ଦିଲ୍ଲୀ ମେଟ୍ରୋର ମଜେଣ୍ଟା ଲାଇନ୍‌ରେ ଆନୁଷ୍ଠାନିକ ଭାବେ ପ୍ରଥମ ଚାଳକବିହୀନ ଟ୍ରେନ୍‌ ଚଳାଚଳ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ସୋମବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆନୁଷ୍ଠାନିକ ଭାବେ ଦିଲ୍ଲୀ ମେଟ୍ରୋର ମଜେଣ୍ଟା ଲାଇନ୍‌ରେ ଦେଶର ପ୍ରଥମ ତଥା ସମ୍ପୂର୍ଣ୍ଣ-ସ୍ୱୟଂଚାଳିତ ଚାଳକବିହୀନ ରେଳ ସେବାର ଶୁଭାରମ୍ଭ କରିଛନ୍ତି।

ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଲେ, ଭାରତ କେତେ ଶୀଘ୍ର ସ୍ମାର୍ଟ ସିଷ୍ଟମ୍‌ ଆଡ଼କୁ ଅଗ୍ରସର ‌ହେଉଛି, ତାହା ଏଥିରୁ ଜଣାପଡୁଛି। ଏବେ ଦିଲ୍ଲୀ ମେଟ୍ରୋ ‘ନ୍ୟାସ୍‌ନାଲ୍‌ କମନ୍‌ ମୋବିଲିଟି କାର୍ଡ’ରେ (ଏନ୍‌ସିଏମ୍‌ସି) ସଂଯୋଗ ହୋଇଛି।

ଅଳ୍ପ କିଛି ବର୍ଷ ପୂର୍ବେ ସ୍ମାର୍ଟ ସିଷ୍ଟମ୍‌ ଉପରେ ବିଶେଷ ଧ୍ୟାନ ଦିଆଯାଉ ନ ଥିଲା। ଏଥିପ୍ରତି ଆଗ୍ରହ ନ ଥିବା କାରଣରୁ ନଗରୀକରଣ ଏବଂ ବୈଷୟିକ ବିକାଶ ମଧ୍ୟରେ ବ୍ୟାପକ ତାରତମ୍ୟ ଥିଲା। ଆମ ସରକାର ତାହାକୁ ପରିବର୍ତ୍ତନ କରିଛନ୍ତି।

Image Courtesy of DNA India

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଲେ ଯେ, ଜୀବନଯାତ୍ରା ସୁଗମ କରିବା ଉଦ୍ଦେଶ୍ୟ ପୂରଣ ନିମନ୍ତେ ନଗରୀକରଣକୁ ଏକ ସୁଯୋଗ ଭାବେ ବିଚାର କରାଯିବା ଉଚିତ।

ଦିଲ୍ଲୀ ମେଟ୍ରୋ ରେଲ୍‌ କର୍ପୋରେସନ୍‌ କହିବା ଅନୁସାରେ, ଏହି ସର୍ବାଧୁନିକ ଟ୍ରେନ୍‌ ସେବା ଆରମ୍ଭ ହେବା ସହ ବିଶ୍ୱରେ ଥିବା ୭% ଚାଳକବିହୀନ ମେଟ୍ରୋ ନେଟ୍‌ଓ୍ଵାର୍କରେ ‘ଡିଏମ୍‌ଆର୍‌ସି’ ପ୍ରବେଶ କରିଛି।

ସେହିଭଳି ‘ଏନ୍‌ସିଏମ୍‌ସି’ (ଓ୍ଵାନ୍‌ ନେସନ୍‌ ଓ୍ଵାନ୍‌ କାର୍ଡ) ଦ୍ୱାରା ବ୍ୟବହାକାରୀ ବସ୍‌ ଯାତ୍ରା ଦେୟ, ଟୋଲ୍‌ ଟିକସ, ପାର୍କିଙ୍ଗ୍‌ ଦେୟ, ଖାଉଟି ସାମଗ୍ରୀ କିଣା ବାବଦ ଖର୍ଚ୍ଚ ଏବଂ ନଗଦ ଟଙ୍କା ଉଠାଇ ପାରିବେ।

ସମ୍ବନ୍ଧିତ ଖବର