ନିତି ଆୟୋଗ ଶକ୍ତି କ୍ଷେତ୍ର ରିପୋର୍ଟ: ବୃହତ୍ ରାଜ୍ୟରେ ଓଡ଼ିଶାର ସ୍ଥାନ ୧୬

ନୂଆଦିଲ୍ଲୀ: ବିଦ୍ୟୁତ୍ ସଂସ୍କାର କ୍ଷେତ୍ରରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ। ଏଠାରେ ବିଜୁଳି ବ୍ୟବସ୍ଥାରେ ଉନ୍ନତି ପାଇଁ ଗତ ଦୁଇ ଦଶନ୍ଧି ମଧ୍ୟରେ ଅନେକ ସଂସ୍କାରଧର୍ମୀ ପଦକ୍ଷେପ କାର୍ଯ୍ୟକାରୀ କରାଯାଇଥିବା ସରକାର ଦାବି କରୁଛନ୍ତି। ବଣ୍ଟନ କମ୍ପାନିଗୁଡ଼ିକର ମାଲିକାନା କିଛି ବର୍ଷ ବ୍ୟବଧାନରେ ବଦଳାଇ ଚାଲିଛନ୍ତି। କିନ୍ତୁ ମୋଟ ବୈଷୟିକ ଓ ବାଣିଜ୍ୟିକ କ୍ଷତି ହ୍ରାସ କରିବା ହେଉ କିମ୍ବା ଗ୍ରାହକଙ୍କୁ ଉନ୍ନତମାନର ବିଜୁଳି ଯୋଗାଣରେ ସେତେଟା ଉନ୍ନତି ଆସିପାରୁନାହିଁ। ଅତୀତରେ ବିଭିନ୍ନ ରିପୋର୍ଟରୁ ଏହି ଚିତ୍ର ସାମ୍ନାକୁ ଆସିଥିବା ବେଳେ ଆଜି ଜାତୀୟ ସ୍ତରରେ ଓଡ଼ିଶାର ସ୍ଥାନ କେଉଁଠି ରହିଛି ତାହା ନିତି ଆୟୋଗର ରାଜ୍ୟ ଶକ୍ତି ଓ ଜଳବାୟୁ ସୂଚକାଙ୍କ ରିପୋର୍ଟରୁ ଆହୁରି ସ୍ପଷ୍ଟ ହୋଇଯାଇଛି। ୨୦ଟି ବୃହତ୍ ରାଜ୍ୟକୁ ନେଇ ରୢାଙ୍କ ପ୍ରସ୍ତୁତ ହୋଇଛି; ଓଡ଼ିଶା ସେଥିରେ ଷୋଡ଼ଶ ସ୍ଥାନରେ ରହିଛି। ବୃହତ୍ ରାଜ୍ୟଗୁଡ଼ିକ ମଧ୍ୟରେ ଗୁଜରାଟ ଶୀର୍ଷ ସ୍ଥାନରେ ରହିଛି। ଗୁଜରାଟ ପଛକୁ କେରଳ ଦ୍ବିତୀୟ ଏବଂ ପଞ୍ଜାବ ତୃତୀୟ ସ୍ଥାନରେ ରହିଛି। ଓଡ଼ିଶା ପଛକୁ ବୃହତ୍ ରାଜ୍ୟଗୁଡ଼ିକ ମଧ୍ୟରେ ରାଜସ୍ଥାନ, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ ଓ ଛତିଶଗଡ଼ ରହିଛନ୍ତି। ତେବେ ସବୁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ଦେଖିଲେ ଓଡ଼ିଶା ଦେଶରେ ୨୨ତମ ସ୍ଥାନରେ ରହିଛି।

