ମଧ୍ୟପ୍ରଦେଶରେ କଠୋର ହେଲା ଦୁଷ୍କର୍ମ ଆଇନ

ନାବାଳିକାକୁ ବଳାତ୍କାର କଲେ ମୃତ୍ୟୁଦଣ୍ଡ

ଭୋପାଳ: ନିକଟରେ ମଧ୍ୟପ୍ରଦେଶରେ ଦୁଷ୍କର୍ମ ଘଟଣା ଦେଶବ୍ୟାପୀ ଆଲୋଡ଼ନ ଆଣିଥିବା ବେଳେ ରବିବାର ମଧ୍ୟପ୍ରଦେଶ କ୍ୟାବିନେଟରେ ଦୁଷ୍କର୍ମକାରୀଙ୍କ ବିରୋଧରେ କଠୋର ଆଇନ ପାରିତ ହୋଇଛି। ଏପରିକି ୧୨ ବର୍ଷରୁ କମ୍‌ ବୟସର ବାଳିକାକୁ ଦୁଷ୍କର୍ମ କରିବା ଅଭିଯୋଗ ପ୍ରମାଣିତ ହେଲେ ବଳାତ୍କାରୀକୁ ମୃତ୍ୟୁଦଣ୍ଡ ହେବାର ବ୍ୟବସ୍ଥା ମଧ୍ୟ ଏହି ଆଇନରେ ରହିଥିବା ଜଣାଯାଇଛି। ସେହିପରି ଗଣଦୁଷ୍କର୍ମକାରୀଙ୍କୁ ମଧ୍ୟ ମୃତ୍ୟୁ ଦଣ୍ଡ ମିଳିବାକୁ ଏକ ସଂକଳ୍ପନାମା ପାରିତ ହୋଇଯାଇଛି। ଅପରପକ୍ଷେ, ପିଙ୍ଗଳ ଆଇନ ଧାରାରେ ଆଂଶିକ ପରିବର୍ତ୍ତନ ଅଣାଯାଇ ଦୁଷ୍କର୍ମ ଅଭିଯୁକ୍ତଙ୍କ ପାଇଁ ଲାଗୁ ହେଉଥିବା ଦଣ୍ଡ ଏବଂ ଜରିମାନା ପରିମାଣ ବୃଦ୍ଧି ପାଇଁ ମଧ୍ୟ ସୁପାରିସ କରାଯାଇଛି।

ଉଲ୍ଲେଖ ଥାଉ କି, କିଛି ଦିନ ଭିତରେ ରାଜଧାନୀ ଭୋପାଳ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ସଂଖ୍ୟାଧିକ ଘଟଣାରେ ମହିଳା ଏବଂ ନାବାଳିକା ଗଣଦୁଷ୍କର୍ମର ଶିକାର ହେବା ଖବର ରାଜ୍ୟରେ ମହିଳାମାନଙ୍କ ସୁରକ୍ଷାରେ ପ୍ରଶ୍ନବାଚୀ ଲଗାଇଛି। ଏଥିଯୋଗୁଁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ବିଜେପି ସରକାର ଦେଶବ୍ୟାପୀ ନିନ୍ଦିତ ହୋଇଥିବା ବେଳେ ବିରୋଧୀ ଦଳ ପକ୍ଷରୁ କଡ଼ା ସମାଲୋଚନାର ଶିକାର ହୋଇଥିଲେ। ତେବେ ଦୁଷ୍କର୍ମକାରୀଙ୍କ ବିରୋଧରେ ଏଭଳି କଠୋର ଦଣ୍ଡବିଧାନ କରିବା ଦ୍ୱାରା ରାଜ୍ୟରେ ଅପରାଧ ମାତ୍ରା କମିବ ବୋଲି ସରକାର ଆଶାବାଦୀ ଅଛନ୍ତି।

ସମ୍ବନ୍ଧିତ ଖବର