ଚେନ୍ନାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ ଦ୍ବିପାକ୍ଷିକ ସଂପର୍କରେ ଏକ ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆଜି ଦୁଇ ନେତାଙ୍କ ମଧ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଅନୌପଚାରିକ ଆଲୋଚନା ପ୍ରାୟ ୬ ଘଣ୍ଟା ଧରି ହୋଇଥିଲା ଏବଂ କୌଣସି ମତଭେଦକୁ ବିବାଦରେ ପରିଣତ ହେବାକୁ ଦିଆଯିବ ନାହିଁ ବୋଲି ଦୁଇ ନେତା ସହମତି ପ୍ରକାଶ କରିଛନ୍ତି। ମହାବଳୀପୁରମ ତାଜ୍ ଫିସରମେନ୍ କୋଭ୍ ରିସୋର୍ଟରେ ମୋଦୀ-ଜିନ୍ପିଙ୍ଗ୍ଙ୍କ ମଧ୍ୟରେ ଶେଷ ପର୍ଯ୍ୟାୟ ଅନୌପଚାରିକ ବୈଠକ ହୋଇଥିଲା। ଏହାପରେ ଦୁଇ ଦେଶ ମଧ୍ୟରେ ପ୍ରତିନିଧିସ୍ତରୀୟ ଆଲୋଚନା ମଧ୍ୟ ହୋଇଥିଲା। ଭାରତ ଓ ଚୀନ୍ର ସଂପର୍କ ବିଶ୍ବଶାନ୍ତିର ଏକ ଉଦାହରଣ ଏବଂ ଉଭୟ ରାଷ୍ଟ୍ର ମତଭେଦରୁ ଊର୍ଦ୍ଧ୍ବକୁ ଉଠି ସର୍ବଦା କାମ କରିଆସିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଚୀନ୍ ରାଷ୍ଟ୍ରପତି ଜିନ୍ପିଙ୍ଗ୍ କହିଛନ୍ତି ଯେ ଭାରତ ଏବଂ ଚୀନ୍ ମଧ୍ୟରେ ପ୍ରଗାଢ଼ ସାଂସ୍କୃତିକ ସଂପର୍କ ରହିଛି ଏବଂ ମୁଁ ଭାରତର ସ୍ବାଗତରେ ଅଭିଭୂତ। ଏହି ସମ୍ମିଳନୀ ଦ୍ବାରା ଦ୍ବିପାକ୍ଷିକ ସଂପର୍କ ଆହୁରି ମଜୁବୁତ ହୋଇଛି ବୋଲି ଜିନ୍ପିଙ୍ଗ କହିଛନ୍ତି। ଆଜି ଆଲୋଚନା ପରେ ଉଭୟ ନେତା ଏକାଠି ମଧ୍ୟାହ୍ନ ଭୋଜନ କରିଥିଲେ ଏବଂ ଭାରତ ଗସ୍ତ ଶେଷ କରି ଜିନ୍ପିଙ୍ଗ କାଠମାଣ୍ଡୁ ଗସ୍ତରେ ବାହାରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ମୋଦୀ ଜିନ୍ପିଙ୍ଗ୍ ଦ୍ବିତୀୟ ଅନୌପଚାରିକ ସମ୍ମିଳନୀରେ କଶ୍ମୀର ପ୍ରସଙ୍ଗରେ କୌଣସି ଆଲୋଚନା ହୋଇନାହିଁ। ଉଭୟ ଦେଶ ଆତଙ୍କବାଦ ଏବଂ ଉଗ୍ରବାଦ ବିରୋଧରେ ମିଳିତ ରଣନୀତି ଉପରେ ଚର୍ଚ୍ଚା