ଏନ୍‌ଡିଏରେ ଫାଟ: ଝାଡ଼ଖଣ୍ଡରେ ଏଲ୍‌ଜେପି ଏକାକୀ ଲଢ଼ିବ

ବି‌ଜେପି ବିରୋଧରେ ପ୍ରାର୍ଥୀ ଘୋଷଣା କଲା ଏଜେଏସ୍‌ୟୁ

ନୂଆଦିଲ୍ଲୀ : ମହାରାଷ୍ଟ୍ରରେ ଶିବସେନା ସହ ବିଜେପିର ସଂପର୍କ ତୁଟି ଯାଇଥିବା ବେଳେ ଝାଡ଼ଖଣ୍ଡରେ ବି ବିଜେପିକୁ ଶକ୍ତ ଝଟ୍‌କା ଲାଗିଛି। ଆସନ୍ତା ନଭେମ୍ବର ୩୦ ତାରିଖରେ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଆରମ୍ଭ ହେଉଥିବା ବେଳେ ନିର୍ବା‌ଚନ ପାଇଁ ପ୍ରସ୍ତୁତି ବି ଜୋରଦାର ହେଲାଣି। କିନ୍ତୁ ଏନ୍‌ଡିଏ ମେଣ୍ଟ ସହଯୋଗୀ ଏଲ୍‌ଜେପି (ଲୋକ ଜନଶକ୍ତି ପାର୍ଟି) ଶେଷ ମୁହୂର୍ତ୍ତରେ ଏକାକୀ ନିର୍ବାଚନ ଲଢ଼ିବ ବୋଲି ଘୋଷଣା କରିଛି। ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍‌ବୋଧନ ଦେଇ କେନ୍ଦ୍ର ମନ୍ତ୍ରୀ ରାମ ବିଳାସ ପାଶ୍ବାନ୍‌ଙ୍କ ପୁଅ ତଥା ଏଲ୍‌ଜେପି ଅଧ୍ୟକ୍ଷ ଚିରାଗ୍‌ ପାଶ୍ବାନ୍‌ କହିଛନ୍ତି, ଦଳର ରାଜ୍ୟ ଶାଖା ଦ୍ବାରା ନିର୍ବାଚନ ଏକାକୀ ଲଢ଼ିବାପାଇଁ ନିଷ୍ପତ୍ତି ନିଆଯାଇଛି ଏବଂ ଏଲ୍‌ଜେପି ଝାଡ଼ଖଣ୍ଡର ୫୦ଟି ଆସନରେ ନିର୍ବାଚନ ଲଢ଼ିବାପାଇଁ ନିଷ୍ପତ୍ତି ହୋଇଛି। ଖୁବ୍‌ ଶୀଘ୍ର ଦଳ ପକ୍ଷରୁ ପ୍ରାର୍ଥୀ ତାଲିକା ଘୋଷଣା‌ କରାଯିବ। ତେବେ ଖାଲି ଏଲ୍‌ଜେପି ନୁ‌ହେଁ ପୂର୍ବରୁ ନୀତୀଶଙ୍କ ‌ନେତୃତ୍ବାଧୀନ ଜେଡିୟୁ (ଜନତା ଦଳ ୟୁନାଇଟେଡ୍‌ ) ମଧ୍ୟ ବିଧାନସଭା ନିର୍ବାଚନ ସ୍ବାଧୀନ ଭାବେ ଲଢ଼ିବ ବୋଲି ନିଷ୍ପତ୍ତି ଶୁଣାଇଥିଲେ। ଉଲ୍ଲେଖଯୋଗ୍ୟ ବିହାରରେ ଏବେ ବିଜେପି ,ଏଲ୍‌ଜେପି ଏବଂ ଜେଡିୟୁ ସରକାର ଥିବା‌ବେଳେ ଝାଡ଼ଖଣ୍ଡରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି।

ଅନ୍ୟପକ୍ଷେ ଏନ୍‌ଡିଏର ଅନ୍ୟ ଏକ ସହଯୋଗୀ ଦଳ ଏଜେଏସ୍‌ୟୁ (ଅଲ୍‌ ଝାଡ଼ଖଣ୍ଡ ଷ୍ଟୁଡେଣ୍ଟ୍‌ସ ୟୁନିଅନ୍‌) ମଧ୍ୟ ଏହାର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏହି ତାଲିକାରେ ଦଳ ଯେଉଁ ଆସନ ଗୁଡ଼ିକରେ ପ୍ରାର୍ଥୀ ଘୋଷଣା କରିଛି ସେଥିରୁ ୩ଟିରେ ବିଜେପି ମଧ୍ୟ ପ୍ରାର୍ଥୀ ଘୋଷଣା କରିଛି। ବିଜେପିର ବରିଷ୍ଠ ନେତାଙ୍କ ବିରୋଧରେ ଏଜେଏସ୍‌ୟୁ ପ୍ରାର୍ଥୀ ଘୋଷଣା କରିଥିବାରୁ ଏହା ବିଜେପିର ସମସ୍ୟା ବଢ଼ାଇ ଦେଇଛି।

ସମ୍ବନ୍ଧିତ ଖବର