କରୋନା ମହାମାରୀ ସତ୍ତ୍ବେ ଭାରତକୁ ରାଫେଲ ଯୋଗାଣ ବିଳମ୍ବ ହେବ ନାହିଁ : ଫ୍ରାନ୍ସ ମନ୍ତ୍ରୀ

ନୂଆଦିଲ୍ଲୀ : କରୋନା ଭାଇରସ ମହାମାରୀ ସତ୍ତ୍ବେ ଭାରତକୁ ଠିକ ସମୟରେ ରାଫେଲ ବିମାନ ଯୋଗାଣ ହେବ ବୋଲି ଫ୍ରାନ୍ସ କହିଛି । ଫ୍ରାନ୍ସର ସଶସ୍ତ୍ର ସେନା ମନ୍ତ୍ରୀ ଫ୍ଲୋରେନ୍ସ ପାର୍ଲେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଟେଲିଫୋନ ମାଧ୍ୟମରେ ଆଲୋଚନା କରିବାବେଳେ ଏହି ପ୍ରତିଶ୍ରୁତି ଦେଇଛନ୍ତି ।

ଏହି ଟେଲିଫୋନ ଆଲୋଚନା ସଂପର୍କରେ ରାଜନାଥ କହିଛନ୍ତି ଯେ ସେ କରୋନା ପରିସ୍ଥିତି, ଆଞ୍ଚଳିକ ସୁରକ୍ଷା ପରିସ୍ଥିତି ସଂପର୍କରେ ସେ ପାର୍ଲେଙ୍କ ସହ କଥାବାର୍ତ୍ତା ହୋଇଛନ୍ତି । ଏହା ସହିତ ପ୍ରତିରକ୍ଷା କ୍ଷେତ୍ରରେ ଦୁଇଦେଶ ମଧ୍ୟରେ ସଂପର୍କକୁ ଆହୁରି ସୁଦ୍‌ଢ କରାଯିବ ବୋଲି ସେ କହିଛନ୍ତି ।

ଉଲ୍ଲେଖଯୋଗ ଯେ ମେ ମାସରେ ଭାରତ ଆସିବାକୁ ଥିବା ରାଫେଲ ବିମାନ ଜୁଲାଇରେ ଆସିବ । ଭାରତକୁ ୩ଟି ଟ୍ରେନର ଏୟାରକ୍ରାଫ୍ଟ ଓ ଗୋଟିଏ ଲଢୁଆ ବିମାନ ଆସିବ । ଟ୍ରେନର ରାଫେଲଗୁଡ଼ିକ ଆରବି ସିରିଜର ଆସିବ ।

ଭାରତରେ ପ୍ରଥମ ୪ଟି ରାଫେଲ ବିମାନ ପହଞ୍ଚିବାପରେ  ପ୍ରତି ୪୫ ଦିନରେ ଗୋଟିଏ ଲେଖାଏଁ ରାଫେଲ ବିମାନ ପହଞ୍ଚିବ ଓ ଆସନ୍ତା ୨୦୨୨ ସୁଦ୍ଧା ସମସ୍ତ ୩୬ଟି ରାଫେଲ ବିମାନ ଭାରତୀୟ ବାୟୁସେନା ହାତକୁ ଆସିଯାଇଥିବ ।

ଭାରତ ସରକାର ୨୦୧୬ରେ ୩୬ଟି ରାଫେଲ ବିମାନ ଯୋଗାଇବା ପାଇଁ ୫୯ ହଜାର କୋଟି ଟଙ୍କାର ଏକ ଚୁକ୍ତି କରିଥିଲେ । ଏହି ଯୁଦ୍ଧ ବିମାନ ଆସିବା ପରେ ଭାରତୀୟ ବାୟୁସେନାର ଶକ୍ତି ବହୁଗୁଣିତ ହେବା ଆଶା କରାଯାଉଛି ।

ସମ୍ବନ୍ଧିତ ଖବର