ପୁନେ ଦେଶର ସବୁଠାରୁ ଭଲ ବାସଯୋଗ୍ୟ ସହର, ୧୮ ତମ ସ୍ଥାନରେ ଭୁବନେଶ୍ୱର

ପ୍ରକାଶ ପାଇଲା କେନ୍ଦ୍ର ସରକାରଙ୍କ ଇଜ ଅଫ ଲିଭିଂ ସୂଚକାଙ୍କ

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଜି ପ୍ରଥମ ଥର ପାଇଁ ଇଜ ଅଫ ଲିଭିଂ ସୂଚକାଙ୍କ ପ୍ରକାଶ ପାଇଛି । ପ୍ରଥମ ୩ ସ୍ଥାନରେ ରହିଛି ମହାରାଷ୍ଟ୍ରର ୩ଟି ସହର ପୁନେ, ନଭି ମୁମ୍ବାଇ ଓ ଗ୍ରେଟର ମୁମ୍ବାଇ । ଏହି ତାଲିକା ଅନୁସାରେ ଏହି ୩ଟି ସହର ହେଉଛନ୍ତି ଦେଶର ସବୁଠାରୁ ଭଲ ବାସଯୋଗ୍ୟ ସହର । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଦେଶର ଶ୍ରେଷ୍ଠ ସ୍ମାର୍ଟ ସିଟି ବୋଲି ଆମ ରାଜ୍ୟରେ ହୁରି ପଡିଥିବାବେଳେ ଏହି ତାଲିକାର ପ୍ରଥମ ୧୦ଟି ସ୍ଥାନରେ ଭୁବନେଶ୍ୱର ସ୍ଥାନ ପାଇନାହିଁ । ଏହି ସର୍ବେକ୍ଷଣରେ ଭାଗ ନେଇଥିବା ମୋଟ ୧୧୧ଟି ସହର ମଧ୍ୟରୁ ଭୁବନେଶ୍ୱର ୧୮ ନମ୍ବର ସ୍ଥାନରେ ରହିଛି । ଏପରି ବିଭିନ୍ନ ବର୍ଗ ଅନୁସାରେ ପ୍ରସ୍ତୁତ ଉପ-ତାଲିକାଗୁଡ଼ିକରେ ମଧ୍ୟ ଭୁବନେଶ୍ୱର ପ୍ରଥମ ୧୦ଟି ସ୍ଥାନରେ ନାହିଁ । ଏହି ସୂଚକାଙ୍କ ପାଇଁ ଏକ ସାମଗ୍ରୀକ ତାଲିକା ପ୍ରସ୍ତୁତ କରାଯାଇଥିବାବେଳେ ୪ଟି ବର୍ଗକୁ ନେଇ ୪ଟି ଉପ-ତାଲିକା ମଧ୍ୟ ପ୍ରସ୍ତୁତ କରାଯାଇଛି । ଏହି ୪ଟି ବର୍ଗ ହେଲା ସଂସ୍ଥାଗତ, ସାମାଜିକ, ଆର୍ଥିକ ଓ ଭୌତିକ (ଭିତ୍ତିଭୂମି) ଆଦି । ଏହି ୪ଟି ତାଲିକାରେ କୌଣସିଟିରେ ମଧ୍ୟ ଭୁବନେଶ୍ୱର ପ୍ରଥମ ୧୦ଟି ସ୍ଥାନରେ ନାହିଁ । ବିଭିନ୍ନ ସଂସ୍ଥାଗତ ସୁବିଧାଥିବା ଦେଶର ୧ନମ୍ବର ସହର ହେଉଛି ନଭି ମୁମ୍ବାଇ, ସାମାଜିକ ସୁବିଧା ଥିବା ଶ୍ରେଷ୍ଠ ସହର ହେଉଛି ତିରୁପତି, ଆର୍ଥିକ ସୁବିଧା ଥିବା ଶ୍ରେଷ୍ଠ ସହର ହେଉଛି ଚଣ୍ଡିଗଡ଼ ଓ ଭିତ୍ତିଭୂମି ସୁରକ୍ଷା ଥିବା ଶ୍ରେଷ୍ଠ ସହର ହେଉଛି ଗ୍ରେଟର ମୁମ୍ବାଇ ।

ଅନ୍ୟପକ୍ଷରେ ଜନସଂଖ୍ୟା ଅନୁସାରେ ଏହି ସର୍ବେକ୍ଷଣକୁ ୪ ଭାଗରେ ବିଭକ୍ତ କରାଯାଇଥିଲା । ଏଗୁଡ଼ିକ ହେଉଛି ୪୦ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସହର, ୧୦ରୁ ୪୦ ଲକ୍ଷ ବିଶିଷ୍ଟ ସହର, ୫ ଲକ୍ଷରୁ ୧୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ସହର ଓ ୫ ଲକ୍ଷରୁ କମ ଜନସଂଖ୍ୟା ବିଶିଷ୍ଟ ସହର ।

ସମ୍ବନ୍ଧିତ ଖବର