ରାହୁଲଙ୍କ ବ୍ୟାଙ୍କକ୍‌ ଗସ୍ତକୁ ନେଇ ବିଜେପିର କଟାକ୍ଷ

ମହାରାଷ୍ଟ୍ର, ହରିୟାଣା ନିର୍ବାଚନ ପୂର୍ବରୁ ବିଦେଶ ଗସ୍ତକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ : କଂଗ୍ରେସର ପୂର୍ବ ସଭାପତି ରାହୁଲ ଗାନ୍ଧୀ ଶନିବାର ରାତିରୁ ଛୁଟି କଟାଇବାକୁ ବ୍ୟାଙ୍କକ୍‌ ଯାତ୍ରା କରିଥିବା କୁହାଯାଉଛି। ମହାରାଷ୍ଟ୍ର ଏବଂ ହରିୟାଣା ବିଧାନସଭା ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ଦଳ ପାଇଁ ପ୍ରଚାର କରିବା ବଦଳରେ ରାହୁଲ ବ୍ୟାଙ୍କକ୍‌ ଗସ୍ତରେ ଯିବାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ରାହୁଲ ହଠାତ୍ ବିଦେଶ ଗସ୍ତ କରିବା ନେଇ ବିଜେପି କଟାକ୍ଷ କରିଛି। ବିଜେପିର କର୍ଣ୍ଣାଟକ ୟୁନିଟ୍‌ର ଅଫିସିଆଲ ଟ୍ବିଟର୍‌ ହେଣ୍ଡଲ୍‌ରେ ଲେଖାଯାଇଛି, ‘ମହାରାଷ୍ଟ୍ର ଏବଂ ହରିଣାୟାରେ ନିର୍ବାଚନ ତାରିଖ ପାଖେଇ ଆସୁଛି। ଭୋଟର୍‌ମାନେ ଷ୍ଟାର୍‌ କ୍ୟାମ୍ପେନର୍‌ଙ୍କୁ ଶୁଣିବା ପାଇଁ ଉତ୍ସାହର ସହ ଅପେକ୍ଷା କରିଛନ୍ତି। କ’ଣ ଏହା ସତ ଯେ ରାହୁଲ ଗାନ୍ଧୀ ବ୍ୟାଙ୍କକ୍‌ ପଳାଇଛନ୍ତି। ଏବେ ‘ଅମ୍ବାଲାରେ ଆଳୁରୁ ସୁନା’ ଏବଂ ‘ଔରଙ୍ଗାବାଦ ମେଡ୍‌ ମୋବାଇଲ୍‌’ କଥା ଆଉ କିଏ କହିବ।’ ରାହୁଲଙ୍କ ବିଦେଶ ଗସ୍ତକୁ ନେଇ ବିଜେପିର ଏଭଳି କଟାକ୍ଷର ଜବାବରେ କଂଗ୍ରେସର ବରିଷ୍ଠ ନେତା ଅଭିଷେକ ମନୁ ସିଂଘଭୀ କହିଛନ୍ତି ଯେ ରାହୁଲ ଗାନ୍ଧୀଙ୍କ ବ୍ୟକ୍ତିଗତ ଏବଂ ସାର୍ବଜନୀନ ଜୀବନକୁ ଏଭଳି ଯୋଡ଼ିବା ଉଚିତ ନୁହେଁ। ପ୍ରତ୍ୟେକଙ୍କର ସ୍ବାଧୀନତା ଏବଂ ବ୍ୟକ୍ତିଗତ ଗୋପନୀୟତାର ଅଧିକାର ରହିଛି । ଏହା ଏକ ସଫଳ ଗଣତାନ୍ତ୍ରିକ ରାଷ୍ଟ୍ରର ନୀତି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର