ପୁଟିନଙ୍କ ଚକିତକାରୀ ଘୋଷଣା: ୟୁକ୍ରେନ୍‌ ଯୁଦ୍ଧ ଏଇମାତ୍ର ଆରମ୍ଭ ହେଲା

ସାହସ ଅଛି ତ ପାଶ୍ଚାତ୍ୟ ଦେଶ ଯୁଦ୍ଧକ୍ଷେତ୍ରରେ ସାମନା କରୁ

ମସ୍କୋ : ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଗୁରୁବାର କହିଛନ୍ତି ଯେ ୟୁକ୍ରେନ୍‌ରେ ରୁଷିଆର ଯୁଦ୍ଧ ଏଇମାତ୍ର ଆରମ୍ଭ ହୋଇଛି। ପାଶ୍ଚାତ୍ୟ ଦେଶଗୁଡ଼ିକର ଯଦି ସାହସ ଅଛି ତା’ହେଲେ ସେମାନେ ଯୁଦ୍ଧକ୍ଷେତ୍ରରେ ସାମନା କରନ୍ତୁ। ଏଥି ସହ ଶାନ୍ତି କଥାବାର୍ତ୍ତା ପାଇଁ ମସ୍କୋ ସର୍ବଦା ପ୍ରସ୍ତୁତ ବୋଲି ମଧ୍ୟ ପୁଟିନ କହିଛନ୍ତି।

ସଂସଦୀୟ ନେତାମାନଙ୍କୁ ଉଦ୍‌ବୋଧନ ଦେବା ଅବସରରେ ପୁଟିନ କହିଲେ ଯେ, ଯୁଦ୍ଧକୁ ଯେତେ ଅଧିକ ଦିନ ଯାଏ ଚଳାଇ ରଖିବାକୁ ବାଧ୍ୟ କରାଯିବ ଶାନ୍ତି କଥାବାର୍ତ୍ତା ମାଧ୍ୟମରେ ସମାଧାନର ସମ୍ଭାବନା ସେତେ ମଳିନ ପଡ଼ିଯିବ। ଆମେ ଏବେ ଶୁଣିବାକୁ ପାଉଛୁ ଯେ ସେମାନେ (ପାଶ୍ଚାତ୍ୟ ଦେଶଗୁଡ଼ିକ) କୁଆଡ଼େ ଆମକୁ ଯୁଦ୍ଧରେ ହରାଇବେ। ଆମେ କେବଳ ଏତିକି କହିପାରିବୁ, ସେମାନେ ଥରେ ଚେଷ୍ଟା କରି ଦେଖନ୍ତୁ ବୋଲି ପୁଟିନ କହିଥିଲେ। ଆମେ ବହୁବାର ଶୁଣିଛୁ ଯେ ଶେଷ ୟୁକ୍ରେନୀୟ ବଞ୍ଚିଥିବା ପର୍ଯ୍ୟନ୍ତ ପାଶ୍ଚାତ୍ୟ ଦେଶଗୁଡ଼ିକ ଲଢ଼େଇ କରିବାକୁ ଚାହୁଁଛନ୍ତି। ଏହା ୟୁକ୍ରେନ୍‌ବାସୀଙ୍କ ପାଇଁ ଅତ୍ୟନ୍ତ ଦୁଃଖଦାୟକ ଘଟଣା ହେବ। କିନ୍ତୁ ଏବେ ଜଣାପଡ଼ୁଛି ସବୁକିଛି ସେଇ ଆଡ଼କୁ ହିଁ ଗତି କରୁଛି। ପାଶ୍ଚାତ୍ୟ ଦେଶଗୁଡ଼ିକ ରୁଷ୍ ଉପରେ ଆର୍ଥିକ କଟକଣା ଲାଗୁ କରି ଛାୟାଯୁଦ୍ଧ ଚଳାଇଛନ୍ତି। ୟୁକ୍ରେନ୍‌କୁ ଅସ୍ତ୍ରଶସ୍ତ୍ର ଯୋଗାଇ ଯୁଦ୍ଧକୁ ଅଧିକ ଦିନ ଯାଏ ଚଳେଇ ରଖିବାକୁ ଚାହୁଁଛନ୍ତି।

ପୁଟିନ କହିଛନ୍ତି, ପ୍ରତ୍ୟେକ ଲୋକ ଜାଣି ରଖିବା ଉଚିତ ଯେ ଆମେ ଏପର୍ଯ୍ୟନ୍ତ ପୂର୍ଣ୍ଣ ସାମର୍ଥ୍ୟରେ ଯୁଦ୍ଧ ଆରମ୍ଭ କରିନାହୁଁ। ତା’ ସହ ଆମେ ଶାନ୍ତି କଥାବାର୍ତ୍ତାକୁ ମଧ୍ୟ ପ୍ରତ୍ୟାଖ୍ୟାନ କରିନାହୁଁ। କିନ୍ତୁ ଯେଉଁମାନେ କଥାବାର୍ତ୍ତା ମାଧ୍ୟମରେ ଶାନ୍ତି ସମ୍ଭାବନାକୁ ଏଡ଼ାଇ ଚାଲିଛନ୍ତି ସେମାନେ ଜାଣିରଖିବା ଉଚିତ ଯେ ପରେ ସେହି ବାଟ ବନ୍ଦ ହୋଇଯାଇପାରେ ବୋଲି ପୁଟିନ କହିଛନ୍ତି।

ଫେବ୍ରୁଆରି ୨୪ରୁ ଯୁଦ୍ଧ ଆରମ୍ଭ ହେବା ପରଠାରୁ ରୁଷିଆ ୟୁକ୍ରେନ୍‌ର ଅନେକ ଅଞ୍ଚଳ ଦଖଲ କରିସାରିଲାଣି ଏବଂ ଯୁଦ୍ଧରେ ବହୁ କୋଠାବାଡ଼ି ଓ ଧନଜୀବନ ନଷ୍ଟ ହେଲାଣି। ଯେତେ ଅଧିକ ଦିନ ଯୁଦ୍ଧ ଚାଲିବ ଉଭୟ ପକ୍ଷର ସେତେ ଅଧିକ କ୍ଷତି ହେବ ଏବଂ ୟୁକ୍ରେନ୍‌ ଶ୍ମଶାନ ପାଲଟିଯିବ। କିନ୍ତୁ ୟୁକ୍ରେନ୍‌ ଶାନ୍ତି କଥାବାର୍ତ୍ତାକୁ ଆଗେଇ ନେବାକୁ ଚାହୁଁ ନ ଥିବା ପରିତାପର ବିଷୟ ବୋଲି ପୁଟିନ କରିଛନ୍ତି।

ସମ୍ବନ୍ଧିତ ଖବର