ରାହୁଲ୍‌-ନଡ୍ଡା ବାକ୍‌ଯୁଦ୍ଧ

ନୂଆଦିଲ୍ଲୀ=: ଅର୍ଣ୍ଣବ ଗୋସ୍ବାମୀଙ୍କ ହାତରେ ପୁଲୁୱାମା ଓ ବାଲାକୋଟ ଆକ୍ରମଣ ଭଳି ଦେଶର ସମ୍ବେଦନଶୀଳ ତଥ୍ୟ ଆଗୁଆ ଉପଲବ୍ଧ ହେବା ସମେତ ଅରୁଣାଚଳ ପ୍ରଦେଶରେ ଚୀନ ପକ୍ଷରୁ ଗାଁ ସ୍ଥାପନ ଭଳି ଦେଶର କେତେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗକୁ ନେଇ ଆଜି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ଏବଂ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧିଙ୍କ ମଧ୍ୟରେ ତୀବ୍ର କଥା କଟାକଟି ହୋଇଛି।

ରାହୁଲ ସାମ୍ବାଦିକ ସମ୍ମିଳନୀ କରିବା ପୂର୍ବରୁ ନଡ୍ଡା ଟ୍ବିଟ୍‌ କରି ରାହୁଲଙ୍କୁ ପ୍ରଶ୍ନବାଣରେ ଘେରିଥିଲେ। ଅରୁଣାଚଳ ପ୍ରଦେଶର ଯେଉଁ ଗ୍ରାମ ବିଷୟ କୁହାଯାଉଛି ତାହା ସମେତ ଭାରତର ହଜାର ହଜାର ଏକର ସ୍ଥାନକୁ ପଣ୍ଡିତ ନେହରୁ ହିଁ ଚୀନକୁ ଟେକି ଦେଇଛନ୍ତି। ଚୀନ ପ୍ରସଙ୍ଗରେ ରାହୁଲ ଓ କଂଗ୍ରେସ ମିଛ କହିବା କେବେ ବନ୍ଦ କରିବ ବୋଲି ନଡ୍ଡା ପଚାରିଥିଲେ। ରାହୁଲ ଏକମାସର ଛୁଟି ପରେ ଫେରିଥିବାରୁ ତାଙ୍କୁ କେତେକ ପ୍ରଶ୍ନ ପଚାରିବାକୁ ଚାହୁଛି। ଆଶା କରୁଛି ରାହୁଲ ତାଙ୍କ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନର ଉତ୍ତର ରଖିବେ। ସେହିଭଳି କୃଷକଙ୍କୁ କଂଗ୍ରେସ ଭ୍ରମିତ କରୁଛି ବୋଲି ନଡ୍ଡା ଅଭିଯୋଗ କରିଥିଲେ। କଂଗ୍ରେସର ଦଶନ୍ଧି ଦଶନ୍ଧିର ଶାସନରେ କୃଷକମାନେ କାହିଁକି ଗରିବ ରହିଛନ୍ତି ବୋଲି ନଡ୍ଡା ପଚାରିଥିଲେ।
ବିଜେପି ଅଧ୍ୟକ୍ଷଙ୍କ ଏସବୁ ପ୍ରଶ୍ନର ଉତ୍ତର ରାହୁଲ ରଖିଛନ୍ତି। ନଡ୍ଡା କିଏ? ମୁଁ କାହିଁକି ତାଙ୍କୁ ଉତ୍ତର ଦେବି? ବୋଲି ରାହୁଲ କହିଥିଲେ। ତେବେ ରାହୁଲ ଏସବୁ ପ୍ରଶ୍ନର ତୁରନ୍ତ ଉତ୍ତର ରଖିଥିଲେ। କୃଷି ପ୍ରସଙ୍ଗରେ କୃଷକମାନେ ବାସ୍ତବତା କ’ଣ ଜାଣନ୍ତି।

ରାହୁଲ ଗାନ୍ଧି କ’ଣ କରନ୍ତି ତାହା ସବୁ କୃଷକ ଜାଣିଛନ୍ତି। ମୁଁ ନରେନ୍ଦ୍ର ମୋଦୀ କିମ୍ବା ଅନ୍ୟ କାହାରିକୁ ଭୟ କରେ ନାହିଁ। ସେମାନେ ମୋତେ ଛୁଇଁ ପାରିବେ ନାହିଁ। କିନ୍ତୁ ସେମାନେ ‌ମୋତେ ଗୁଳି କରିପାରିବେ। ମୁଁ ଜଣେ ଦେଶପ୍ରେମୀ ଏବଂ ଦେଶକୁ ସୁରକ୍ଷା ଦେବି ବୋଲି ରାହୁଲ କହିଛନ୍ତି। ଏଥିସହିତ ଅର୍ଣ୍ଣବଙ୍କୁ ତଥ୍ୟ ଲିକ୍‌ କରିଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ଜଣେ ହୋଇଥିବାରୁ ସେ ଏହି ଘଟଣାର ତଦନ୍ତ କରିବେ ନାହିଁ ବୋଲି ରାହୁଲ କହିଛନ୍ତି।

ସମ୍ବନ୍ଧିତ ଖବର