ପୁଣି ଆରମ୍ଭ ହେଲା ପଞ୍ଜାବ କନ୍ଦଳ, ସିଦ୍ଧୁଙ୍କ ପରାମର୍ଶଦାତାଙ୍କୁ ଚେତାବନୀ ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ

ଚଣ୍ଡୀଗଡ଼: କିଛି ଦିନର ଶାନ୍ତି ପରେ ପଞ୍ଜାବ କଂଗ୍ରେସରେ ପୁଣି କନ୍ଦଳ ଆରମ୍ଭ ହୋଇଛି । ନିକଟରେ ପଞ୍ଜାବ କଂଗ୍ରେସର ସଭାପତି ଭାବରେ ନିଯୁକ୍ତ ହୋଇଥିବା ନବଜୋତ ସିଂ ସିଦ୍ଧୁଙ୍କ ପରାମର୍ଶଦାତାଙ୍କ ପୋଷ୍ଟକୁ ନେଇ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ କ୍ରୋଧିତ ହୋଇଛନ୍ତି। ପାକିସ୍ତାନ, ଜମ୍ମୁ-କଶ୍ମୀର ଉପରେ ଦେଇଥିବା ମନ୍ତବ୍ୟକୁ ଦେଶର ଶାନ୍ତି ବିପର୍ଯ୍ୟସ୍ତ ବୋଲି ବର୍ଣ୍ଣନା କରି ସେ ଏପରି ସମ୍ବେଦନଶୀଳ ପ୍ରସଙ୍ଗରେ ମୁହଁ ନ ଖୋଲିବାକୁ ପରାମର୍ଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ରବୀନ ଠୂକରାଲ ଟ୍ୱିଟରରେ ଲେଖିଛନ୍ତି ଯେ ସିଦ୍ଧୁଙ୍କ ପରାମର୍ଶଦାତାଙ୍କ ବୟାନକୁ ନେଇ କ୍ୟାପଟେନ ଅସନ୍ତୋଷ ଜାହିର କରିଛନ୍ତି |

ସୂଚନା ମୁତାବକ ପଞ୍ଜାବ କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁଙ୍କ ପରାମର୍ଶଦାତା ମାଲବିନ୍ଦର ସିଂ ମାଲି କଶ୍ମୀରକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ମାଲି ତାଙ୍କ ଫେସବୁକରେ ଏକ ପୋଷ୍ଟରେ ଲେଖିଥିଲେ ଯେ କାଶ୍ମୀର ଏକ ଅଲଗା ଦେଶ, ଭାରତ ଏବଂ ପାକିସ୍ତାନ ଏହାକୁ ବେଆଇନ ଭାବେ କବଜା କରି ନେଇଛନ୍ତି। ମାଲି ଲେଖିଥିଲେ ଯେ କଶ୍ମୀର ଉପରେ କଶ୍ମୀର ଲୋକଙ୍କର ହିଁ ଅଧିକାର ରହିଛି | ଏହି ପୋଷ୍ଟ ପରେ ବିଜେପି ଏବଂ ଶିରୋମଣି ଅକାଳୀ ଦଳ ମଧ୍ୟ ଟାର୍ଗେଟ କରିଛନ୍ତି।

ଶିରୋମଣି ଅକାଳୀ ଦଳ ମାଲିଙ୍କର ଏହି ବିବୃତ୍ତିକୁ ଶହୀଦଙ୍କ ପରିବାର ପ୍ରତି ଅପମାନ ବୋଲି କହିଥିଲେ। ଏଥି ସହ ବିଜେପି ମାଲିଙ୍କ ବିବୃତ୍ତିକୁ ସମାଲୋଚନା କରି ପଞ୍ଜାବ ସରକାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲା । ଏହି ଲୋକମାନେ ପଞ୍ଜାବକୁ କେଉଁ ଦିଗକୁ ନେଉଛନ୍ତି ତାହା ଦର୍ଶାଉଛି ବୋଲି ବିଜେପି କହିଛି। ତେବେ ଏହା ପ୍ରଥମ ଘଟଣା ନୁହେଁ ଯେ ମାଲି ଏହି ବିବାଦୀୟ ବିବୃତ୍ତି ଦେଇଛନ୍ତି। ଅଗଷ୍ଟ ୧୪ ରେ ମାଲି ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ, ପ୍ରଧାନମନ୍ତ୍ରୀ ମୋଦୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ରାଜ୍ୟରେ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି କରିଥିବା ଅଭିଯୋଗ ଆଣିଥିଲେ |

ସମ୍ବନ୍ଧିତ ଖବର