ଇଂଲଣ୍ଡରେ ରେକର୍ଡ ଅନୁପ୍ରବେଶ, ଦିନକରେ ୧୩୦୦ରୁ ଊର୍ଦ୍ଧ୍ବ ଇଂଲିସ ଚ୍ୟାନେଲ ଅତିକ୍ରମ କଲେ

ଲଣ୍ଡନ : ବ୍ରିଟେନରେ ବର୍ତ୍ତମାନ ବେଆଇନ ଅନୁପ୍ରବେଶକାରୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସୋମବାର ଗୋଟିଏ ଦିନରେ ୧୩୦୦ରୁ ଅଧିକ ଲୋକ ୨୭ଟି ବୋଟ୍‌ରେ ଇଂଲିସ ଚ୍ୟାନେଲ ଅତିକ୍ରମ କରି ଇଂଲଣ୍ଡରେ ପ୍ରବେଶ କରିଛନ୍ତି, ଯାହା ଗତ ନଭେମ୍ବର ମାସର ରେକର୍ଡ ୧୧୮୫କୁ ଭାଙ୍ଗିଦେଇଛି।

ଚଳିତବର୍ଷ ବର୍ତ୍ତମାନ ସୁଦ୍ଧା ୨୨,୫୫୭ ଜଣ ଲୋକ ଇଂଲଣ୍ଡ ଆସିଛନ୍ତି। ବର୍ତ୍ତମାନ ଯେଉଁ ହାରରେ ଲୋକ ଆସୁଛନ୍ତି, ବର୍ଷ ଶେଷବେଳକୁ ସଂଖ୍ୟା ୬୦,୦୦୦ ଟପିଯାଇପାରେ। ଗତବର୍ଷ ୨୮,୫୨୬ ଲୋକ ଇଂଲିସ ଚ୍ୟାନେଲ ଅତିକ୍ରମ କରିଥିଲେ। ୨୦୨୦ରେ ଏହି ସଂଖ୍ୟା ଥିଲା ୯୦୦୦। ଇଂଲଣ୍ଡ ସରକାର ‘ରୁଆଣ୍ଡା ନୀତି’ ଘୋଷଣା କରିବା ପରେ ଏହି ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ରୁଆଣ୍ଡା ନୀତି ଅନୁସାରେ ଯେଉଁମାନେ ବେଆଇନ ଭାବେ ଇଂଲଣ୍ଡରେ ପ୍ରବେଶ କରିବେ ସେମାନଙ୍କୁ ଆଫ୍ରିକୀୟ ଦେଶକୁ ପଠାଇ ଦିଆଯିବ ଯେଉଁଠାରେ ସେମାନେ ଆଶ୍ରୟ ଖୋଜିବେ। ଏହି ବିବାଦୀୟ ନୀତି ଘୋଷଣା କରାଯିବାର ୧୦୦ ଦିନ ଭିତରେ ୧୦,୦୦୦ରୁ ଅଧିକ ମାଇଗ୍ରାଣ୍ଟ (ପ୍ରବାସୀ) ଇଂଲଣ୍ଡରେ ପ୍ରବେଶ କଲେଣି। ବ୍ରିଟେନ ସରକାର ରୁଆଣ୍ଡା ନୀତି ଘୋଷଣା କରିଥିଲେ ଲୋକଙ୍କୁ ଅନୁପ୍ରବେଶ କରିବାରୁ ନିରୁତ୍ସାହିତ କରିବା ପାଇଁ। କିନ୍ତୁ ଫଳ ଓଲଟା ହେବା ଦେଖାଯାଉଛି। ସରକାର ଯେତେବେଳେ ପ୍ରଥମ ନିର୍ବାସନ ବିମାନ ଉଡ଼ାଣ ଆରମ୍ଭ କରିବାକୁ ବସିଲେ ସେତେବେଳେ ଦେଖାଗଲା ଆଇନଗତ ପ୍ରତିବନ୍ଧକ। ନିର୍ବାସନ ବିମାନ ଆଉ ରୁଆଣ୍ଡା ଯାଇପାରିଲା ନାହିଁ। ଗତ ଜୁନ୍ ମାସରେ ଏହି ଘଟଣା ଘଟିଥିଲା ଏବଂ ସେବେଠାରୁ ଗୋଟିଏ ବି ବିମାନ ବେଆଇନ ଅନୁପ୍ରବେଶକାରୀଙ୍କୁ ନେଇ ରୁଆଣ୍ଡା ଯାଇ ନାହିଁ।

ଅଧିକାଂଶ ଅନୁପ୍ରବେଶକାରୀ ହେଉଛନ୍ତି ୧୮ରୁ ୩୯ ବର୍ଷ ବୟସ୍କ ପୁରୁଷ ଯେଉଁମାନେ ଅନ୍ୟ କୌଣସି ଗରିବ ଓ ଅରାଜକ ଦେଶରୁ ଭଲରେ ବଞ୍ଚିବା ଆଶାରେ ଇଂଲଣ୍ଡ ପଳାଇଆସିଥାନ୍ତି। ଇଂଲଣ୍ଡରେ ଶରଣାର୍ଥୀମାନଙ୍କ ପୁନର୍ବାସ ଓ ଥଇଥାନ ପାଇଁ କୌଣସି ରଣନୀତି ନ ଥିବାରୁ ଏତେ ସଂଖ୍ୟକ ଶରଣାର୍ଥୀଙ୍କୁ ସେମାନେ ନିୟନ୍ତ୍ରଣ କରିପାରୁ ନାହାନ୍ତି।

ସମ୍ବନ୍ଧିତ ଖବର