ଏଥର ହାତୀ ଢ଼ାଳିବ କି ସୁନା କଳସ ? ପୁଣି ଥରେ ବ୍ରିଟେନ୍‌ର ପ୍ରଧାନମନ୍ତ୍ରୀ ପଦବୀ ପାଇଁ ଭାରତୀୟ ବଂଶୋଦ୍ଭବ ଋଷି ସୁନକ ଆଗରେ

ଇଂଲଣ୍ଡ: ବ୍ରିଟେନରେ ତିନି ବର୍ଷ ମଧ୍ୟରେ ଦୁଇ ଜଣ ପ୍ରଧାନମନ୍ତ୍ରୀ, ଦୁଇ ଜଣ ଗୃହ ସଚିବ ଏବଂ ଦୁଇ ଜଣ ଅର୍ଥମନ୍ତ୍ରୀ ଆସିଛନ୍ତି ଏବଂ ଯାଇଛନ୍ତି। କଞ୍ଜରଭେଟିଭ୍‌ ଦଳର ନେତା ଲିଜ୍‌ ଟ୍ରସ୍‌ ତାଙ୍କ ମିନି ବଜେଟ୍‌ର ପ୍ରତିକ୍ରିୟା ଫଳରେ ଇସ୍ତଫା ଦେଇଥିବାରୁ ବ୍ରିଟେନ୍‌ ଏବେ ଅନେକ ପ୍ରଥମ ଘଟଣାର ସାକ୍ଷୀ ପାଲଟିବାକୁ ଯାଉଛି। ବ୍ରିଟିଶ ଇତିହାସରେ ସବୁଠାରୁ କମ୍‌ ସମୟର ପ୍ରଧାନମନ୍ତ୍ରୀ (କ୍ଷମତାରେ ୪୫ ଦିନ) ରହି ଇସ୍ତଫା ଦେଇଛନ୍ତି ଲିଜ୍‌ ଟ୍ରସ୍‌। ଟ୍ରସ୍‌ଙ୍କ ପୂର୍ବରୁ ଜର୍ଜ କ୍ୟାନିଂ ୧୮୨୭ ରେ ପ୍ରାୟ ଚାରି ମାସ ପାଇଁ ପ୍ରଧାନମନ୍ତ୍ରୀ ଥିଲେ।

ତେବେ, ପ୍ରଧାନମନ୍ତ୍ରୀ ପଦରୁ ଲିଜ୍‌ ଟ୍ରସ୍‌ ଇସ୍ତଫା ଦେବାପରେ ଭାରତୀୟ ବଂଶୋଦ୍ଭବ ସାଂସଦ ଋଷି ସୁନକ ପ୍ରଧାନମନ୍ତ୍ରୀ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ଋଷି ସୁନକଙ୍କ ନିକଟତମ ସୂତ୍ରକୁ ଯଦି ବିଶ୍ୱାସ କରାଯାଏ, ତେବେ ତାଙ୍କ ପାଖରେ ପୂର୍ବରୁ ୧୦୦ରୁ ଅଧିକ ସାଂସଦଙ୍କ ସମର୍ଥନ ରହିଛି। ଯାହାକି ଟୋରୀ ପାର୍ଟି ନେତାଙ୍କ ପ୍ରଧାନମନ୍ତ୍ରୀ ଦୌଡ଼ରେ ରହିବା ପାଇଁ ସର୍ବନିମ୍ନ ଆବଶ୍ୟକତା ପୂରଣ କରୁଛି।

ଅନ୍ୟପକ୍ଷରେ କଞ୍ଜରଭେଟିଭ୍‌ ଦଳର ନିୟମ ସ୍ଥିର କରୁଥିବା ୧୯୨୨ କମିଟିର ମୁଖ୍ୟ ଗ୍ରାହାମ୍‌ ବ୍ରାଡି ନିଶ୍ଚିତ କରିଛନ୍ତି ଯେ ଅକ୍ଟୋବର ୩୧ରେ ନୂତନ ନେତାଙ୍କୁ ଚୟନ କରାଯିବ। ଲିଜ୍‌ ଟ୍ରସ୍‌ଙ୍କ ଉଚ୍ଚାଭିଳାଷୀ ଟିକସ ହ୍ରାସ ପରେ ନିମ୍ନଗାମୀ ହୋଇଥିବା ବଜାର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ବୋରିସ୍‌ ଜନସନଙ୍କ ନେତୃତ୍ୱରେ ଗତ ସାଧାରଣ ନିର୍ବାଚନରେ ଏକ ବିପୁଳ ଜନାଦେଶ ସହିତ କ୍ଷମତାକୁ ଆସିଥିବା ଟୋରୀ ଦଳ ଉପରେ ଏବେ ସବୁକିଛି ନିର୍ଭର କରୁଛି।

