ଆତଙ୍କବାଦୀ ଭାବି ପୁଲିସକୁ ମାରିଲା ପୁଲିସ

କାଶ୍ମୀର : କାଶ୍ମୀରର ଜଣେ କନେଷ୍ଟବଳଙ୍କୁ ଆତଙ୍କବାଦୀ ଭାବି ମନ୍ଦିରର ସୁରକ୍ଷା କର୍ମୀମାନେ ଗୁଳିମାଡ଼ କରିବାରୁ ତାଙ୍କର ମୃତ୍ୟୁ ଘଟିଛି। କନଷ୍ଟେବଳ ଜଣକ ଲାନଗେଟ ହନ୍ଦୱାଡ଼ା ବାସିନ୍ଦା ଅଜୟ ଧର ବୋଲି ଜଣା ପଡିଛି। ଏକ ବିବୃତିରେ ପୋଲିସ ଏହି ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି କହିଛି।

ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ଗତକାଲି ବିଳମ୍ବିତ ରାତିରେ କନଷ୍ଟେବଳ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ବେଳେ ସୁରକ୍ଷା କର୍ମୀମାନେ ପ୍ରଥମେ ଫାଙ୍କା ଗୁଳି ଚାଳନା କରିଥିଲେ। ତେବେ ଏହା ସତ୍ତ୍ବେ କନେଷ୍ଟବଳ ଜଣକ ନିଜର ପରିଚୟ ପ୍ରକାଶ ନକରି କବାଟ ବାଡେଇ ଚାଲିଥିଲେ। ଏହା ପରେ ସୁରକ୍ଷା କର୍ମୀ ତାଙ୍କୁ ଆତଙ୍କବାଦୀ ଭାବି ଗୁଳି ଚଳାଇବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି। କାଶ୍ମୀରର ଅଧିକାଂଶ ମନ୍ଦିରରେ କଡ଼ା ପୁଲିସ ସୁରକ୍ଷା ବ୍ୟବସ୍ଥା ହୋଇଛି। ଅତୀତରେ ଏପରି ଆଉ ଏକ ଘଟଣାରେ ପରିଚୟ ଭୁଲ କାରଣରୁ ସୁରକ୍ଷା ବାହିନୀ ଦ୍ୱାରା ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି।

ସମ୍ବନ୍ଧିତ ଖବର