ଶ୍ରୀନଗର ଜେଲ୍‌ରେ ଚଢ଼ଉ :ମିଳିଲା ମୋବାଇଲ, ପାକିସ୍ତାନୀ ପତାକା

ଶ୍ରୀନଗର : ଶ୍ରୀନଗର ସେଣ୍ଟ୍ରାଲ୍‌ ଜେଲ୍‌ରେ ଆଜି ଏନ୍‌ଆଇଏ ଚଢ଼ଉ କରିଛି। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ପାଖାପାଖି ୨୦ଟି ଦଳ ସହ ଏନ୍‌ଏସ୍‌ଜି କମାଣ୍ଡୋମାନେ ଏହି ଚଢ଼ଉରେ ସାମିଲ ଥିଲେ। ପାକିସ୍ତାନୀ ଆତଙ୍କବାଦୀଙ୍କ ସହ ବିଭିନ୍ନ ମୋଷ୍ଟ୍‍ ଓ୍ଵାଣ୍ଟେଡ୍‌ ଆତଙ୍କବାଦୀ ରହୁଥିବା ଉକ୍ତ ଉଚ୍ଚ ସୁରକ୍ଷିତ ସେଣ୍ଟ୍ରାଲ୍‌ ଜେଲରେ ଚଢ଼ଉ ବେଳେ ୨୫ଟି ମୋବାଇଲ ଫୋନ୍‌, ଅନେକ ଜିହାଦୀ ପୁସ୍ତିକା, ୫ଟି ଡିଜିଟାଲ କାର୍ଡ, ୫ଟି ପେନ୍‌ ଡ୍ରାଇଭ, ଗୋଟିଏ ଆଇପଡ୍‌ ଏବଂ ହିଜବୁଲ ମୁଜାହିଦ୍ଦିନ୍‌ ଗୋଷ୍ଠୀର ପୋଷ୍ଟର ସମେତ ପାକିସ୍ତାନୀ ପତାକାମାନ ମିଳିଛି। ସୂଚନା ଥାଉ କି, କୁପଓ୍ଵାରାରୁ ଗିରଫ ହୋଇଥିବା ଦୁଇ ଯୁବକ ଡାନିଶ ଗୁଲମ ଲୋନ୍‌ ଏବଂ ସୋହେଲ ଅହମଦ ଭଟ୍ଟ ଦାବି କରିଥିଲେ ଯେ ଆତଙ୍କବାଦୀ ସଂଗଠନ ଅଲ-ବଦର ପାଇଁ ନିଯୁକ୍ତି ପ୍ରକ୍ରିୟା ସମେତ ଗୁଳିଗୋଳା ତାଲିମ ଆଦି ଯାବତୀୟ ଷଡ଼ଯନ୍ତ୍ର ଶ୍ରୀନଗର ସେଣ୍ଟ୍ରାଲ ଜେଲ୍‌ରୁ ହିଁ ପ୍ରସ୍ତୁତ ହେଉଛି। ତେଣୁ ଏନ୍‌ଆଇଏ ଏପରି ଚଢ଼ଉ କରିଥିଲା। ସେହିପରି ଶ୍ରୀନଗର ହସ୍ପିଟାଲ୍‌ରୁ ଗତ ଫେବ୍ରୁଆରି ୬ ତାରିଖରେ ଖସି ପଳାଇଥିବା ଏଲ୍‌ଇଟି ଆତଙ୍କବାଦୀ ମହମ୍ମଦ ନବିଦ ଭଟ୍ଟକୁ ଖସାଇବାରେ ମଧ୍ୟ ଉକ୍ତ ସେଣ୍ଟ୍ରାଲ୍‌ ଜେଲ୍‌ରେ ଷଡ଼ଯନ୍ତ୍ର ହୋଇଥିବା ନେଇ ଏନ୍‌ଆଇଏ ତଦନ୍ତ ଜାରି ରଖିଛି।
ଅନନ୍ତନାଗରେ ୩ ଆତଙ୍କବାଦୀ ନିପାତ
ଶ୍ରୀନଗର : ଜମ୍ମୁ କଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଆଜି ସୁରକ୍ଷାବାହିନୀକୁ ବଡ଼ ଧରଣର ସଫଳତା ମିଳିଛି। ଜିଲ୍ଲାର ହକୋରା ଅଞ୍ଚଳରେ ଆଜି ସୁରକ୍ଷାବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଘମାଘୋଟ ଗୁଳିବର୍ଷାରେ ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଅନନ୍ତନାଗର ହକୋରା ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ପାଇ ସୁରକ୍ଷାକର୍ମୀମାନେ ସମ୍ପୃକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ତଲାସ ଅଭିଯାନ ଆରମ୍ଭ କରିଥିଲେ। ତେବେ ଏହା ଠଉରାଇ ପାରି ସେଠାରେ ଲୁଚିିଥିବା ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଅଚାନକ ଗୁଳି ଚାଳନା କରିଥିଲେ। ସୁରକ୍ଷାକର୍ମୀ ମଧ୍ୟ ଏହାର ପାଲଟା ଜବାବ ଦେଇଥିଲେ। ଏଥିରେ ୩ ଜଣ ଆତଙ୍କବାଦୀ ନିପାତ ହୋଇଥିବା ବେଳେ ସେମାନଙ୍କୁ ଚିହ୍ନଟ ମଧ୍ୟ କରାଯାଇସାରିଛି। ନିହତ ଆତଙ୍କବାଦୀମାନେ ହେଲେ ଶ୍ରୀନଗରର ଏସା ଫଜିଲ ଏବଂ ଅନନ୍ତନାଗ ଜିଲ୍ଲାର ସୟଦ ଅେଓ୍ଵସି ଓ ସବଜାର ଅହମଦ ସୋଫି। ଘଟଣାସ୍ଥଳରୁ ପୁଲିସ ଏକେ ୪୭ ବନ୍ଧୁକ, ପିସ୍ତଲ ଏବଂ ହ୍ୟାଣ୍ଡ ଗ୍ରେନେଡ୍‌ ଉଦ୍ଧାର କରିଛି। ନିହତ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ କିଛି ଦିନ ତଳେ ସୌରାରେ ପୁଲିସ ଗାର୍ଡ ପୋଷ୍ଟ୍‍ ଉପରକୁ ହୋଇଥିବା ଆକ୍ରମଣରେ ସମ୍ପୃକ୍ତ ଥିଲା ବୋଲି ଜଣାଯାଇଛି।

ସମ୍ବନ୍ଧିତ ଖବର