୩୬ଟି ରାଫେଲ ପାଇଁ ହୋଇଥିବା ନୂତନ ଚୁକ୍ତି ପୂର୍ବ ୧୨୬ଟି ରାଫେଲ ପାଇଁ ହୋଇଥିବା ପୁରୁଣା ଚୁକ୍ତି ଠାରୁ ‘ଅନେକ ଗୁଣରେ ଭଲ’: ଡେପୁଟି ଚିଫ୍‌ ଏୟାର ମାର୍ଶାଲ ଆର୍‌ ନାମ୍ବିଆର

ନୂଆଦିଲ୍ଲୀ: ସଂପ୍ରତି ଫ୍ରାନ୍ସର ଦାସଲ୍ଟ ଏଭିଏସନ୍‌ ଦ୍ୱାରା ନିର୍ମିତ ଲଢ଼ୁଆ ଯୁଦ୍ଧ ବିମାନ ରାଫେଲର କ୍ରୟକୁ ନେଇ ଦେଶରେ ଶାସକ ଓ ବିରୋଧୀ ଦଳ ମଧ୍ୟରେ ବାଦାଦୁବାଦ ଏବେ ଚରମ ସୀମାରେ ପହଞ୍ଚିଛି। ଏ ପରିସ୍ଥିତିରେ ଭାରତୀୟ ବାୟୁସେନାର ଡେପୁଟି ଚିଫ୍‌ ଏୟାର ମାର୍ଶାଲ ଆର୍‌ ନାମ୍ବିଆର ମଙ୍ଗଳବାର ଦିନ କହିଛନ୍ତି ଯେ ବର୍ତ୍ତମାନର ମୋଦିଙ୍କ ନେତୃତ୍ୱାଧୀନ ଏନ୍‌ଡିଏ ସରକାର ୩୬ଟି ରାଫେଲ ଲଢ଼ୁଆ ଯୁଦ୍ଧ ବିମାନ କ୍ରୟ ପାଇଁ ଯେଉଁ ଚୁକ୍ତି କରିଛନ୍ତି, ତାହା ପୂର୍ବ ୟୁପିଏ ସରକାର ଦ୍ୱାରା ୧୨୬ଟି ରାଫେଲ ବିମାନ କିଣିବା ପାଇଁ ହୋଇଥିବା ପୁରୁଣା ଚୁକ୍ତି ଠାରୁ ‘ଅନେକ ଗୁଣରେ ଭଲ’। ଫ୍ରାନ୍ସର ଦାସଲ୍ଟ ଏଭିଏସନ୍‌ ଦ୍ୱାରା ନିର୍ମିତ ଲଢ଼ୁଆ ଯୁଦ୍ଧ ବିମାନ ରାଫେଲର କ୍ରୟକୁ ନେଇ ଦେଶବାସୀଙ୍କୁ ଅଯଥା ବିଭ୍ରାନ୍ତ କରାଯାଉଛି ବୋଲି ମଧ୍ୟ କହିଛନ୍ତି ଭାରତୀୟ ବାୟୁସେନାର ଡେପୁଟି ଚିଫ୍‌ ଏୟାର ମାର୍ଶାଲ ଆର୍‌ ନାମ୍ବିଆର।

ରାଫେଲ ବିମାନ କ୍ରୟରେ ମୋଦି ସରକାରଙ୍କ ପକ୍ଷରୁ ବ୍ୟାପକ ଅନିୟମିତତା ହୋଇଛି ବୋଲି ଅଭିଯୋଗ କରି ବିରୋଧୀ କଂଗ୍ରେସ ସେଣ୍ଟ୍ରାଲ ଭିଜିଲାନ୍ସ କମିଶନ (ସିଭିସି)ଙ୍କ ନିକଟରେ ସୋମବାର ଦିନ ଅଭିଯୋଗ ଆଗତ କରିବାର ଦିନକ ପରେ ମଙ୍ଗଳବାର ଦିନ ବାୟୁସେନାର ଡେପୁଟି ଚିଫ୍‌ ଏୟାର ମାର୍ଶାଲ ଆର୍‌ ନାମ୍ବିଆରଙ୍କ ଏପ୍ରକାର ବୟାନ ଦେଶରେ ରାଜନୈତିକ ହଟଚମଟ ସୃଷ୍ଟି କରିଛି।

ତେବେ, ଗତ ସପ୍ତାହରେ ଫ୍ରାନ୍ସ ଯାଇ ସେଠାରେ ରାଫେଲର ପରୀକ୍ଷା ମୂଳକ ଉଡ଼ାଣ ଶେଷ କରି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବା ପରେ ଡେପୁଟି ଚିଫ୍‌ ଏୟାର ମାର୍ଶାଲ ଆର୍‌ ନାମ୍ବିଆର ଉପରୋକ୍ତ ମନ୍ତବ୍ୟ ଦେବା ସହ କହିଛନ୍ତି ଯେ ରାଫେଲ ହେଉଛି ବର୍ତ୍ତମାନ ସମଗ୍ର ବିଶ୍ୱରେ ଉପଲବ୍ଧ ଥିବା ସବୁଠାରୁ ଶ୍ରେଷ୍ଠ ଲଢ଼ୁଆ ବିମାନ; ଯାହାକି ସେନାର ସମସ୍ତ ପ୍ରକାରର ଆବଶ୍ୟକତାକୁ ପୂରଣ କରିପାରିବାର ସାମର୍ଥ୍ୟ ରଖିଛି। ଏଥିସହ ସମସ୍ତ ପ୍ରକାରର ସର୍ବାଧୁନିକ ଜ୍ଞାନକୌଶଳ ରାଫେଲ ବିମାନରେ ଉପଲବ୍ଧ ରହିଛି ଏବଂ ରାଫେଲର ସାମିଲ ପରେ ବାୟୁସେନାର ଶକ୍ତି ବହୁଗୁଣିତ ହୋଇଯିବ ବୋଲି ମଧ୍ୟ ସେ କହିଛନ୍ତି।

ସମ୍ବନ୍ଧିତ ଖବର