ଶିଶୁଙ୍କ ଶରୀରରେ କୋଭାକ୍ସିନର ପରୀକ୍ଷଣ ; ଆଜିଠାରୁ ଦିଲ୍ଲୀ ଏମ୍ସରେ ଆରମ୍ଭ ହେବ ୬ରୁ ୧୨ ବର୍ଷ ପିଲାଙ୍କ ଚୟନ

ନୂଆଦିଲ୍ଲୀ : ଶିଶୁ ଓ କିଶୋରମାନଙ୍କ ଶରୀରରେ ଭାରତରେ ନିର୍ମିତ କରୋନା ଟିକା କୋଭାକ୍ସିନର କ୍ଲିନିକାଲ ପରୀକ୍ଷଣ ଦିଲ୍ଲୀର ଏମ୍ସରେ ଆରମ୍ଭ ହୋଇଯ଼ାଇଛି । ୧୨ରୁ ୧୮ ବର୍ଷର ପିଲାମାନଙ୍କୁ କୋଭାକ୍ସିନର ଗୋଟିଏ ଡେଜ ଦିଆଯାଇଥିବାବେଳେ ଖୁବଶୀଘ୍ର ୬ରୁ ୧୨ ବର୍ଷ ପିଲାଙ୍କୁ ଏହି ଟିକା ଦିଆଯ଼ିବ । ଆଜି ଦିଲ୍ଲୀର ଏମ୍ସରେ ଏହି ପରୀକ୍ଷଣ ପାଇଁ ୬ରୁ ୧୨ ବର୍ଷ ପିଲାଙ୍କ ଚୟନ ଆରମ୍ଭ ହେବ ।
ପିଲାମାନଙ୍କ ଚୟନ ପରେ ସେମାନଙ୍କୁ ଗୋଟିଏ ଡୋଜ୍ କୋଭାକ୍ସିନ ଟିକା ଦିଆଯ଼ିବ । ପ୍ରଥମ ଡୋଜର ୨୮ ଦିନ ପରେ ୨ୟ ଡୋଜ ଦିଆଯ଼ିବ । ଏହି ଗ୍ରୁପ ପିଲାଙ୍କ ଚୟନ ପରେ ୨ରୁ ୬ ବର୍ଷ ପିଲାଙ୍କ ଚୟନ କରାଯ଼ାଇ କ୍ଲିନିକାଲ ପରୀକ୍ଷଣ ଆରମ୍ଭ ହେବ ବୋଲି ଏମ୍ସର ସେଣ୍ଟର ଫର କମ୍ୟୁନିଟି ମେଡିସିନର ନିର୍ଦ୍ଦେଶକ ଡ.ସଂଜୟ ରାୟ କହିଛନ୍ତି ।
କ୍ଲିନିକାଲ ପରୀକ୍ଷଣ ପାଇଁ ପ୍ରତି ଗ୍ରୁପ ( ୨-୬, ୬-୧୨, ୧୨-୧୮) ରେ ୧୭୬ ଜଣ ଲେଖାଏଁ ସ୍ବେଚ୍ଛାସେବୀଙ୍କୁ ଚୟନ କରାଯ଼ାଇଛି । ଗତ ମେ ୧୨ରେ ଭାରତର ଔଷଧ ମହାନିୟନ୍ତ୍ରକ ୧୮ ବର୍ଷରୁ କମ ବୟସର ପିଲାମାନଙ୍କ ଶରୀରରେ କୋଭାକ୍ସିନ ପରୀକ୍ଷଣକୁ ଅନୁମତି ଦେଇଥିଲେ ।

 

ସମ୍ବନ୍ଧିତ ଖବର