୬ଟି ମାନଦଣ୍ଡ ମଧ୍ୟରୁ ପହଞ୍ଚ, ସୁଲଭ ଏବଂ ବିଶ୍ବସନୀୟତାକୁ ବାଦ୍ ଦେଲେ ଓଡ଼ିଶାର ପ୍ରଦର୍ଶନ ‌ଅନ୍ୟ ୫ଟି ଯାକ ମାନଦଣ୍ଡରେ ଖରାପ ରହିଛି। ପହଞ୍ଚ, ସୁଲଭ ଏବଂ ବିଶ୍ବସନୀୟତା‌ କ୍ଷେତ୍ରରେ ଓଡ଼ିଶା କେରଳ, ତେଲେଙ୍ଗାନା ପଛକୁ ‌ଦେଶରେ ତୃତୀୟ ସ୍ଥାନରେ ରହିଛି। ଓଡ଼ିଶାକୁ ଏ କ୍ଷେତ୍ରରେ ୫୭.୪ ପଏଣ୍ଟ ମିଳିଛି। ବିଦ୍ୟୁତ୍ ବଣ୍ଟନ କମ୍ପାନିଗୁଡ଼ିକର ପ୍ରଦର୍ଶନ କ୍ଷେତ୍ରରେ ଓଡ଼ିଶା ଦେଶରେ ଦଶମ ସ୍ଥାନରେ ରହିଛି। କମ୍ପାନି ଗୁଡ଼ିକର ଋଣ-ଇକ୍ବିଟି ଅନୁପାତ, ମୋଟ ବୈଷୟିକ ଓ ବାଣିଜ୍ୟିକ କ୍ଷତି, ବିତରଣ ଓ ବଣ୍ଟନ କ୍ଷତି, ଗ୍ରାହକଙ୍କ ଶୁଳ୍କ, ଡିବିଟି ଟ୍ରାନ୍ସଫର ଭଳି ୯ଟି ବିଷୟକୁ ନିଆଯାଇ କମ୍ପାନି ଗୁଡ଼ିକର ପ୍ରଦର୍ଶନ ମପାଯାଇଛି। ଏ କ୍ଷେତ୍ରରେ ପଞ୍ଜାବ, ଗୁଜରାଟ, ହରିୟାଣା ଯଥାକ୍ରମେ ପ୍ରଥମରୁ ତୃତୀୟ ସ୍ଥାନରେ ରହିଛନ୍ତି। ସବୁଜ ଶକ୍ତିର ବିକାଶ ନେଇ ଅନେକ ପରିକଳ୍ପନା କରାଯାଇଥିଲେ ମଧ୍ୟ ସେଥିରେ ଓଡ଼ିଶା ବଡ଼ ରାଜ୍ୟଗୁଡ଼ିକ ମଧ୍ୟରେ ତଳଆଡ଼ୁ ଚତୁର୍ଥ ସ୍ଥାନରେ ରହିଛି। ଅର୍ଥାତ୍ ୨୦ଟି ବୃହତ୍ ରାଜ୍ୟ ମଧ୍ୟରେ ଓଡ଼ିଶା ସପ୍ତଦଶ ସ୍ଥାନ ପାଇଛି। ପ୍ରଥମ ସ୍ଥାନରେ ଥିବା ହରିୟାଣାକୁ ୪୨.୯ ପଏଣ୍ଟ ମିଳିଥିବାବେଳେ ଓଡ଼ିଶାକୁ ମାତ୍ର ୪.୮ ପଏଣ୍ଟ ମିଳିଛି। ସେହିଭଳି ଶକ୍ତି ସାମର୍ଥ୍ୟ କ୍ଷେତ୍ରରେ ଓଡ଼ିଶା ପଞ୍ଚଦଶ ସ୍ଥାନରେ ରହିଛି। ଏ କ୍ଷେତ୍ରରେ ତାମିଲନାଡ଼ୁ ସବା ଆଗରେ ରହିଛି। ପରିବେଶ ସ୍ଥାୟୀତ୍ବ କ୍ଷେତ୍ରରେ ଓଡ଼ିଶା ବୃହତ୍ ରାଜ୍ୟଗୁଡ଼ିକ ମଧ୍ୟରେ ଅଷ୍ଟାଦଶ ସ୍ଥାନକୁ ଖସିଯାଇଛି। ଓଡ଼ିଶା ଏ କ୍ଷେତ୍ରରେ ୨୨.