ପାରିକର୍‌ଙ୍କ ଶରୀର ରଖାଯାଇଥିବା ସ୍ଥାନର ‘ଶୁଦ୍ଧିକରଣ’ ପ୍ରସଙ୍ଗରେ ତଦନ୍ତାଦେଶ

ପାଣାଜୀ: ସତ୍କାର ପୂର୍ବରୁ ସର୍ବସାଧାରଣଙ୍କ ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ ନିମନ୍ତେ କଳା ଏକାଡେମିରେ ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ପାର୍ଥିବ ଶରୀର ରଖାଯାଇଥିବା ସ୍ଥାନର ‘ଶୁଦ୍ଧିକରଣ’ କରାଯାଇଥିବା ଖବର ପ୍ରକାଶ ପାଇବା ପରେ ଗୋଆର କଳା ଓ ସଂସ୍କୃତି ମନ୍ତ୍ରୀ ଗୋବିନ୍ଦ ଗୌଡ଼େ ଘଟଣାର ତଦନ୍ତାଦେଶ ଦେଇଛନ୍ତି।

ପ୍ରତିଷ୍ଠାନର କେତେ ଜଣ କର୍ମଚାରୀଙ୍କ ନିର୍ଦେଶରେ ‘ଶୁଦ୍ଧିକରଣ’ ହୋଇଥିଲା। ଏଥିରେ ଚାରିଜଣ ପୁରୋହିତ ମନ୍ତ୍ରପାଠ କରିଥିଲେ। ସାମାଜିକ ଗଣମାଧ୍ୟମରେ ଏହି ଅନୁଷ୍ଠାନର ଦୃଶ୍ୟାବଳୀ ଭାଇରାଲ୍‌ ହେବା ପରେ କଥା ଲୋକଲୋଚନକୁ ଆସିଥିଲା। ଏହା ପାରିକରଙ୍କ ସ୍ମୃତି ପ୍ରତି ଅପମାନ ବୋଲି କହି ଅନେକ ଉତ୍‌କ୍ଷିପ୍ତ ହୋଇ ପଡ଼ିଥିଲେ।

ନାମ ଗୋପନ ରଖିବାକୁ ଅନୁରୋଧ କରି ଜଣେ ସରକାରୀ କର୍ମଚାରୀ କହିଛନ୍ତି: ଏହା ଲାଜ କଥା ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଅପମାନ।
କଳା ଓ ସଂସ୍କୃତି ମନ୍ତ୍ରୀ ଗୋବିନ୍ଦ ଗୌଡ଼େ କହିଛନ୍ତି ଯେ ସେ ତଦନ୍ତାଦେଶ ଦେଇଛନ୍ତି।

ସେ କହନ୍ତି: କଳା ଏକାଡେମି ପରିସରରେ ‘ଶୁଦ୍ଧି କରଣ’ ନାଁ’ରେ କିଛି କାର୍ଯ୍ୟକଳାପ ହୋଇଥିବା ଖବର ପାଇଛି। ସରକାରୀ କୋଠାରେ ଆମେ ଅବୈଜ୍ଞାନିକ କାର୍ଯ୍ୟକଳାପର ପ୍ରସାରଣ କିଂବା ପୃଷ୍ଠପୋଷକତା କରି ପାରିବୁ ନାହିଁ।

କିନ୍ତୁ କି, ପ୍ରକାର ପୂଜାନୁଷ୍ଠାନ ହୋଇଥିଲା ସେ ସଂକ୍ରାନ୍ତରେ ସେ ଜାଣନ୍ତି ନାହିଁ ବୋଲି କହିଛନ୍ତି।

ସରକାରଙ୍କ ଅନୁମତିରେ ସରକାରୀ ଚାଳିତ ପ୍ରତିଷ୍ଠାନଗୁଡ଼ିକରେ କର୍ମଚାରୀମାନେ ସାଧାରଣତଃ ବର୍ଷକୁ ଥରେ ଧାର୍ମିକ ଅନୁଷ୍ଠାନ କରନ୍ତି। କିନ୍ତୁ, ଏ ଅନୁଷ୍ଠାନ ଲାଗି ତାଙ୍କର ଅନୁମତି ଲୋଡ଼ା ଯାଇ ନ ଥିଲା।

ସୋମବାର ଦିନ ତଦନ୍ତ ରିପୋର୍ଟ ମିଳିଲେ ପ୍ରକୃତ କଥା ଜଣାପଡ଼ିବ।

ସମ୍ବନ୍ଧିତ ଖବର