ରାଜସ୍ଥାନ: ସ୍ୱାସ୍ଥ୍ୟମନ୍ତ୍ରୀଙ୍କର ରାସ୍ତା କଡ଼ରେ ପରିଶ୍ରା କରିବା ଘଟଣା; କହିଲେ, ‘କିଛି ବଡ଼ କଥା ନୁହଁ ’…

ଜୟପୁର: ରାଜସ୍ଥାନର ସ୍ୱାସ୍ଥ୍ୟ ମନ୍ତ୍ରୀ କାଳୀଚରଣ ସରାଫ ରାସ୍ତାକଡ଼ରେ ପରିଶ୍ରା କରୁଥିବା ବେଳର ଭିଡ଼ିଓ ବୁଧବାର ସୋସିଆଲ ମିଡ଼ିଆରେ ଭାଇରାଲ୍‌ ହୋଇଥିଲା । ଏହାର ଠିକ ଗୋଟେ ଦିନ ପରେ ଆଜି ସେ ସଂପର୍କରେ ପ୍ରତିକ୍ରିୟା ରଖି କହିଛନ୍ତି, ‘ଏହି ଘଟଣା କିଛି ବଡ଼ କଥା ନୁହଁ!’ ହେଲେ ଭାରତୀୟ ଜନତା ପାର୍ଟି ପାଇଁ ଏକ ଲଜ୍ଜାଜନକ ପରିସ୍ଥିତି ସୃଷ୍ଟି କରିଛି ସୋସିଆଲ ମିଡ଼ିଆରେ ସେୟାର ହୋଇଥିବା ମନ୍ତ୍ରୀଙ୍କର ଏହି ଭିଡ଼ିଓ । ତେବେ ଦେଶରେ ସ୍ୱଚ୍ଛ ଭାରତର ବାର୍ତ୍ତା ପ୍ରଚାର କରୁଥିବା ପାର୍ଟିର ମନ୍ତ୍ରୀଙ୍କର ଏପରି କାର୍ଯ୍ୟ ବିଜେପିକୁ ସାଧାରଣରେ ଲୋକହସାର ପାତ୍ର କରିଛି।
ନିମୟ ଅନୁଯାୟୀ ରାସ୍ତା କଡ଼ରେ ପରିଶ୍ରା କରୁଥିବା ବ୍ୟକ୍ତିଙ୍କୁ ୨୦୦ ଟଙ୍କା ଜରିମାନା ଦେବାକୁ ପଡ଼ିଥାଏ। ତେବେ ଏହି ବିଷୟରେ ପଚାରିବା ପାଇଁ ମିଡ଼ିଆ ତାଙ୍କ କାର୍ଯ୍ୟଳୟରେ ପହଞ୍ଚିଥିଲା। ହେଲେ, ସେ ଏ ସଂପର୍କରେ କିଛି କହିବା ପାଇଁ ଚାହୁଁ ନାହନ୍ତି ବୋଲି କହିବା ସହ ଏହା କିଛି ବଡ଼ କଥା ନୁହଁ ବୋଲି କହିଥିଲେ ।


ସରାଫଙ୍କର ଏପରି ବ୍ୟବହାର ଏବଂ ଉତ୍ତରର ପ୍ରତ୍ୟୁତ୍ତର ଦେଇଛନ୍ତି ରାଜସ୍ଥାନ କଂଗ୍ରେସର ସହ ସଭାପତି ଅର୍ଚ୍ଚନା ଶର୍ମା । ‘ରାଜ୍ୟରେ ବହୁଳ ପରିମାଣର ଅର୍ଥ ସ୍ୱଛ ଭାରତ ପାଇଁ ଖର୍ଚ୍ଚ କରାଯାଉଥିବା ବେଳେ ରାଜ୍ୟର ଜଣେ ପ୍ରମୁଖ ନେତାଙ୍କ ଏପରି କାର୍ଯ୍ୟ ନିନ୍ଦନୀୟ । ଏହା ପ୍ରଥମ ଥର ନୁହଁ ଯେବେ ସରାଫ ଏପରି କିଛି କରିଛନ୍ତି । ଏହାପୂର୍ବରୁ ମଧ୍ୟ ଢ଼ୋଲପୁର ନିର୍ବାଚନର ପଦଯାତ୍ରା ସମୟରେ ତାଙ୍କୁ ରାସ୍ତା କଡ଼ରେ ପରିଶ୍ରା କରୁଥିବାର ଦେଖିବାକୁ ମିଳିଥିଲା। ଜଣେ ମନ୍ତ୍ରୀଙ୍କର ନିଜ ରାଜ୍ୟରେ ଏପରି କିଛି କାର୍ଯ୍ୟ କରିବା ଶୋଭା ପାଏ ନାହିଁ,’ ବୋଲି କହିଛନ୍ତି ଅର୍ଚ୍ଚନା ।
‘ବିଜେପି ସରକାର ସ୍ୱଛ ଭାରତ ମିସନର ବାର୍ତ୍ତା ପ୍ରଚାର କରୁଥିବା ବେଳେ ରାଜ୍ୟର ସ୍ୱସ୍ଥ୍ୟମନ୍ତ୍ରୀ ରାସ୍ତାରେ ପରିଶ୍ରା କରୁଥିବାର ଧରାପଡ଼ିବା ଲଜ୍ଜାଜନକ। ଏଥିପାଇଁ ସରାଫଙ୍କୁ ଗଣମାଧ୍ୟମରେ କ୍ଷମା ପ୍ରାର୍ଥନା କରିବା ଆବଶ୍ୟକ’, ବୋଲି ଅଜମେରର ମନ୍ତ୍ରୀ ଡ଼ା ରଘୁ ଶର୍ମା କହିଛନ୍ତି ।

ସମ୍ବନ୍ଧିତ ଖବର