୬ ପଏଣ୍ଟ ପାଇଛି। ହିମାଚଳ ପ୍ରଦେଶ ୫୨.୧ ପଏଣ୍ଟ ସହିତ ପ୍ରଥମ ସ୍ଥାନ ହାସଲ କରିଛି। ନୂଆ ପଦକ୍ଷେପ ମାନଦଣ୍ଡରେ ମଧ୍ୟ ଓଡ଼ିଶାର ଅବସ୍ଥା ତଦୃପ। ୦.୯ ପଏଣ୍ଟ ସହିତ ଓଡ଼ିଶା ଅଷ୍ଟାଦଶ ସ୍ଥାନରେ ରହିଛି।

ରିପୋର୍ଟର ୬ଟି ମାନଦଣ୍ଡ ୨୭ଟି ସୂଚକାଙ୍କକୁ ନେଇ ପ୍ରସ୍ତୁତ ହୋଇଛି। ୬ଟି ମାନଦଣ୍ଡ ହେଲା ବିଦ୍ୟୁତ୍ ବଣ୍ଟନ କମ୍ପାନି ଗୁଡ଼ିକର ପ୍ରଦର୍ଶନ; ପହଞ୍ଚ, ସାମର୍ଥ୍ୟ ଓ ବିଶ୍ବସନୀୟତା; ସ୍ବଚ୍ଛ ଶକ୍ତି ପାଇଁ ପଦକ୍ଷେପ, ଶକ୍ତି ଦକ୍ଷତା, ଜଳବାୟୁ ନିରନ୍ତରତା ଓ ନୂତନ ପଦକ୍ଷେପ। ସେହି ଭଳି ୨୭ଟି ସୂଚକାଙ୍କ ମଧ୍ୟରେ ୯ଟି ଆଧାରରେ ବିଦ୍ୟୁତ୍ ବଣ୍ଟନ କମ୍ପାନିଗୁଡ଼ିକର ପ୍ରଦର୍ଶନର ଆକଳନ; ଶକ୍ତି ସୁବିଧା, ସାମର୍ଥ୍ୟ ଓ ବିଶ୍ବସନୀୟତା ପାଇଁ ୫, ସ୍ବଚ୍ଛ ଶକ୍ତି ପଦକ୍ଷେପ ପାଇଁ ୩, ଶକ୍ତି ଦକ୍ଷତା ପାଇଁ ୩, ଜଳବାୟୁ ସ୍ଥିରତା ପାଇଁ ୪ଟି ଓ ନୂତନ ପଦକ୍ଷେପ ପାଇଁ ୩ଟି ସୂଚକାଙ୍କ ରହିଥିଲା। ୬ଟି ମାନଦଣ୍ଡ ମଧ୍ୟରୁ ଓଡ଼ିଶାରେ ବଣ୍ଟନ କମ୍ପାନିର ପ୍ରଦର୍ଶନରେ ୫୯.୦ ସ୍କୋର୍‌, ଶକ୍ତି ସୁବିଧା, ସାମର୍ଥ୍ୟ ଓ ବିଶ୍ବସନୀୟତାରେ ୫୭.୪, ସ୍ବଚ୍ଛ ଶକ୍ତି ପଦକ୍ଷେପରେ ୪.୮, ଶକ୍ତି ଦକ୍ଷତାରେ ୨୧.୮, ଜଳବାୟୁ ସ୍ଥିରତାରେ ୨୨.୬ ଓ ନୂତନ ପଦକ୍ଷେପ ପାଇଁ ୦.୯ ସ୍କୋର ହାସଲ କରିଛି। ୨୦ଟି ବୃହତ ରାଜ୍ୟ ମଧ୍ୟରୁ ୬ଟି ରାଜ୍ୟ ‘ଫ୍ରଣ୍ଟ୍‌ ରନର୍‌’ ଶ୍ରେଣୀରେ ଥିବା‌ବେଳେ ଓଡ଼ିଶା ସମେତ ୧୦ଟି ରାଜ୍ୟ ‘ଆଚିଭର୍‌’ ଶ୍ରେଣୀରେ ରହିଛନ୍ତି। ଅନ୍ୟ ୪ ରାଜ୍ୟ ‘ଆସ୍ପାୟରିଂ’ ଶ୍ରେଣୀରେ ରହିଛନ୍ତି।

ସମ୍ବନ୍ଧିତ ଖବର