କରିଛନ୍ତି ବୋଲି ବିଦେଶ ସଚିବ ବିଜୟ ଗୋଖଲେ କହିଛନ୍ତି। କଶ୍ମୀର ପ୍ରସଙ୍ଗରେ ଭାରତର ସ୍ଥିତି ଅତ୍ୟନ୍ତ ସ୍ପଷ୍ଟ ଥିବା ଏବଂ ଏହା ଏକ ଆଭ୍ୟନ୍ତରୀଣ ମାମଲା ହୋଇଥିବାରୁ ଏହି ପ୍ରସଙ୍ଗ ଆଲୋଚନାରେ ସ୍ଥାନ ପାଇନଥିଲା ବୋଲି ଗୋଖଲେ କହିଛନ୍ତି। ତେବେ ଆଲୋଚନା ବେଳେ ରାଷ୍ଟ୍ରପତି ଜିନ୍ପିଙ୍ଗ୍ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ବେଜିଂ ଗସ୍ତ ସଂପର୍କରେ ଉଲ୍ଲେଖ କରିଥିଲେ ବୋଲି ଗୋଖଲେ କହିଛନ୍ତି। ଭାରତ ଓ ଚୀନ୍ ସଂପର୍କରେ ଆତଙ୍କବାଦକୁ ଏକ ପ୍ରତିବନ୍ଧକ ହେବାକୁ ଦିଆଯିବ ନାହିଁ ବୋଲି ଉଭୟ ନେତା ଦୃଢ଼ ସହମତି ପ୍ରକାଶ କରିଥିବା ବିଦେଶ ସଚିବ କହିଛନ୍ତି।
ଜିନ୍ପିଙ୍ଗ୍ଙ୍କ ଫଟୋ ଥିବା ସାଲ୍ ଉପହାର ଦେଲେ ମୋଦୀ
ଚେନ୍ନାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଚୀନ୍ ରାଷ୍ଟ୍ରପତି ଜି ଜିନ୍ପିଙ୍ଗ୍ଙ୍କର ଏକ ଫଟୋଚିତ୍ର ଥିବା ହାତବୁଣା ସିଲ୍କ ସାଲ୍ ତାଙ୍କୁ ଉପହାର ଦେଇଛନ୍ତି। କୋଏମ୍ବାଟୁର ଜିଲ୍ଲାର ସିରୁମୁଗାଇପୁଦୁର ସ୍ଥିତ ଶ୍ରୀ ରାମଲିଙ୍ଗା ସୌଦାମ୍ବିଗୟି ହସ୍ତତନ୍ତ ବୁଣାକାର ସମବାୟ ସମିତିର ବୁଣାକାରଙ୍କ ଦ୍ବାରା ଏହି ସାଲ୍ ମାତ୍ର ୫ ଦିନରେ ବୁଣାଯାଇଛି। ଜିନ୍ପିଙ୍ଗ୍ଙ୍କ ଫଟୋ ଥିବା ଏହି ସାଲ୍ ସମ୍ପୂର୍ଣ୍ଣ ଭାବେ ମଲ୍ବେରୀ ସିଲ୍କ ଏବଂ ସ୍ବର୍ଣ୍ଣିମ ଜରି ବ୍ୟବହାର ହୋଇ ପ୍ରସ୍ତୁତ ହୋଇଛି। ଲାଲ୍ ଏବଂ ସୂନେଲି ରଙ୍ଗର ଏହି ସାଲ୍ର ଦୁଇ ପାର୍ଶ୍ବରେ ରହିଥିବା ଫୁଲ ଡିଜାଇନ୍ ଏହାର ସୌନ୍ଦର୍ଯ୍ୟକୁ ବେଶୀ ବୃଦ୍ଧି କରିଛି। ମୋଦୀ ମଧ୍ୟ ଆଜି ଜିନ୍ପିଙ୍ଗ୍ଙ୍କୁ ତାମିଲନାଡ଼ୁର ହସ୍ତତନ୍ତ ସମ୍ପର୍କରେ ବୁଝାଇଛନ୍ତି। ଅନ୍ୟପକ୍ଷେ ଜିନ୍ପିଙ୍ଗ୍ ମଧ୍ୟ ମୋଦୀଙ୍କୁ ମୋଦୀଙ୍କର ଏକ ଫଟୋ ଉପହାର ଦେଇଛନ୍ତି।