ପ୍ରଧାନମନ୍ତ୍ରୀଙ୍କ ସହଯୋଗୀ ଏ.କେ ଶର୍ମା ହେଲେ ଉତ୍ତରପ୍ରଦେଶ ବିଜେପିର ଉପାଧ୍ୟକ୍ଷ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଖଲୋକ ବୋଲି କୁହାଯାଉଥିବା ପୂର୍ବତନ ଆଇଏଏସ ଅଧିକାରୀ ଏ.କେ ଶର୍ମା ଉତ୍ତରପ୍ରଦେଶ ରାଜନୀତିରେ ପ୍ରବେଶ କରିଛନ୍ତି । ଆଜି ଏ.କେ ଶର୍ମାଙ୍କୁ ରାଜ୍ୟ ବିଜେପିର ଉପାଧ୍ୟକ୍ଷ ଦାୟିତ୍ୱ ମିଳିଛି । ଗୁଜୁରାଟ କ୍ୟାଡରର ୧୯୮୮ ବ୍ୟାଚର ଆଇଏଏସ୍ ଅରବିନ୍ଦ ଶର୍ମାଙ୍କୁ ଜାନୁଆri ୨୦୨୧ ରେ ବିଜେପି ପ୍ରଦେଶ ଅଧ୍ୟକ୍ଷ ସ୍ୱତନ୍ତ୍ରଦେବ ସିଂ ଓ ଉପ-ମୁଖ୍ୟମନ୍ତ୍ରୀ ଦିନେଶ ଶର୍ମା ବିଜେପିର ସଦସ୍ୟତା ଦେଇଥିଲେ । ଏହାପରେ ସେ ଏମଏଲସି ନିର୍ବାଚନ ଭିତରେ ପୁରା ବିଜେପି ସହ ଯୋଡି ହୋଇଯାଇଥିଲେ । ପରେ ଦଳ ତାଙ୍କୁ ବିଧାନ ପରିଷଦର ସଭ୍ୟ କରିଥିଲା । ଏହାପରେ ଆଜି ତାଙ୍କୁ ଦଳର ରାଜ୍ୟ ଉପାଧ୍ୟକ୍ଷ ପଦରେ ବସାଇବା ପରେ ଦଳ ଭିତରେ କିିଛିଟା ଅସନ୍ତୁଷ୍ଟ ଦେଖିବାକୁ ମିଳିଥିବା ବେଳେ କିଛି ଦଳୀୟ ନେତା ଏହାକୁ ସହଜରେ ଗ୍ରହଣ କରିଛନ୍ତି ।

ଉଲ୍ଲେଖଯୋଗ୍ୟ, କରୋନା କାଳରେ ଯେବେ ସଂକ୍ରମଣ ବଢୁଥିଲା ସେତେବେଳେ ଲୋକମାନଙ୍କୁ ସହାୟତା ଯୋଗାଇବାରେ ଅଗାଧାଡିରେ ଠିଆ ହୋଇଥିଲେ ଏ.କେ ଶର୍ମା । ସେ ପ୍ରଧାନମନ୍ତ୍ରୀଙ୍କ ସଂସଦୀୟ କ୍ଷେତ୍ର ବାରଣାସୀରେ କରୋନା ସମୟରେ ଲୋକଙ୍କୁ ସାହାଯ୍ୟ କରୁଥିଲେ । ଏହାପରେ ସେ ରାଜ୍ୟର ପୁରା ପୂର୍ବାଞ୍ଚଳର ଦାୟିତ୍ୱ ନେଇଥିଲେ । ଆଗାମୀ ବର୍ଷ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଏ.କେ ଶର୍ମା ଦଳ ପାଇଁ କେତେ ଲାଭବାନ ହେଉଛନ୍ତି ତାହା ନିର୍ବାଚନ ପରେ ସ୍ପଷ୍ଟ ହେବ ।

ସମ୍ବନ୍ଧିତ ଖବର