‘ନିଜକୁ ବଦଳାଅ’: ସଂସଦରେ ବିଜେପି ସାଂସଦଙ୍କ ଦୁର୍ବଳ ଉପସ୍ଥାନକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବେଗ

ନୂଆଦିଲ୍ଲୀ: ପାର୍ଲାମେଣ୍ଟରେ ବିଜେପି ସାଂସଦମାନଙ୍କ ଉପସ୍ଥାନକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍‌ବେଗ ପ୍ରକାଶ କରିଛନ୍ତି। ନିଜକୁ ବଦଳାଇବା ପାଇଁ ସାଂସଦମାନଙ୍କୁ ଚେତାବନୀ ଦେବା ସହ କହିଛନ୍ତି, ଯଦି ସାଂସଦମାନେ ପରିବର୍ତ୍ତନ ଆଣିବେ ନାହିଁ ତା’ ହେଲେ ପରିସ୍ଥିତି ବଦଳିଯାଇପାରେ, ଯାହା ଆଉ ସେମାନଙ୍କ ଆୟତ୍ତରେ ରହିବ ନାହିଁ। ନୂଆଦିଲ୍ଲୀ-ସ୍ଥିତ ଆମ୍ବେଦକର ଇଣ୍ଟର‌ନ୍ୟାସନାଲ ସେଣ୍ଟରରେ ଆୟୋଜିତ ବିଜେପି ସଂସଦୀୟ ଦଳ ବୈଠକରେ ମୋଦୀ କହିଲେ ଯେ, ଗୋଟିଏ କଥା ପିଲାମାନଙ୍କୁ ବି ବାରମ୍ବାର କହିଲେ ସେମାନଙ୍କୁ ଭଲ ଲାଗେ ନାହିଁ। ତେଣୁ ନିଜକୁ ବଦଳାନ୍ତୁ, ନ ହେଲେ ପରିସ୍ଥିତି ବଦଳିଯାଇପାରେ।

ସେ ଦେଶର ଲୋକଙ୍କ ପାଇଁ କାମ କରିବାକୁ ସାଂସଦମାନଙ୍କୁ ପରାମର୍ଶ ଦେଇଥିଲେ। ଏହା ସହ କହିଥିଲେ: ପ୍ରତିଦିନ ସୂର୍ଯ୍ୟ ନମସ୍କାର କରନ୍ତୁ ଏବଂ ଏହି (ଉପସ୍ଥାନ) ପ୍ରତିଯୋଗିତାରେ ଭାଗ ନିଅନ୍ତୁ, ଏହାଦ୍ବାରା ଆପଣମାନଙ୍କ ଶରୀର ସୁସ୍ଥ ରହିବ। ନିଜ ନିଜ ଅଞ୍ଚଳରେ କ୍ରୀଡ଼ା ପ୍ରତିଯୋଗିତାର ଆୟୋଜନ କରିବା ପାଇଁ ମଧ୍ୟ ସେ ବିଜେପି ସାଂସଦମାନଙ୍କୁ ପରାମର୍ଶ ଦେଇଥିଲେ। ସୂଚନାଯୋଗ୍ୟ ଯେ, ସଂସଦରେ ବିଜେପି ଏମ୍‌ପିମାନଙ୍କର ଦୁର୍ବଳ ଉପସ୍ଥାନ ବିଷୟରେ ମୋଦୀ ଆଗରୁ ଅନେକ ଥର କହିଛନ୍ତି।

ସମ୍ବନ୍ଧିତ ଖବର