ପୁଲ୍‌ୱାମା ଆତ୍ମଘାତୀ ଆକ୍ରମଣ ମାମଲା: ଆଇଇଡି ପାଇଁ ଆମାଜନ୍‌ରୁ କେମିକାଲ୍‌ କିଣାଯାଇଥିଲା

ଆଉ ୨ ଜଣଙ୍କୁ ଗିରଫ କଲା ଏନ୍‌ଆଇଏ

ନୂଆଦିଲ୍ଲୀ: ୨୦୧୯ ପୁଲୱାମା ଆତ୍ମଘାତୀ ଆତଙ୍କବାଦୀ ଆକ୍ରମଣ ମାମଲାରେ ଏନ୍‌ଆଇଏ ପୁଣି ଆଉ ୨ ଜଣଙ୍କୁ ଗିରଫ କରିଛି। ଆକ୍ରମଣ ପାଇଁ ବ୍ୟବହାର ହୋଇଥିବା ଆଇଇଡିରେ ଯେଉଁ କେମିକାଲ୍‌ ବ୍ୟବହାର ହୋଇଥିଲା ତାହା କିଣିଥିବା ଯୁବକକୁ ଏନ୍‌ଆଇଏ ଗିରଫ କରିଛି। ଉକ୍ତ ଯୁବକର ନାମ ୱେଜ୍‌ ଉଲ୍‌ ଇସଲାମ୍‌। ୧୯ ବର୍ଷୀୟ ଇସଲାମ୍‌ର ଘର ଶ୍ରୀନଗରରେ। ଇସଲାମ୍‌ ସହ ହକ୍ରିପୁରାର ଜଣେ ୩୨ ବର୍ଷୀୟ ଯୁବକ ମହମ୍ମଦ ଆବ୍ବାସ ରାଥର୍‌ ମଧ୍ୟ ଏନ୍‌ଆଇଏ ଦ୍ବାରା ଗିରଫ ହୋଇଛି। ଇସଲାମ୍‌ ଆମାଜନ୍‌ରୁ ଆଇଇଡି ପ୍ରସ୍ତୁତ ପାଇଁ କେମିକାଲ କିଣିଥିଲା। ଏହି ୨ ଜଣ ଗିରଫ ହେବା ସହ ପୁଲ୍‌ୱାମା ଆକ୍ରମଣ ମାମଲାରେ ଗିରଫଙ୍କ ସଂଖ୍ୟା ୫କୁ ବୃଦ୍ଧି ପାଇଛି। ପୂର୍ବରୁ ଗତ ୩ ତାରିଖରେ ଏନ୍‌ଆଇଏ ଜମ୍ମୁ କାଶ୍ମୀର ଲେଥ୍‌ପୁରାର ଦୁଇ ଜଣ ବାପ ଝିଅ ତଥା ତାରିକ୍‌ ଅହମଦ ଶାହ ଏବଂ ଇନ୍‌ଶା ତାରିକ୍‌କୁ ଗିରଫ କରିଥିଲେ। ତଦନ୍ତ ସମୟରେ ତାରିକ୍‌ ସ୍ବୀକାର କରିଥିଲା ଯେ ହକ୍ରିପୁରା ସ୍ଥିତ ତା’ ବାସଭବନକୁ ଆତଙ୍କବାଦୀମାନେ ଆଶ୍ରୟ ପାଇଁ ବ୍ୟବହାର କରୁଥିଲେ ଏବଂ ସିଆରପିଏଫ୍‌ ଗାଡ଼ି ଉପରେ ଆକ୍ରମଣ ଯୋଜନା କରିଥିଲେ।

ସମ୍ବନ୍ଧିତ ଖବର