ରାଜସ୍ଥାନରେ ବିଦ୍ରୋହୀଙ୍କ ଘରବାହୁଡ଼ା ପରେ ରାହୁଲ ଘରସଜଡ଼ା ଆରମ୍ଭ କରିବେ

ନୂଆଦିଲ୍ଲୀ: ରାଜସ୍ଥାନରେ କଂଗ୍ରେସର ବିଦ୍ରୋହ ଥଣ୍ଡା ପଡ଼ିଯିବା ଦଳୀୟ ନେତୃତ୍ବ ପାଇଁ ଏକ ବଡ଼ ଆଶ୍ବସ୍ତିର କାରଣ ହୋଇଛି। ବିଦ୍ରୋହୀ ନେତାମାନେ ମାସେ ହେଲା ଦଳକୁ ନାକେଦମ କରି ରଖିଥିଲେ। ବିଦ୍ରୋହୀ ନେତା ସଚିନ ପାଇଲଟ୍‌ଙ୍କ ଘରବାହୁଡ଼ା ସହ ଜାତୀୟସ୍ତରରେ ପୁନରୁଦ୍ଧାର ପାଇଁ କଂଗ୍ରେସର ଆଶା ଉଜ୍ଜୀବିତ ହୋଇଛି। ପାଇଲଟଙ୍କ ଘରବାହୁଡ଼ାର ସମସ୍ତ ଶ୍ରେୟ କଂଗ୍ରେସର ଭାଇ-ଭଉଣୀ ନେତୃତ୍ବ ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କର ବୋଲି ଚର୍ଚ୍ଚା ହେଉଛି। ଉଭୟ ଯୁବ ଓ ପୁରୁଖା ଦଳୀୟ ନେତାଙ୍କ ସହଯୋଗରେ ଏହି ଯୋଡ଼ି ସେମାନଙ୍କ ମିଳାମିଶା ପ୍ରୟାସରେ ସଚିନଙ୍କ ମନରେ ଭରସା ଆଣିବାରେ ସକ୍ଷମ ହୋଇ ପାରିଛନ୍ତି। ଅପରପକ୍ଷେ, ସଚିନଙ୍କ ଘରବାହୁଡ଼ା ଦ୍ବାରା ରାଜ୍ୟରେ କଂଗ୍ରେସ ସରକାର କ୍ଷମତାଚ୍ୟୁତ ହେବାରୁ ଅଳ୍ପକେ ବର୍ତ୍ତିଯାଇଛି। ତେବେ ଦଳର ଏହି ଆଭ୍ୟନ୍ତରୀଣ କନ୍ଦଳରେ ସଫଳତା ହାସଲ କରିଥିବା କଂଗ୍ରେସ ନେତୃତ୍ବ କେବେ ଏତିକିରେ ଆତ୍ମସନ୍ତୁଷ୍ଟ ହୋଇ ରହିପାରିବେ ନାହିଁ। କାରଣ କର୍ଣ୍ଣାଟକ ଓ ମଧ୍ୟପ୍ରଦେଶରେ କଂଗ୍ରେସ ସରକାରଙ୍କୁ ଭାଙ୍ଗି ଏବଂ ଗୋଆ ଓ ଅନ୍ୟ କିଛି ରାଜ୍ୟରେ ସଂଖ୍ୟାଗରିଷ୍ଠତା ନଥାଇ ମଧ୍ୟ ବିଜେପିର ଏପରି କ୍ଷମତା ଦଖଲ ପରେ କଂଗ୍ରେସର ଅସଲି ନେତୃତ୍ବ କୁଆଡ଼େ ଗଲା ବୋଲି ସଚେତନ କର୍ମୀ ତଥା ସମର୍ଥକମାନେ ପ୍ରଶ୍ନ କରିବା ଆରମ୍ଭ କରିଛନ୍ତି।

ଲଗାତାର ଦୁଇ ଦୁଇ ଥର ଲୋକସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ସାଙ୍ଗକୁ ଅସୁସ୍ଥ ସୋନିଆ ଗାନ୍ଧିଙ୍କ ପରେ ଦଳର ନେତୃତ୍ବ କିଏ ସମ୍ଭାଳିବ ସେ ସମ୍ପର୍କରେ ଜାରି ରହିଥିବା ଅନିଶ୍ଚିତତା ଯୋଗୁଁ ଦଳର ବିଭିନ୍ନ ପଦପଦବି ମଧ୍ୟରେ ମଧ୍ୟ ଅସହଜତା ଅନୁଭୂତ ହେବାରେ ଲାଗିଛି। ତେବେ ସମ୍ପ୍ରତି ରାହୁଲ-ପ୍ରିୟଙ୍କା ଯେଭଳି ଉଲ୍ଲେଖନୀୟ ଦୃଢ଼ତା ଓ ତତ୍ପରତାର ସହ ରାଜସ୍ଥାନ ସଂକଟକୁ ଟାଳି ଦେଇପାରିଲେ, ତାହା ଦ୍ବାରା କିଛି ପରିମାଣରେ ନୈରାଶ୍ୟଭାବ ଦୂରହୋଇପାରିଛି। ତଥାପି ଭାରତର ବିଶେଷ କରି ଯୁବଗୋଷ୍ଠୀଙ୍କ ଭାବାବେଗକୁ ଧରି ରଖିବା ଲାଗି କଂଗ୍ରେସକୁ ଏକ ନୂତନ ସାଂଗଠନିକ ସଂସ୍କୃତି ଆପଣେଇବାକୁ ପଡ଼ିବ ଯେଉଁଥିରେ ବଂଶାନୁଗତ ନେତୃତ୍ବର ନକାରାତ୍ମକ ଧାରଣାକୁ ନୂତନ ନେତୃତ୍ବର ଆଦର୍ଶବୋଧ ହିଁ ଫିକା କରିଦେବ। ସୁତରାଂ ରାହୁଲ ଗାନ୍ଧି ଯେହେତୁ ଦଳର ମଙ୍ଗ ଧରିବାଟା ଥୟ, ଏ ପରିପ୍ରେକ୍ଷୀରେ ତାଙ୍କୁ ଅନ୍ୟମାନଙ୍କ ସହଯୋଗରେ ଆଗକୁ ଆହୁରି ଅନେକ କିଛି କରିବାର ଅଛି ବୋଲି ରାଜନୀତି ବିଶାରଦମାନଙ୍କ ମତ। ବିଗତ ଦିନମାନଙ୍କରେ ମୋଦୀ ସରକାରଙ୍କ ବିଭିନ୍ନ କ୍ଷେତ୍ରରେ ରହିଥିବା ବିଫଳତା ସବୁକୁ ଲୋକଲୋଚନକୁ ଆଣିବାରେ ରାହୁଲଙ୍କ ପ୍ରୟାସ ସେତେଟା ସଫଳ ହୋଇନାହିଁ। ୨୦୨୪ ନିର୍ବାଚନରେ ବିଜେପିର ବିକଳ୍ପ ଭାବେ ଉଭା ହେବାକୁ ରାହୁଲଙ୍କୁ ଆହୁରି ଦୂରଦୃଷ୍ଟିସଂପନ୍ନ ହେବାକୁ ପଡ଼ିବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର