ଦିଦିଙ୍କ ଗଡ଼ରେ ଗର୍ଜିଲେ ପ୍ରଧାନମନ୍ତ୍ରୀ ମୋଦୀ, କହିଲେ; ଦିଦି ସ୍ବପ୍ନ ଚୁନା କରିଛନ୍ତି, ଆମେ ଅସଲ ପରିବର୍ତ୍ତନ ଆଣିବୁ

କୋଲ୍‌କାତା: ରବିବାର ଦିନ ଆୟୋଜନ କରାଯାଇଥିବା ବିଶାଳ ନିର୍ବାଚନ ପ୍ରଚାର ରାଲିରେ ଯୋଗ ଦେଇ ଉପସ୍ଥିତ ଥିବା ହଜାର ହଜାର ଲୋକଙ୍କୁ ଉଦ୍‌ବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆଗକୁ ନିର୍ବାଚନ ଥିବା ବେଳେ କୋଲକାତାର ଐତିହାସିକ ‘ବ୍ରିଗେଡ୍‌ ପରେଡ୍‌ ଗ୍ରାଉଣ୍ଡ୍‌’ରେ ପହଞ୍ଚି ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି। ଦିଦି ପଶ୍ଚିମବଙ୍ଗବାସୀଙ୍କ ସ୍ବପ୍ନ ଚୁନା କରିଛନ୍ତି। ପଶ୍ଚିମବଙ୍ଗବାସୀ ଅସଲ ପରିବର୍ତ୍ତନ ଚାହାନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।

ବିଶାଳ ନିର୍ବାଚନ ପ୍ରଚାର ରାଲିରେ ପହଞ୍ଚି ‘ଜୟ ଶ୍ରୀ ରାମ’ କହି ରାଲିରେ ଯୋଗ ଦେଇଥିବା ହଜାର ହଜାର ଲୋକଙ୍କୁ ଆସିଥିବାରୁ ଧନ୍ୟବାଦ ଜଣାଇଥିଲେ ପ୍ରଧାନମନ୍ତ୍ରୀ। ଏହା ପରେ ପଶ୍ଚିମବଙ୍ଗର ଗତ କିଛି ବର୍ଷ ମଧ୍ୟରେ ଯେତିକି ଉନ୍ନତି ହେବା କଥା, ସେତିକି ହୋଇ ନଥିବା କହି ଦିଦିଙ୍କୁ ପ୍ରଧାନମନ୍ତ୍ରୀ ଟାର୍ଗେଟ କରିଥିଲେ। ସେ କହିଥିଲେ ଯେ, ଐତିହାସିକ ବ୍ରିଗେଡ୍ ପରେଡ୍‌ ଗ୍ରାଉଣ୍ଡ ପୂର୍ବରୁ ଦେଶର ଅନେକ ଘଟଣାର ସାକ୍ଷୀ ହୋଇଛି। ଏହା ସହ ଯେଉଁମାନେ ବଙ୍ଗଳାକୁ ଧ୍ୱଂସ କରିଛନ୍ତି, ଲୋକଙ୍କୁ ନିର୍ଯାତନା ଦେଇଛନ୍ତି ଏବଂ ଶୋଷଣ କରୁଛନ୍ତି ତାହାର ମଧ୍ୟ ସାକ୍ଷୀ ଅଛି ବ୍ରିଗେଡ୍ ପରେଡ୍‌ ଗ୍ରାଉଣ୍ଡ । ଆଜି ଲୋକମାନେ ଏଠାକୁ ଉତ୍ତର ଖୋଜିବାକୁ ଆସିଛନ୍ତି। ଏବେ ପଶ୍ଚିମବଙ୍ଗ ଉନ୍ନତି ଚାହେଁ ଏବଂ ପ୍ରଗତି ଚାହେଁ। ପଶ୍ଚିମବଙ୍ଗବାସୀ ନିଜ ରାଜ୍ୟରେ ଶାନ୍ତି ଏବଂ ପ୍ରଗତି ଆଣିବାକୁ ଚାହାନ୍ତି।

