ଇରାନ-ଇସ୍ରାଏଲ ମଧ୍ୟରେ ଯେକୌଣସି ସମୟରେ ଯୁଦ୍ଧ ଲାଗିପାରେ, କାହିଁକି ଜାଣନ୍ତୁ..

ନୂଆଦିଲ୍ଲୀ : ସିରିଆରେ ଗୃହଯୁଦ୍ଧକୁ ନେଇ ଗତ କିଛି ବର୍ଷ ଧରି ମଧ୍ୟପୂର୍ବ ଅଞ୍ଚଳରେ ଅଶାନ୍ତି ଜାରି ରହିଛି । କିନ୍ତୁ ଏବେ ସିରିଆ ମାମଲାକୁ ନେଇ ଏ ଅଂଚଳର ଦୁଇ ଶକ୍ତିଶାଳୀ ଦେଶ ଇସ୍ରାଏଲ ଓ ଇରାନ ମୁହାଁମୁହିଁ ହୋଇଛନ୍ତି । ପରିସ୍ଥିତି ଏପରି ହେଇଛି ଯେକୌଣସି ସମୟରେ ଉଭୟ ପକ୍ଷ ମଧ୍ୟରେ ଯୁଦ୍ଧ ଲାଗିଯିବାର ଆଶଙ୍କା ଦେଖାଦେଇଛି । ଗତକାଲି ଇରାନର ଏକ ଡ୍ରୋନ ଇସ୍ରାଏଲ ବାୟୁସୀମା ମଧ୍ୟରେ ପ୍ରବେଶ କରିବା ପରେ ଇସ୍ରାଏଲ ପକ୍ଷରୁ ସିରିଆରେ ଥିବା ୧୨ଟି ଟାର୍ଗେଟ୍‌ ଉପରେ ଆକ୍ରମଣ କରାଯାଇଛି । ଏହା ମଧ୍ୟରୁ ୪ଟି ଟାର୍ଗେଟ ହେଉଛି ଇରାନର । ଶୁକ୍ରବାରଦିନ ଇରାନର ବିମାନ ବିଧ୍ୱଂସୀ କମାଣ ଦ୍ୱାରା ଇସ୍ରାଏଲର ଏକ ଏଫ-୧୬ ବିମାନକୁ ଖସାଇଦିଆଯିବା ପରେ ଇସ୍ରାଏଲ ଏହାର ଜବାବ ଦିଆଯିବ ବୋଲି ଚେତାବନୀ ଦେଇଥିଲା । ତେବେ ଏଥିରେ ଥିବା ଦୁଇ ଇସ୍ରାଏଲୀ ପାଇଲଟ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଇରାନର ଡ୍ରୋନ ଇସ୍ରାଏଲ ଭିତରେ ପହଞ୍ଚିବା ଏହାର ସାର୍ବଭୌମତ୍ୱ ପ୍ରତି ଏକ ବିପଦ । ଏହାର ଉପଯୁକ୍ତ ଜବାବ ଦେବା ଇସ୍ରାଏଲର କର୍ତ୍ତବ୍ୟ ଓ ଅଧିକାର ବୋଲି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ।

ଇସ୍ରାଏଲ ପକ୍ଷରୁ କୁହାଯାଇଛି ଯେ ସିରିଆକୁ ଇରାନର ଏକ ଘାଟି ହେବାକୁ ଦିଆଯିବ ନାହିଁ କିମ୍ବା ଲେବାନନର ଆତଙ୍କବାଦୀ ସଂଗଠନ ହିଜବୋଲ୍ଲା ପାଇଁ ଅସ୍ତ୍ରଶସ୍ତ୍ର ଯୋଗାଣର ଏକ ମାଧ୍ୟମ ହେବାକୁ ଦିଆଯିବ ନାହିଁ । ଇରାନ ସିରିଆକୁ ବ୍ୟବହାର କରି ଇସ୍ରାଏଲ ଉପରେ ଆକ୍ରମଣ ପାଇଁ ଯୋଜନା କରୁଛି ବୋଲି ନେତାନ୍ୟାହୁ କହିଛନ୍ତି । ତେବେ ଇସ୍ରାଏଲର ଏସବୁ ଅଭିଯୋଗକୁ ଇରାନ ଖଣ୍ଡନ କରିଛି ।

ସମ୍ବନ୍ଧିତ ଖବର