ସାବରମତୀ ଆଶ୍ରମରେ ଟ୍ରମ୍ପ୍‌ଙ୍କୁ ଗାନ୍ଧିଜୀଙ୍କ ତିନି ମାଙ୍କଡ଼ ମୂର୍ତ୍ତି ଉପହାର ଦେଲେ ପ୍ରଧାନମନ୍ତ୍ରୀ ମୋଦୀ

ଅହମ୍ମଦାବାଦ୍‌: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଭାରତ ଗସ୍ତ କାଳରେ ତାଙ୍କୁ ଗାନ୍ଧୀଜୀଙ୍କ ପ୍ରିୟ ତିନି ମାଙ୍କଡ଼ ମୂର୍ତ୍ତି ଉପହାର ଆକାରରେ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଦୁଇ ହାତରେ ମୁହଁ, ଆଖି ଓ କାନ ବନ୍ଦ କରି ‘ଖରାପ କଥା କହିବୁନି, ଖରାପ କଥା ଦେଖିବୁନି ଓ ଖରାପ କଥା ଶୁଣିବୁନି’ ଦର୍ଶାଉଥିବା ତିନି ମାଙ୍କଡ଼ ହେଉଛନ୍ତି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଆଦର୍ଶର ମାଙ୍କଡ଼। ସାବରମତୀ ଆଶ୍ରମ ଗସ୍ତ କାଳରେ ଟ୍ରମ୍ପଙ୍କୁ ଏପରି ସ୍ବତନ୍ତ୍ର ଉପହାର ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ।

ସୋମବାର ସକାଳ ୧୧.୩୭ରେ ଅହମଦାବାଦ୍‌ରେ ପହଞ୍ଚିଥିବା ଟ୍ରମ୍ପ୍‌ ଓ ତାଙ୍କ ପତ୍ନୀ ମେଲାନିଆଙ୍କର ଭାରତ ଗସ୍ତର ଆଜି ପ୍ରଥମ ଦିନ। ତାଙ୍କ ଜୀବନ କାଳର ପ୍ରାୟ ଏକ ଦଶନ୍ଧିରୁ ଊର୍ଧ୍ବ ସମୟ ମହାତ୍ମା ଗାନ୍ଧୀ ଏହି ଆଶ୍ରମରେ ବିତାଇ ଥିଲେ। ନମସ୍ତେ ଟ୍ରମ୍ଫ କାର୍ଯ୍ୟକ୍ରମକୁ ଆସିବା ଅ‌ାଗରୁ ରାଷ୍ଟ୍ରପତି ଟ୍ରମ୍ପ୍‌ ଓ ପ୍ରଥମ ମହିଳା ମେଲାନିଆ ସାବରମତୀ ଆସିଥିଲେ। ମୋଟେରା ଷ୍ଟାଡିୟମ୍‌କୁ ରୋଡ୍‌ ସୋ’ ପୂର୍ବରୁ ଟ୍ରମ୍ପ୍‌ ଓ ତାଙ୍କ ପତ୍ନୀ ମୋଦୀଙ୍କ ସହ ମିଶି ଏହି ଆଶ୍ରମ ବୁଲି ଦେଖିଥିଲେ।

Economics Times

ଗାନ୍ଧୀଙ୍କ ଆଶ୍ରମ ବୁଲି ଟ୍ରମ୍ପ୍‌ ଓ ତାଙ୍କ ପତ୍ନୀ ଗାନ୍ଧୀ ବ୍ୟବହାର କରୁଥିବା ଚରଖାକୁ ଚଳାଇ ଦେଖିଥିଲେ। ଆଶ୍ରମ ମଧ୍ୟରେ ଗାନ୍ଧିଜୀ ଓ ପତ୍ନୀ କସ୍ତୁରବା ରହୁଥିବା ଏକ କୁଡ଼ିଆରେ ସେହି ଚରଖକୁ ସଯତ୍ନ ରଖାଯାଇଛି। ଗାନ୍ଧିଜୀ ଓ ଆତ୍ମନିର୍ଭରଶୀଳତାର ପ୍ରତୀକ ଚରଖ ସଂପର୍କରେ ଟ୍ରମ୍ପ୍‌ ଓ ତାଙ୍କ ପତ୍ନୀକୁ ସେଠାରେ ବୁଝାଇ କୁହାଯାଇଥିଲା।

ଆଶ୍ରମ ଛାଡ଼ିବା ପୂର୍ବରୁ ଟ୍ରମ୍ପ୍‌ ଆଶ୍ରମର ଭିଜିଟର୍‌ ବୁକ୍‌ରେ ଲେଖି ଯାଇଛନ୍ତି, ‘ମୋର ପ୍ରିୟ ବନ୍ଧୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଏପରି ଏକ ଅଦ୍ଭୂତ ଯାତ୍ରା ପାଇଁ ଅନେକ ଧନ୍ୟବାଦ’।

ସମ୍ବନ୍ଧିତ ଖବର