ବିଜେପି ‌ନେତା ସ୍ବାମୀ ଚିନ୍ମୟାନନ୍ଦଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

ଦୁଷ୍କର୍ମ ମାମଲା ରୁଜୁ କଲେ ଆଇନ ଛାତ୍ରୀ

ନୂଆଦିଲ୍ଲୀ : ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ‌ନେତା ସ୍ବାମୀ ଚିନ୍ମୟାନନ୍ଦଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିବା ଉତ୍ତରପ୍ରଦେଶର ଶାହଜାହନପୁର ଆଇନ ଛାତ୍ରୀ ଆଜି ଦିଲ୍ଲୀ ପୁଲିସରେ ଦୁଷ୍କର୍ମ ମାମଲା ରୁଜୁ କରିଛନ୍ତି। ଗଣମାଧ୍ୟମରେ ନିଜର ମନ୍ତବ୍ୟ ରଖି ଆଇନ ଛାତ୍ରୀ ଜଣଙ୍କ ଦାବି କରିଛନ୍ତି ଯେ, ଚିନ୍ମୟାନନ୍ଦଙ୍କ ଦ୍ବାରା ସେ ଦୁଷ୍କର୍ମର ଶିକାର ହୋଇଥିଲେ ଏବଂ ପ୍ରାୟ ବର୍ଷେ ପର୍ଯ୍ୟନ୍ତ ସେ ତାଙ୍କ ଦ୍ବାରା ଶାରୀରିକ ନିର୍ଯାତନାର ଶିକାର ହୋଇଥିଲେ। ଏନେଇ ଶାହଜାହନପୁର ପୁଲିସରେ ସେ ଦୁଷ୍କର୍ମ ମାମଲା ରୁଜୁ କରିବାକୁ ଚାହିଥିଲେ ମଧ୍ୟ ପୁଲିସ ତାଙ୍କ ମାମଲା ରଖିନଥିଲା। ତେବେ ଆଇନ ଛାତ୍ରୀ ଜଣଙ୍କ ଆଜି ଦିଲ୍ଲୀ ପୁଲିସରେ ଏନେଇ ମାମଲା ରୁଜୁ କରିଛନ୍ତି। ଲୋଧି ରୋଡ୍‌ ପୁଲିସ ‌‌ଷ୍ଟେସନ୍‌ରେ ଛାତ୍ରୀ ଜଣଙ୍କ ଚିନ୍ମୟାନନ୍ଦଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ କରିଥିବାବେଳେ ପୁଲିସ ଏହି ମାମଲାକୁ ଶାହଜାହନପୁର ପୁଲିସ ନିକଟକୁ ପଠାଇ ଦେଇଛି। ଅନ୍ୟପକ୍ଷେ ଆଇନ ଛାତ୍ରୀ ଜଣଙ୍କ କହିଛନ୍ତି, ମାମଲାର ତଦନ୍ତ ପାଇଁ ଗଠନ ହୋଇଥିବା ଏସ୍‌ଆଇଟି ଗତକାଲି ତାଙ୍କୁ ପ୍ରାୟ ୧୧ ଘଣ୍ଟା ପର୍ଯ୍ୟନ୍ତ ଜେରା କରିଥିଲା। ନିଜ ସହ ଘଟିଥିବା ସମସ୍ତ କଥାକୁ ‌ସେ ତଦନ୍ତକାରୀ ଟିମ୍‌ଙ୍କ ଆଗରେ କହିଥିଲେ। କିନ୍ତୁ ସବୁ ଜାଣିବାପରେ ମଧ୍ୟ ଚିନ୍ମୟାନନ୍ଦଙ୍କୁ ସେମାନେ ଏଯାଏଁ ଗିରଫ କରିନାହାନ୍ତି ବୋଲି ଛାତ୍ରୀ ଜଣଙ୍କ କହିଛନ୍ତି।

ସମ୍ବନ୍ଧିତ ଖବର