସହ ଭାରତର ଆଗୁଆ ପୋଷ୍ଟ ଏବଂ ସୀମାବର୍ତ୍ତୀ ଗ୍ରାମଗୁଡ଼ିକୁ ଟାର୍ଗେଟ୍‌ କରୁଛି। ପାକିସ୍ତାନ ପଟୁ ଗୁଳି ବର୍ଷାର ଭାରତ କଡ଼ା ଜବାବ ଦେଉଥିବାରୁ ଏବେ ପାକିସ୍ତାନର ଚେତା ପଶିଛି ଏବଂ ବିଚଳିତ ଇମ୍ରାନ ଭାରତକୁ ପୁଣି ଧମକ ଦେଇଛନ୍ତି।

Asianet News

ଇମ୍ରାନ କହିଛନ୍ତି ଯେ ନିୟନ୍ତ୍ରଣ ରେଖା ଅଂଚଳରେ ଭାରତ ହିଁ ଗୁଳି ବର୍ଷା କରୁଛି ଏବଂ ଏଥିରେ ଜାତିସଂଘ ତୁରନ୍ତ ହସ୍ତକ୍ଷେପ କରିବା ଆବଶ୍ୟକ। ସୂଚନାଯୋଗ୍ୟ ପାକିସ୍ତାନର ଅସ୍ତ୍ର ବିରତି ଉଲ୍ଲଂଘନର ଜବାବରେ ଭାରତ ମଧ୍ୟ ଏବେ ଭାରୀ ଯୁଦ୍ଧାସ୍ତ୍ରରେ ଜବାବ ଦେଉଛି। ଭାରତର ନୀତି କେବେ ବି ପ୍ରଥମେ ଆକ୍ରମଣ କରିବା ନଥିଲେ ମଧ୍ୟ ପାକିସ୍ତାନ ତୁହାକୁ ତୁହା ଅସ୍ତ୍ରବିରତି ଉଲ୍ଲଂଘନ କରି ଉତ୍ତେଜନା ସୃଷ୍ଟି କରୁଛି। ୨୦୧୮ରେ ପାକିସ୍ତାନ ୧୬୨୯ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଥିବା ବେଳେ ୨୦୧୯ରେ ୩୨୦୦ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା। ଜମ୍ମୁ କାଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ଦେଉଥିବା ଧାରା ୩୭୦ ଉଚ୍ଛେଦ ହେବାପରେ ପାକିସ୍ତାନ ପଟୁ ଲଗାତାର ଗୁଳିଗୋଳା ମାଡ଼ କରାଯାଉଛି । ତେବେ ଭାରତୀୟ ସେନା ମଧ୍ୟ ପାକିସ୍ତାନକୁ ସମାନ ଅସ୍ତ୍ରରେ ଜବାବ ଦେଉଥିବାରୁ ପାକିସ୍ତାନର ଚିନ୍ତା ବଢ଼ିଯାଇଛି।

ସମ୍ବନ୍ଧିତ ଖବର