Jagran Josh

ପ୍ରଧାନମନ୍ତ୍ରୀ ପଦ ପାଇଁ ନାମାଙ୍କନ ବର୍ତ୍ତମାନ ଖୋଲା ଅଛି ଏବଂ ସୋମବାର, ଅକ୍ଟୋବର ୨୪ ଅପରାହ୍ନ ୨.୦୦ ପର୍ଯ୍ୟନ୍ତ ଖୋଲା ରହିବ। ଯେ କୌଣସି ପ୍ରାର୍ଥୀଙ୍କୁ ପ୍ରଧାନମନ୍ତ୍ରୀ ଦୌଡ଼ରେ ଠିଆ ହେବା ପାଇଁ ସର୍ବନିମ୍ନ ୧୦୦ ସାଂସଦଙ୍କ ସମର୍ଥନ ଆବଶ୍ୟକ। ସଂସଦରେ ୩୫୭ ଟୋରୀ ସାଂସଦ ଅଛନ୍ତି, ତେଣୁ ତିନି ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିପାରିବେ। ସାଂସଦମାନଙ୍କ ପାଇଁ ପ୍ରଥମ ବାଲାଟ୍‌ ଅକ୍ଟୋବର ୨୪ ଅପରାହ୍ନ ୩.୩୦ରୁ ସନ୍ଧ୍ୟା ୫.୩୦ ମଧ୍ୟରେ ଅନୁଷ୍ଠିତ ହେବ ଏବଂ ସେହି ଦିନ ସନ୍ଧ୍ୟା ୬.୦୦ରେ ଫଳାଫଳ ଘୋଷଣା କରାଯିବ। ଯଦି ଦ୍ୱିତୀୟ ସୂଚକ ଭୋଟ୍‌ ଆବଶ୍ୟକ ହୁଏ, ତେବେ ଏହା ଦଳର ସଦସ୍ୟମାନଙ୍କ ପାଇଁ ସନ୍ଧ୍ୟା ୬.୩୦ରେ ଅନୁଷ୍ଠିତ ହେବ। ଏହି ସୂଚକ ଭୋଟର ଫଳାଫଳ ସେହି ଦିନ ରାତି ୯.୦୦ ସୁଦ୍ଧା ବାହାରିବ।

ପ୍ରଧାନମନ୍ତ୍ରୀ କିଏ ହେବେ ସେ ବିଷୟରେ ଅବଶିଷ୍ଟ ଦୁଇ ପ୍ରାର୍ଥୀଙ୍କ ମଧ୍ୟରେ ଚୁକ୍ତି ହେବାର ସମ୍ଭାବନା ରହିଛି। ଯଦି ଏହା ନହୁଏ, ତେବେ ଟୋରୀ ଦଳର ସଦସ୍ୟମାନେ ଏକ ସୁରକ୍ଷିତ ଅନଲାଇନ୍‌ ଭୋଟିଂ ବ୍ୟବସ୍ଥା ମାଧ୍ୟମରେ ସେମାନଙ୍କର ଭୋଟ୍‌ ଦେବେ। ଅକ୍ଟୋବର ୨୮ ତାରିଖ ରାତି ୧୧ଟାରେ ବାଲାଟ୍‌ ବନ୍ଦ ହେବ ଏବଂ ସେହି ଦିନ ବିଳମ୍ବରେ ଫଳାଫଳ ଘୋଷଣା କରାଯିବ। ବ୍ରିଟେନ ଆଶା କରୁଛି ଯେ ଅକ୍ଟୋବର ୨୮ ସୁଦ୍ଧା ଦେଶକୁ ନୂତନ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ମିଳିପାରିବେ।

ସମ୍ବନ୍ଧିତ ଖବର