ସାବାସ ପୁଲିସ: ଚଳନ୍ତା ବସରେ ଅସଦାଚରଣ କରୁଥିବାବେଳେ ଟ୍ୱିଟ କଲେ ଯୁବତୀ, ମାଡିବସିଲା ପୁଲିସ

ଲକ୍ଷ୍ନୌ : ବସରେ ଯାତ୍ରା କରୁଥିବା ବେଳେ ଯୁବତୀଙ୍କୁ ଏକୁଟିଆ ଦେଖି ଅସଦାଚରଣ ଆରମ୍ଭ କରିଦେଇଥିଲେ କିଛି ଯୁବକ | ଅଶ୍ଳୀଳ କମେଣ୍ଟ ମାରିବା ସହ ମୋବାଇଲ ନମ୍ବର ମାଗୁଥିଲେ | ଏଭଳି ମାନସିକ ନିର୍ଯାତନାର ଶିକାର ହେବା ପରେ ତୁରନ୍ତ ପୁଲିସକୁ ଟ୍ୱିଟ କରିଥିଲେ ଯୁବତୀ | ଟ୍ୱିଟ ପରେ ପୁଲିସ ପକ୍ଷରୁ ତୁରନ୍ତ କାର୍ଯ୍ୟନୁଷ୍ଠାନ ନିଆଯାଇ କିଛି ଯୁବକଙ୍କୁ ଅଟକ କରାଯାଇଛି | ଉତ୍ତରପ୍ରଦେଶ ପୁଲିସର ଏଭଳି କାର୍ଯ୍ୟାନୁଷ୍ଠାନକୁ ନେଇ ଏବେ ସମସ୍ତେ ପ୍ରଶଂସା କରୁଛନ୍ତି |

ମିଳିଥିବା ସୂଚନା ମୁତାବକ ଉତ୍ତରପ୍ରଦେଶର ଆୱଧରୁ ଜଣେ ଯୁବତୀ କଇଁସାବଗଡ଼ ଯିବା ପାଇଁ ବସରେ ଚଢ଼ିଥିଲେ | ବସ କିଛି ବାଟ ଯିବା ପରେ କିଛି ଯୁବକ, ଯୁବତୀଙ୍କୁ ଅସଦାଚରଣ କରିବା ଆରମ୍ଭ କରିଦେଇଥିଲେ | ଅଶ୍ଳୀଳ କମେଣ୍ଟ ମାରିବା ସହ ମୋବାଇଲ ନମ୍ବର ଦେବାକୁ କହିଥିଲେ | ଯୁବତୀ ଜଣକ ଭୟଭୀତ ହୋଇ ଉତ୍ତରପ୍ରଦେଶ ପୁଲିସକୁ ଟ୍ୱିଟ କରିଥିଲେ |

ଟ୍ୱିଟ ହୋଇଥିବା ଦେଖି ଉତ୍ତରପ୍ରଦେଶ ପୁଲିସ ତୁରନ୍ତ ଅଯୋଧ୍ୟା ପୁଲିସକୁ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିଲେ | ଏହା ପରେ ଅଯୋଧ୍ୟା ପୁଲିସ ରାସ୍ତାରେ ବସଟିକୁ ଅଟକାଇ ଯୁବକମାନଙ୍କୁ ଅଟକ ରଖିଥିଲା | ଏବେ ଏହି ଘଟଣା ସାରା ରାଜ୍ୟରେ ଚର୍ଚ୍ଚା ସୃଷ୍ଟି କରିଥିବାବେଳେ ପୁଲିସର ତ୍ୱରିତ କାର୍ଯ୍ୟାନୁଷ୍ଠାନକୁ ସମସ୍ତେ ପ୍ରଶଂସା କରୁଛନ୍ତି |

ସମ୍ବନ୍ଧିତ ଖବର