Modi kolkata rally live updates
indiatoday

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଗତ କିଛି ଦଶନ୍ଧିର କ୍ଷୟକ୍ଷତିରୁ ମୁକ୍ତି ପାଇବା ପାଇଁ ଆଗାମୀ ୨୫ବର୍ଷ ପଶ୍ଚିମବଙ୍ଗ ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ ଏବଂ ୨୦୨୧ବିଧାନସଭା ନିର୍ବାଚନ ସେହି ଲକ୍ଷ୍ୟର ପ୍ରଥମ ପଦକ୍ଷେପ ହେବ। ଯେତେବେଳେ ଭାରତ ସ୍ବାଧୀନତାର ୧୦୦ବର୍ଷ ପାଳନ କରିବ, ସେତେବେଳେ ପଶ୍ଚିମବଙ୍ଗ ପୁଣି ଥରେ ଦେଶର ଅଭିବୃଦ୍ଧିରେ ସହଯୋଗ କରିବା ସ୍ଥିତିରେ ଥିବ। ଆମେ କୃଷକ, ବ୍ୟବସାୟୀ ଏବଂ ଭଉଣୀ ଏବଂ ଝିଅମାନଙ୍କର ବିକାଶ ପାଇଁ କଠିନ ପରିଶ୍ରମ କରିବୁ, ସେ ନେଇ ବିଶ୍ବାସ ଦେବାକୁ ମୁଁ ଏଠାକୁ ଆସିଛି। ଆମେ ଆପଣଙ୍କ ସ୍ୱପ୍ନ ପୂରଣ କରିବା ପାଇଁ ପ୍ରତ୍ୟେକ ମୁହୂର୍ତ୍ତକୁ ବଞ୍ଚିବୁ।

ପଶ୍ଚିମବଙ୍ଗରେ ହେଉଥିବା ହିଂସା ଉପରେ ଆଲୋଚନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ପରିବର୍ତ୍ତନର ପ୍ରତିଶ୍ରୁତି ଦେଇ ଦିଦି ପଶ୍ଚିମବଙ୍ଗବାସୀଙ୍କ ବିଶ୍ୱାସରେ ବିଷ ଦେଇଛନ୍ତି। ଦଶନ୍ଧି ଧରି ରାଜନୈତିକ ହିଂସାରେ କୌଣସି ପରିବର୍ତ୍ତନ ଆସିନାହିଁ। ଅପରାଧ ଏବଂ ଆଇନଶୃଙ୍ଖଳା ପରିସ୍ଥିତିରେ ମଧ୍ୟ କୌଣସି ପରିବର୍ତ୍ତନ ଆସି ନାହିଁ। ଏଠାରେ ଆପଣଙ୍କ ଗଣତାନ୍ତ୍ରିକ ବ୍ୟବସ୍ଥା କିପରି ନଷ୍ଟ ହୋଇଯାଇଛି ତାହା ଆପଣ ଭଲ ଭାବରେ ଜାଣିଛନ୍ତି। ବିଜେପି ଏହି ବ୍ୟବସ୍ଥାକୁ ମଜବୁତ କରିବ। ସରକାରୀ ବ୍ୟବସ୍ଥା, ପୁଲିସ ଏବଂ ପ୍ରଶାସନରେ ଜନସାଧାରଣଙ୍କ ବିଶ୍ୱାସକୁ ପୁନଃ ସ୍ଥାପିତ କରିବା ପାଇଁ ଆମେ ପରିବର୍ତ୍ତନ ଆଣିବୁ।

ନିଜ ଭାଷଣ ଶେଷରେ ଟିଏମସି କ୍ଷମତାରେ ରହି ଅସଂଖ୍ୟ ଦୁର୍ନୀତି କରିଥିବା କଥା କହିବା ସହ ବାତ୍ୟା ଆମ୍ଫାନ ପାଇଁ ପଠାଯାଇଥିବା ରିଲିଫ ଟଙ୍କା ମଧ୍ୟ ଲୁଟି ନେଇଥିବାର ଆରୋପ ଲଗାଇଛନ୍ତି ପ୍ରଧାନମନ୍ତ୍ରୀ।

ସମ୍ବନ୍ଧିତ ଖବର