ବିଜେପି ବିଧାୟକ ବଖାଣିଲେ କଷ୍ଟ, ‘ହସ୍ପିଟାଲରେ ଭର୍ତ୍ତି ପତ୍ନୀଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ କୌଣସି ସୂଚନା ଦିଆଯାଉ ନାହିଁ’

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ଫିରୋଜାବାଦ ଜନପଦର ଜସରାନାର ବିଧାୟକ ରାମଗୋପାଳ ଓରଫ ପପ୍ପୁ ଲୋଧି ୩୦ ଏପ୍ରିଲରେ କରୋନା ସଂକ୍ରମିତ ହୋଇଥିଲେ। ତାଙ୍କ ସହିତ ପତ୍ନୀ ବି କରୋନା ପଜିଟିଭ ଥିବା ଜଣାପଡ଼ିଥିଲେ। ଏହାପରେ ରାମଗୋପାଳଙ୍କ ପତ୍ନୀଙ୍କୁ ଫିରୋଜାବାଦରେ ଆଇସୋଲେସନ ୱାର୍ଡରେ ଭର୍ତ୍ତି କରାଯାଇଥିଲା।

ବିଧାୟକ ରାମଗୋପାଳ ଓରଫ ପପ୍ପୁ ଲୋଧିଙ୍କ ଶରୀରଅବସ୍ଥା ଠିକ ହେବାପରେ ଶନିବାର ତାଙ୍କୁ ଆଇସୋଲେସନ ୱାର୍ଡରୁ ଛୁଟି ମିଳି ଯାଇଥିଲା। କିନ୍ତୁ ତାଙ୍କ ପତ୍ନୀଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯିବାରୁ ଏସଏନ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲେ ହେଁ ପରେ ମଇ ୭ ତାରିଖରେ ତାଙ୍କୁ ଆଗ୍ରା ସ୍ଥାନାନ୍ତର କରି ଦିଅଯାଇଥିଲା।

ପପ୍ପୁ ଲୋଧିଙ୍କ କହିବାନୁସାରେ, କରୋନା ସଂକ୍ରମିତ ପତ୍ନୀଙ୍କୁ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିବା ଏତେ ସହଜ ନଥିଲା। ବେଡ ନମିଳିବାରୁ ହସ୍ପିଟାଲରେ ପତ୍ନୀ ୩ଘଣ୍ଟା ଧରି ଚଟଣାରେ ପଡ଼ି ରହିଥିଲେ। ଜିଲ୍ଲା ଅଧିକାରୀଙ୍କୁ କହିବା ପରେ ବହୁ କଷ୍ଟରେ ବେଡ ମିଳିଥିଲା। ତେବେ ଏବେ ପତ୍ନୀଙ୍କ ସ୍ବାସ୍ଥାବସ୍ଥା କିପରି ଅଛି ସେନେଇ ତାଙ୍କୁ କୌଣସି ସୂଚନା ଦିଆଯାଉ ନାହିଁ। ସଠିକ ଭାବେ ପତ୍ନୀଙ୍କ ଚିକିତ୍ସା କରାଯାଉ ନାହିଁ। ଏମିତି କି ହସ୍ପିଟାଲରେ ତାଙ୍କର ଖାଇବା ପିଇବାରେ ବି ହେଳା କରାଯାଉଛି। ଯଦି ମୋ ସ୍ତ୍ରୀର ଏଭଳି ଅବସ୍ଥା ହୋଇଛି ତେବେ ସାଧାରଣ ଲୋକଙ୍କ ଅବସ୍ଥା କିପରି ହେଉଥିବା ତାହା ସହଜରେ ଅନୁମାନ କରାଯାଇ ପାରୁଛି।’

ସୂଚନାଯୋଗ୍ୟ, ଦିଲ୍ଲୀ ଓ ମହାରାଷ୍ଟ୍ର ଭଳି ଉତ୍ତରପ୍ରଦେଶରେ ବି କରୋନା ସଂକ୍ରମଣ ହେତୁ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ସବୁଠାରୁ ଅଧିକ ଖରାପ ପରିସ୍ଥିତି ଲକ୍ଷ୍ମୌ, କାନପୁର ଭଳି ସହରମାନଙ୍କରେ ଦେଖିବାକୁ ମିଳୁଛି। ଉତ୍ତରପ୍ରଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ କରୋନାର ୨୬୮୪୭ଟିମାମଲା ସାମ୍ନାକୁ ଆସିଛି। ଲକ୍ଷ୍ମୌରେ ୨,୧୭୯ ନୂଆ ମାମଲା ଆସିଥିବା ବେଳେ ଉତ୍ତରପ୍ରଦେଶରେ କରୋନା ସକ୍ରିୟ ମାମଲା ୨୪୫୭୩୬ ରହିଛି। ତେବେ ଦୁଃଖର କଥା ଗତ ୨୪ ଘଣ୍ଟା ମଧ୍ୟରେ କରୋନାରେ ଆକ୍ରାନ୍ତ ହୋଇ ୨୯୮ଜଣଙ୍କ ମୃତ୍ୟୁ ହୋଇସାରିଲାଣି।

ସମ୍ବନ୍ଧିତ ଖବର